Asaram Parole And Surrender:ପାରୋଲରୁ ଫେରି ସରେଣ୍ଡରରେ କାହିଁକି ବିଳମ୍ୱ କଲେ ଆଶାରାମ ବାପୁ ?
ଅକ୍ଟୋବର ୨୭, ୨୦୨୬ସନ୍ଧ୍ୟା ୫ଟା ସୁଦ୍ଧା ଯୋଧପୁର କେନ୍ଦ୍ରୀୟ ଜେଲ୍ରେ ଆତ୍ମସମର୍ପଣ କରିବାର ନିର୍ଦ୍ଧାରିତ ସମୟ ଥିଲା। ଆସାରାମଙ୍କ ପକ୍ଷରୁ ତର୍କ ରଖାଯାଇଛି ଯେ, ସେ ଚାର୍ଟର ବିମାନରେ ଯାତ୍ରା କରୁଥିଲେ। କିନ୍ତୁ ବିମାନ ଉଡ଼ାଣ ପାଇଁ ଆବଶ୍ୟକ କ୍ଲିୟରାନ୍ସ ମିଳିବାରେ ବିଳମ୍ୱ ହୋଇଥିବାରୁ ସେ ନିର୍ଦ୍ଧାରିତ ସମୟରେ ଜେଲ୍ରେ ପହଞ୍ଚି ପାରିନଥିଲେ।

ପାରୋଲ ସମୟ ସରିବା ପରେ ବି କାହିଁକି ଜେଲରେ ଆତ୍ମସମର୍ପଣ ଲାଗି ହେଲା ବିଳମ୍ୱ। ଏ ସନ୍ଦର୍ଭରେ ରୁଜୁ ହୋଇଥିବା FIR ମାମଲାରେ ରାଜସ୍ଥାନ ହାଇକୋର୍ଟ ଆସାରାମ ବାପୁଙ୍କୁ ଆଶ୍ୱସ୍ତି ଦେଇଛନ୍ତି। ନିଜ ପକ୍ଷରେ ଥିବା ଯୁକ୍ତିକୁ ପ୍ରମାଣିତ କରିବା ପାଇଁ ଫଟୋ, ଭିଡିଓ, ଯାତ୍ରା ଟିକେଟ୍ ଆଦି ଦାଖଲ କରିବାକୁ କୋର୍ଟ ଅନୁମତି ଦେଇଛନ୍ତି। ଏହା ସହ ଏହି FIR ମାମଲାରେ ଗିରଫଦାରୀରୁ ମିଳିଥିବା ଅନ୍ତରୀଣ ସୁରକ୍ଷାକୁ ମଧ୍ୟ ଜାରି ରଖିଛନ୍ତି। ଆସାରାମଙ୍କୁ ଚିକିତ୍ସା ପାଇଁ ୨୦ ଦିନର ମେଡିକାଲ ପାରୋଲ ମିଳିଥିଲା। ତେବେ ପାରୋଲ ସମୟ ଶେଷ ହେବା ପରେ ନିର୍ଦ୍ଧାରିତ ସମୟରେ ଜେଲ୍କୁ ଫେରି ଆତ୍ମସମର୍ପଣ କରିବାରେ ବିଳମ୍ୱ ହୋଇଥିବା ଅଭିଯୋଗ ରହିଛି। ଅଗଷ୍ଟ ୩, ୨୦୨୬ରେ ରାଜସ୍ଥାନ ହାଇକୋର୍ଟ ଆସାରାମଙ୍କୁ ୨୦ ଦିନର ପାରୋଲ ମଞ୍ଜୁର କରିଥିଲେ। ଅକ୍ଟୋବର ୮, ୨୦୨୬ରେ ସେ ଜେଲରୁ ମୁକ୍ତ ହୋଇଥିଲେ। ଅକ୍ଟୋବର ୨୭, ୨୦୨୬ସନ୍ଧ୍ୟା ୫ଟା ସୁଦ୍ଧା ଯୋଧପୁର କେନ୍ଦ୍ରୀୟ ଜେଲ୍ରେ ଆତ୍ମସମର୍ପଣ କରିବାର ନିର୍ଦ୍ଧାରିତ ସମୟ ଥିଲା। ଆସାରାମଙ୍କ ପକ୍ଷରୁ ତର୍କ ରଖାଯାଇଛି ଯେ, ସେ ଚାର୍ଟର ବିମାନରେ ଯାତ୍ରା କରୁଥିଲେ। କିନ୍ତୁ ବିମାନ ଉଡ଼ାଣ ପାଇଁ ଆବଶ୍ୟକ କ୍ଲିୟରାନ୍ସ ମିଳିବାରେ ବିଳମ୍ୱ ହୋଇଥିବାରୁ ସେ ନିର୍ଦ୍ଧାରିତ ସମୟରେ ଜେଲ୍ରେ ପହଞ୍ଚି ପାରିନଥିଲେ। ତାଙ୍କ ଦାବି ଅନୁଯାୟୀ, ୨୭ ଅକ୍ଟୋବର ରାତି ପ୍ରାୟ ୧୦ଟା ୪୦ ମିନିଟ୍ରେ ସେ ଜେଲ୍ ସୁପରିଣ୍ଟେଣ୍ଡେଣ୍ଟଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ, କିନ୍ତୁ ତାଙ୍କୁ ଆତ୍ମସମର୍ପଣ କରିବାକୁ ଅନୁମତି ମିଳିନଥିଲା। ରାତିରେ ଜେଲ୍ରେ ପହଞ୍ଚିବା ପରେ ତାଙ୍କୁ ଜେଲ୍ରେ ଗ୍ରହଣ କରାଯାଇନଥିଲା। ପରେ ହସ୍ପିଟାଲରେ ରାତି କଟାଇ ସେ ଅକ୍ଟୋବର ୨୮ ସକାଳେ ଯୋଧପୁର କେନ୍ଦ୍ରୀୟ ଜେଲ୍ରେ ଆତ୍ମସମର୍ପଣ କରିଥିଲେ। ୨୮ ଅକ୍ଟୋବରରେ ଯୋଧପୁରର ରତନାଡା ପୋଲିସ ଷ୍ଟେସନରେ ଆସାରାମଙ୍କ ବିରୋଧରେ FIR ରୁଜୁ ହୋଇଥିଲା। ପାରୋଲ ସମୟ ସରିବା ପରେ ନିର୍ଦ୍ଧାରିତ ସମୟରେ ଆତ୍ମସମର୍ପଣ ନକରିବା ଅଭିଯୋଗରେ ଏହି ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ପ୍ରିଜନ୍ସ ଆକ୍ଟର ଧାରା ୫୮-ବି ଏବଂ ରାଜସ୍ଥାନ ପ୍ରିଜନ୍ସ ଆମେଣ୍ଡମେଣ୍ଟ ଆକ୍ଟ, ୨୦୧୫ର ବ୍ୟବସ୍ଥା ଲାଗୁ ହୋଇଛି। ପାରୋଲରେ ମୁକ୍ତ ହୋଇଥିବା କଏଦୀ ନିର୍ଦ୍ଧାରିତ ସମୟରେ ଆତ୍ମସମର୍ପଣ ନକଲେ ଏହି ଆଇନ ଅନୁଯାୟୀ ଆଇନଗତ କାର୍ଯ୍ୟାନୁଷ୍ଠାନ ହୋଇପାରେ। ଏହି FIRକୁ ଖାରଜ କରିବା ପାଇଁ ଆସାରାମ ହାଇକୋର୍ଟରେ ଆବେଦନ କରିଛନ୍ତି। ନଭେମ୍ୱର ୨୦ରେ ଜଷ୍ଟିସ୍ ସୁନୀଲ ବେନିୱାଲ ଆସାରାମଙ୍କ FIR ଖାରଜ ଆବେଦନର ଶୁଣାଣି କରି ତାଙ୍କୁ ଅନ୍ତରୀଣ ଗିରଫଦାରୀ ସୁରକ୍ଷା ପ୍ରଦାନ କରିଥିଲେ। ମାମଲାରେ ଆସାରାମଙ୍କ ଆତ୍ମସମର୍ପଣ ବିଳମ୍ୱର ପ୍ରକୃତ କାରଣ, ସେ କେତେବେଳେ ଜେଲ୍ରେ ପହଞ୍ଚିଥିଲେ ଏବଂ ସେହି ସମୟରେ କ'ଣ ଘଟିଥିଲା, ସେ ସମ୍ପର୍କରେ ତଥ୍ୟ ଦେବାକୁ ରାଜ୍ୟ ପକ୍ଷକୁ କୋର୍ଟ ସମୟ ଦେଇଥିଲେ। ଆଜିର ଶୁଣାଣିରେ ଆସାରାମଙ୍କ ପକ୍ଷରୁ ଆତ୍ମସମର୍ପଣରେ ବିଳମ୍ୱର କାରଣ ଦର୍ଶାଇବା ପାଇଁ ଫଟୋ, ଭିଡିଓ, ବିମାନ ଟିକେଟ୍ ଓ ଅନ୍ୟାନ୍ୟ ପ୍ରମାଣ ଦାଖଲ କରିବାକୁ ହାଇକୋର୍ଟ ଅନୁମତି ଦେଇଛନ୍ତି। ଏହା ସହ FIR ମାମଲାରେ ତାଙ୍କୁ ମିଳିଥିବା ଅନ୍ତରୀଣ ଗିରଫଦାରୀ ସୁରକ୍ଷାକୁ ହାଇକୋର୍ଟ ଜାରି ରଖିଛନ୍ତି। ବିବାଦୀୟ ଧର୍ମଗୁରୁ ଆସାରାମ ବାପୁ ଏବେ ମଧ୍ୟ ଜେଲ୍ରେ ଅଛନ୍ତି। ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆସାରାମଙ୍କ ଦଣ୍ଡକୁ ୨୦୨୬ ମେ' ୨୭ରେ ରାଜସ୍ଥାନ ହାଇକୋର୍ଟ ବଜାୟ ରଖିଥିଲେ। ଏହା ପରେ ଦଣ୍ଡକୁ ଚ୍ୟାଲେଞ୍ଜ କରି ସେ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ଏବେ ତାଙ୍କ ଦୁଷ୍କର୍ମ ମାମଲାର ଅପିଲ୍ ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି। ଆସାରାମ ୨୦୧୩ରେ ଯୋଧପୁର ଆଶ୍ରମରେ ଜଣେ ନାବାଳିକାଙ୍କୁ ଯୌନ ଶୋଷଣ କରିଥିବା ମାମଲାରେ ଗିରଫ ହୋଇଥିଲେ। ଦୀର୍ଘ ଆଇନଗତ ପ୍ରକ୍ରିୟା ପରେ ୨୦୧୮ ଏପ୍ରିଲ୍ ୨୫ରେ ଯୋଧପୁରର ସ୍ୱତନ୍ତ୍ର POCSO କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ଦେଇଥିଲେ। ଏହି ମାମଲାରେ ଅଭିଯୋଗ ଥିଲା ଯେ, ଆଶ୍ରମରେ ଆଧ୍ୟାତ୍ମିକ ପରାମର୍ଶ ଓ ଚିକିତ୍ସାର ଆଳରେ ନାବାଳିକାଙ୍କୁ ଯୌନ ଶୋଷଣ କରାଯାଇଥିଲା। ମାମଲାର ତଦନ୍ତ ପରେ ପୋଲିସ ଚାର୍ଜସିଟ୍ ଦାଖଲ କରିଥିଲା ଏବଂ ଟ୍ରାଏଲ୍ ପରେ ତାଙ୍କୁ ଦଣ୍ଡିତ କରାଯାଇଥିଲା। ରାଜସ୍ଥାନ ହାଇକୋର୍ଟ ଗ୍ୟାଙ୍ଗରେପ୍ ସମ୍ପର୍କିତ ଧାରା ୩୭୬D ଏବଂ କିଛି POCSO ଧାରାରେ ଦୋଷସିଦ୍ଧିକୁ ଖାରଜ କରିଥିଲେ। କିନ୍ତୁ IPC ଧାରା ୩୭୬ ଅନୁଯାୟୀ ଦୁଷ୍କର୍ମ ମାମଲାରେ ଦୋଷସିଦ୍ଧି ଓ ଆଜୀବନ କାରାଦଣ୍ଡକୁ ବଜାୟ ରଖିଥିଲେ। ଅର୍ଥାତ୍ କିଛି ଧାରାରୁ ଆଶ୍ୱସ୍ତି ମିଳିଥିଲେ ମଧ୍ୟ ତାଙ୍କର ଆଜୀବନ କାରାଦଣ୍ଡ ରଦ୍ଦ ହୋଇନାହିଁ। ସୁପ୍ରିମକୋର୍ଟ ତାଙ୍କ ମାମଲାର ରେକର୍ଡ ରାଜସ୍ଥାନ ହାଇକୋର୍ଟରୁ ମଗାଇଛନ୍ତି। ମାମଲାର ବିସ୍ତୃତ ରେକର୍ଡ, ଡକ୍ୟୁମେଣ୍ଟ ଓ ଅନ୍ୟାନ୍ୟ କାଗଜପତ୍ର ପ୍ରସ୍ତୁତ କରି ପଠାଇବାକୁ ଅଧିକ ସମୟ ମିଳିଥିବାରୁ ତାଙ୍କ ଅପିଲ୍ର ଶୁଣାଣି ଆଗକୁ ଘୁଞ୍ଚିଛି। ସୁପ୍ରିମକୋର୍ଟରେ ପରବର୍ତ୍ତୀ ଶୁଣାଣୀ ଜାନୁଆରୀ ୧୯,୨୦୨୭କୁ ଧାର୍ଯ୍ୟ ହୋଇଛି। ଆସାରାମ କେବଳ ରାଜସ୍ଥାନ ଯୋଧପୁର ମାମଲାରେ ନୁହେଁ, ଗୁଜରାଟର ଗାନ୍ଧୀନଗର ମାମଲାରେ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ୨୦୨୩ରେ ଗାନ୍ଧୀନଗର କୋର୍ଟ ଜଣେ ଶିଷ୍ୟାଙ୍କୁ ଦୁଷ୍କର୍ମ ମାମଲାରେ ତାଙ୍କୁ ଆଜୀବନ କାରାଦଣ୍ଡ ଦେଇଥିଲେ। ଏହି ମାମଲାରେ ମଧ୍ୟ ତାଙ୍କ ଅପିଲ୍ ଗୁଜରାଟ ହାଇକୋର୍ଟରେ ବିଚାରାଧୀନ ରହିଛି।
