Disregard To Merit In Judicial:ବିଚାରପତି ନିଯୁକ୍ତି ଓ ବଦଳିରେ ଭେଦଭାବ!
କଲେଜିୟମ ସୁପାରିଶରେ ବି ଯୋଗ୍ୟତାକୁ ଅଣଦେଖା କରାଯାଉଛି। ଆଉ ଏହା ବଦଳରେ ନିର୍ଦ୍ଦିଷ୍ଟ ବର୍ଗକୁ ଦିଆଯାଉଛି ପ୍ରାଥମିକତା। ଭାରତୀୟ ନ୍ୟାୟପାଳିକାରେ ବିଚାରପତି ନିଯୁକ୍ତି ଓ ପଦୋନ୍ନତିକୁ ନେଇ ଜଷ୍ଟିସ ଗଭାଇଙ୍କ ଚିଠି ପରେ ପୁଣି ଥରେ ବଡ଼ ବିବାଦ ସୃଷ୍ଟି ହୋଇଛି।

ନିର୍ଦ୍ଦିଷ୍ଟ ବର୍ଗକୁ ଦିଆଯାଇଛି ପ୍ରାଥମିକତା। ଗଲା ୯ ବର୍ଷରେ ୭୫ ପ୍ରତିଶତ ବିଚାରପତି ସାଧାରଣବର୍ଗରୁ। କଲେଜିୟମ ସୁପାରିଶରେ ଖାସ୍ ବର୍ଗକୁ ଅଧିକ ମହତ୍ତ୍ୱ ଦିଆଯାଉଛି। ବିଚାରପତି ନିଯୁକ୍ତିରେ ଏସସି-ଏସଟିଙ୍କୁ ଅଣଦେଖା। ମହିଳା, ଓବିସି ଓ ସଂଖ୍ୟାଲଘୁଙ୍କୁ ଉପଯୁକ୍ତ ପ୍ରତିନିଧିତ୍ୱ ସୁନିଶ୍ଚିତ ଲାଗି ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡ଼ିଲେ। ଯେଉଁ ବିଚାରପତିଙ୍କୁ ବଦଳି ଦଣ୍ଡ ମିଳିଥିଲା, ସେମାନଙ୍କୁ ଏବେ ପୁରଷ୍କାର ଦିଆଯାଉଛି। ମହାମହିମ ରାଷ୍ଟ୍ରପତିଙ୍କୁ ତିନି ପୃଷ୍ଠାର ଚିଠି ଲେଖି ଏଭଳି ଅସନ୍ତୋଷ ବ୍ୟକ୍ତ କଲେ ପୂର୍ବତନ ସିଜେଆଇ ଜଷ୍ଟିସ ବିଆର ଗଭାଇ। ସୁପ୍ରିମକୋର୍ଟ ଓ ହାଇକୋର୍ଟରେ ବିଚାରପତି ନିଯୁକ୍ତିକୁ ନେଇ ଉଠାଇଲେ ପ୍ରଶ୍ନ। ସୁପ୍ରିମକୋର୍ଟ ଓ ହାଇକୋର୍ଟରେ ବିଚାରପତି ନିଯୁକ୍ତି ଓ ବଦଳିରେ ଏସସି,ଏସଟି, ଓବିସି,ସଂଖ୍ୟାଲଘୁ ଓ ମହିଳାଙ୍କୁ ପର୍ଯ୍ୟାପ୍ତ ପ୍ରତିନିଧିତ୍ୱ ମିଳୁନି। କଲେଜିୟମ ସୁପାରିଶରେ ବି ଯୋଗ୍ୟତାକୁ ଅଣଦେଖା କରାଯାଉଛି। ଆଉ ଏହା ବଦଳରେ ନିର୍ଦ୍ଦିଷ୍ଟ ବର୍ଗକୁ ଦିଆଯାଉଛି ପ୍ରାଥମିକତା। ଭାରତୀୟ ନ୍ୟାୟପାଳିକାରେ ବିଚାରପତି ନିଯୁକ୍ତି ଓ ପଦୋନ୍ନତିକୁ ନେଇ ଜଷ୍ଟିସ ଗଭାଇଙ୍କ ଚିଠି ପରେ ପୁଣି ଥରେ ବଡ଼ ବିବାଦ ସୃଷ୍ଟି ହୋଇଛି। କଲେଜିୟମ୍ ବ୍ୟବସ୍ଥାରେ ଗୋଟିଏ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟକୁ ଅଧିକ ପ୍ରାଧାନ୍ୟ ଦିଆଯାଉଥିବା ଏବଂ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, OBC, ସଂଖ୍ୟାଲଘୁ ଓ ମହିଳାଙ୍କ ପ୍ରତିନିଧିତ୍ୱ ଯଥେଷ୍ଟ ନଥିବା ନେଇ ଚିନ୍ତା ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ବି.ଆର. ଗଭାଇ। ଏହି ଚିଠିର ନକଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆଇନ ଏବଂ ନ୍ୟାୟ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲଙ୍କୁ ମଧ୍ୟ ପଠାଯାଇଛି। ନିଜ ଚିଠିରେ ବି.ଆର. ଗଭାଇ ବିଚାରପତି ନିଯୁକ୍ତିରେ ମେରିଟ୍, ବିବିଧତା ଓ ସମାବେଶୀକରଣକୁ ଅଣଦେଖା କରାଯାଉଥିବା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ତାଙ୍କ ଅଭିଯୋଗ ଅନୁସାରେ, ନ୍ୟାୟପାଳିକାରେ ଗୋଟିଏ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ପ୍ରାର୍ଥୀଙ୍କୁ ଅଧିକ ପ୍ରାଧାନ୍ୟ ଦିଆଯାଉଥିବା ବେଳେ ଅନ୍ୟ ସମ୍ପ୍ରଦାୟ ଓ ସମାଜର ପଛୁଆ ବର୍ଗଙ୍କୁ ଯଥେଷ୍ଟ ସୁଯୋଗ ମିଳୁନାହିଁ। ଭାରତର ଜନସଂଖ୍ୟାର ୫ ପ୍ରତିଶତରୁ କମ୍ ଥିବା ଏକ ସମ୍ପ୍ରଦାୟ ସୁପ୍ରିମକୋର୍ଟରେ ୪୦ ପ୍ରତିଶତରୁ ଅଧିକ ପ୍ରତିନିଧିତ୍ୱ ରଖିଥିବା କଥା ସେ ଚିଠିରେ ଉଲ୍ଲେଖ କରିଛନ୍ତି। ବିଚାରପତି ନିଯୁକ୍ତିରେ ପଛୁଆ ଓ ବଞ୍ଚିତ ବର୍ଗଙ୍କ ପ୍ରତିନିଧିତ୍ୱର ଅଭାବକୁ ଦର୍ଶାଇବା ପାଇଁ ଗଭାଇ ସରକାରୀ ତଥ୍ୟର ଉଦାହରଣ ଦେଇଛନ୍ତି। ୨୦୧୮ ପରଠାରୁ ହାଇକୋର୍ଟରେ ନିଯୁକ୍ତ ହୋଇଥିବା ୭୧୫ ଜଣ ବିଚାରପତିଙ୍କ ମଧ୍ୟରେ ଅନୁସୂଚିତ ଜାତିରୁ ୨୨, ଅନୁସୂଚିତ ଜନଜାତିରୁ ୧୬, ଓବିସିରୁ ୮୯ ଓ ସଂଖ୍ୟାଲଘୁ ବର୍ଗରୁ ୩୭ ଜଣ ନିଯୁକ୍ତି ପାଇଛନ୍ତି। ଏହି ତଥ୍ୟ ଉଚ୍ଚ ନ୍ୟାୟପାଳିକାରେ ସାମାଜିକ ପ୍ରତିନିଧିତ୍ୱର ଅସନ୍ତୁଳନକୁ ଦର୍ଶାଉଥିବା ସେ ଯୁକ୍ତି ରଖିଛନ୍ତି। ଏହା ସହିତ ସାମ୍ୱିଧାନିକ ଅଦାଲତଗୁଡ଼ିକରେ ପ୍ରାୟ ତିନି-ଚତୁର୍ଥାଂଶ ବିଚାରପତି ସାଧାରଣ ବର୍ଗରୁ ଆସିଥିବା ତଥ୍ୟକୁ ମଧ୍ୟ ସେ ଉଲ୍ଲେଖ କରିଥିବା ଜଣାପଡ଼ିଛି। କିଛି ବିଚାରପତିଙ୍କ ସ୍ଥାନାନ୍ତର ଏବଂ ପରବର୍ତ୍ତୀ ସମୟରେ ବଡ଼ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତିକୁ ନେଇ ମଧ୍ୟ ଚିନ୍ତା ପ୍ରକାଶ କରିଛନ୍ତି। ଚିଠିରେ କିଛି ବିଚାରପତିଙ୍କୁ ଦଣ୍ଡସ୍ୱରୂପ ପୂର୍ବରୁ ଛୋଟ ହାଇକୋର୍ଟକୁ ସ୍ଥାନାନ୍ତର କରାଯାଇଥିବା ଏବଂ ପରେ ସେମାନଙ୍କୁ ବଡ଼ ହାଇକୋର୍ଟର ମୁଖ୍ୟ ବିଚାରପତି ପଦ ପାଇଁ ସୁପାରିସ କରାଯାଇଥିବା ଘଟଣା ଉପରେ ସେ ପ୍ରଶ୍ନ ଉଠାଇଥିବା କୁହାଯାଇଛି। ଏଭଳି ନିଷ୍ପତ୍ତି କେବଳ ଯୋଗ୍ୟତା ଆଧାରରେ ନିଆଯାଉଛି କି ଅନ୍ୟ କୌଣସି ପ୍ରଭାବ, ସମ୍ପ୍ରଦାୟ ଆଧାରିତ ବିଚାର ଏଥିରେ ରହିଛି, ସେ ନେଇ ଗଭାଇ ପ୍ରଶ୍ନ ଉଠାଇଛନ୍ତି। ବି.ଆର. ଗଭାଇ ସମ୍ୱିଧାନର ଅନୁଚ୍ଛେଦ ୧୨୪(୨)ର ଉଲ୍ଲେଖ କରିଥିବା ରିପୋର୍ଟରେ କୁହାଯାଇଛି। ଏହି ଅନୁଚ୍ଛେଦ ସୁପ୍ରିମକୋର୍ଟର ବିଚାରପତିଙ୍କ ନିଯୁକ୍ତି ସହ ସମ୍ପର୍କିତ। କଲେଜିୟମ୍ ବ୍ୟବସ୍ଥା ନ୍ୟାୟିକ ବ୍ୟାଖ୍ୟା ମାଧ୍ୟମରେ ବିଚାରପତି ନିଯୁକ୍ତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଥିଲେ ମଧ୍ୟ ଏହାର ଅର୍ଥ ନୁହେଁ ଯେ କଲେଜିୟମ୍ ଉତ୍ତରଦାୟିତ୍ୱରୁ ମୁକ୍ତ କିମ୍ୱା ରାଷ୍ଟ୍ରପତି ଓ ଅନ୍ୟ ସାମ୍ୱିଧାନିକ କର୍ତ୍ତୃପକ୍ଷଙ୍କର କୌଣସି ଦାୟିତ୍ୱ ନାହିଁ। ନ୍ୟାୟପାଳିକାରେ ସମାନ ପ୍ରତିନିଧିତ୍ୱ, ବିବିଧତା ଓ ସମାବେଶୀକରଣ ସୁନିଶ୍ଚିତ କରିବା ପାଇଁ ସମସ୍ତ ସାମ୍ୱିଧାନିକ ପକ୍ଷ ନିଜ ଦାୟିତ୍ୱ ପାଳନ କରିବା ଉଚିତ୍ ବୋଲି ରାଷ୍ଟ୍ରପତିଙ୍କୁ ଉଚିତ୍ ପଦକ୍ଷେପ ନେବାକୁ ସେ ଅନୁରୋଧ କରିଛନ୍ତି। ଜଷ୍ଟିସ ବି.ଆର. ଗଭାଇଙ୍କ ଏହି ଚିଠି ପରେ ନ୍ୟାୟପାଳିକାରେ ବିଚାରପତି ନିଯୁକ୍ତି, କଲେଜିୟମ୍ ବ୍ୟବସ୍ଥାର ସ୍ୱଚ୍ଛତା, ଯୋଗ୍ୟତା, ସାମାଜିକ ପ୍ରତିନିଧିତ୍ୱ ଏବଂ ଉତ୍ତରଦାୟିତ୍ୱକୁ ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି।
