ଭାରତରେ ଦୁର୍ବଳ ମୌସୁମୀ ବର୍ଷାର ଆଶଙ୍କା
୨୦୦୯ ପରେ ଚଳିତ ବର୍ଷର ମୌସୁମୀ ଋତୁ ସବୁଠାରୁ ଦୁର୍ବଳ ହୋଇପାରେ । ଜୁନ୍–ସେପ୍ଟେମ୍ବର ବର୍ଷା ଦୀର୍ଘମିଆଦି ହାରଠାରୁ ପ୍ରାୟ ୧୫% କମ୍ ରହିବା ଆଶଙ୍କା ରହିଛି । El Niño ପ୍ରଭାବ ଯୋଗୁଁ କୃଷି ଓ ଖାଦ୍ୟ ଦର ଉପରେ ପ୍ରଭାବ ପଡ଼ିପାରେ ।
ନୂଆଦିଲ୍ଲୀ: ଚଳିତ ବର୍ଷ ଭାରତରେ ମୌସୁମୀ ବର୍ଷାକୁ ନେଇ ବଢ଼ିଲା ଚିନ୍ତା । ୨୦୦୯ ପରଠାରୁ ୨୦୨୬ର ମୌସୁମୀ ଋତୁ ସବୁଠାରୁ ଦୁର୍ବଳ ହୋଇପାରେ ବୋଲି ରିପୋର୍ଟ ସାମ୍ନାକୁ ଆସିଛି । ଜୁନ୍ରୁ ସେପ୍ଟେମ୍ବର ମଧ୍ୟରେ ଦେଶରେ ସାମଗ୍ରିକ ବର୍ଷା ଦୀର୍ଘମିଆଦି ହାରଠାରୁ ପ୍ରାୟ ୧୫ ପ୍ରତିଶତ କମ୍ ରହିପାରେ ।
ମୌସୁମୀ ବର୍ଷାର ଏଭଳି ଅଭାବ ସିଧାସଳଖ ଭାବେ କୃଷି ଉତ୍ପାଦନ ଉପରେ ପ୍ରଭାବ ପକାଇପାରେ । ବିଶେଷକରି ଧାନ, ଡାଲି, କପା, ସୋୟାବିନ୍ ଭଳି ଖରିଫ୍ ଫସଲ ପାଇଁ ବର୍ଷା ଗୁରୁତ୍ୱପୂର୍ଣ୍ଣ । ବର୍ଷା ଅଭାବ ଯୋଗୁଁ ଚାଷ ଉତ୍ପାଦନ କମିଲେ ଆଗାମୀ ଦିନରେ ଖାଦ୍ୟଦ୍ରବ୍ୟର ଦର ବଢ଼ିବାର ଆଶଙ୍କା ମଧ୍ୟ ରହିଛି । ଏହା ସହ ଗ୍ରାମୀଣ ଅର୍ଥନୀତି ଓ ଚାଷୀଙ୍କ ଆୟ ଉପରେ ପ୍ରଭାବ ପଡ଼ିପାରେ । ଏହି ପରିସ୍ଥିତି ପଛରେ ବିକଶିତ ହେଉଥିବା El Niño ପ୍ରଭାବକୁ ମୁଖ୍ୟ କାରଣ ଭାବେ ଦେଖାଯାଉଛି । ଭାରତୀୟ ମୌସୁମୀ ବ୍ୟବସ୍ଥା ଉପରେ El Niñoର ପ୍ରଭାବ ସାଧାରଣତଃ ବର୍ଷାକୁ ଦୁର୍ବଳ କରିପାରେ ।
ଚଳିତ ବର୍ଷର ମୌସୁମୀ ଋତୁ ଆରମ୍ଭରୁ ହିଁ IMD ଦୁର୍ବଳ ବର୍ଷାର ଆଶଙ୍କା ପ୍ରକାଶ କରିଥିଲା । ସେପଟେ ଜୁନ୍ ୧ରୁ ଅଗଷ୍ଟ ମଧ୍ୟଭାଗ ପର୍ଯ୍ୟନ୍ତ ଦେଶର ସାମଗ୍ରିକ ବର୍ଷା ସାଧାରଣଠାରୁ ପ୍ରାୟ ୧୩–୧୪ ପ୍ରତିଶତ କମ୍ ରହିଛି । ଆଗାମୀ ସେପ୍ଟେମ୍ବରରେ ମଧ୍ୟ ବର୍ଷା ଅଭାବ ଆହୁରି ବଢ଼ିପାରେ ବୋଲି ରିପୋର୍ଟରେ କୁହାଯାଇଛି ।ମୌସୁମୀ ବର୍ଷା ଭାରତର ବାର୍ଷିକ ବର୍ଷାର ପ୍ରାୟ ୭୦ ପ୍ରତିଶତ ଯୋଗାଇଥାଏ । ତେଣୁ ବର୍ଷାରେ ବଡ଼ ଧରଣର ଅଭାବ ଦେଖାଦେଲେ ଚାଷ ସହ ଜଳସମ୍ପଦ, ଖାଦ୍ୟ ଯୋଗାଣ ଓ ଗ୍ରାମୀଣ ଅର୍ଥନୀତି ଉପରେ ଏହାର ପ୍ରଭାବ ପଡ଼ିବାର ଆଶଙ୍କା ରହିଛି ।
