ଭାରତରେ ବିଦେଶୀ ଅନୁଦାନ ଆଇନରେ ବଡ଼ ପରିବର୍ତ୍ତନ
ଭାରତରେ ବିଦେଶୀ ଅନୁଦାନ ଆଇନରେ ପରିବର୍ତ୍ତନ ପ୍ରସ୍ତାବ। ବିଦେଶୀ ଅନୁଦାନ ନିୟମରେ ପ୍ରସ୍ତାବିତ ପରିବର୍ତ୍ତନକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହା ଉପରେ NGO ଓ ବିଭିନ୍ନ ସଂଗଠନର ପ୍ରଭାବ ନେଇ ଆଲୋଚନା ଚାଲିଛି ।
ନୂଆଦିଲ୍ଲୀ: ବିଦେଶୀ ଅନୁଦାନ ଗ୍ରହଣ କରୁଥିବା NGO ଓ ଅନ୍ୟାନ୍ୟ ସଂଗଠନ ପାଇଁ ନିୟମ ଆହୁରି କଡ଼ା କରିବାକୁ ପ୍ରସ୍ତାବ ରଖିଛି କେନ୍ଦ୍ର ସରକାର । Foreign Contribution (Regulation) Amendment Bill, 2026 ଲୋକସଭାରେ ଉପସ୍ଥାପିତ ହେବା ପରେ ଏହାକୁ ନେଇ ରାଜନୈତିକ ଓ ସାମାଜିକ ମହଲରେ ଚର୍ଚ୍ଚା ଜୋର ଧରିଛି । ବର୍ତ୍ତମାନ ବିଲ୍ଟି Joint Parliamentary Committeeର ବିଚାରାଧୀନ ରହିଛି । ପ୍ରସ୍ତାବିତ ବ୍ୟବସ୍ଥାରେ FCRA ପଞ୍ଜୀକରଣ ଶେଷ ହୋଇଯାଇଥିବା, ବାତିଲ ହୋଇଥିବା କିମ୍ବା ନବୀକରଣ ହୋଇନଥିବା ସଂଗଠନର ବିଦେଶୀ ଅନୁଦାନ ଓ ସେହି ଅର୍ଥରେ ସୃଷ୍ଟି ହୋଇଥିବା ସମ୍ପତ୍ତିର ପରିଚାଳନା ପାଇଁ ଏକ Designated Authority ବ୍ୟବସ୍ଥା କରାଯିବାକୁ ପ୍ରସ୍ତାବ ରହିଛି । ଧାର୍ମିକ ସ୍ଥାନ ସମ୍ପର୍କିତ ସମ୍ପତ୍ତି ହେଲେ ଏହାର ଧାର୍ମିକ ଚରିତ୍ର ବଜାୟ ରଖିବାକୁ ବିଲ୍ରେ ବ୍ୟବସ୍ଥା ରହିଛି । ଏହା ସହ ଜୁନ୍ ୨୨ରୁ ଲାଗୁ ହୋଇଥିବା ନୂଆ FCRA Rulesରେ ମଧ୍ୟ ଅନେକ ପରିବର୍ତ୍ତନ ହୋଇଛି । NGOଗୁଡ଼ିକୁ ବିଦେଶୀ ଅନୁଦାନ କେଉଁ ନିର୍ଦ୍ଦିଷ୍ଟ କାମ ଓ କେଉଁ ରାଜ୍ୟରେ ବ୍ୟବହାର କରିବେ, ସେନେଇ ଅଧିକ ସ୍ପଷ୍ଟ ତଥ୍ୟ ଦେବାକୁ ପଡ଼ିବ । ନବୀକରଣ ସମୟରେ ପୂର୍ବରୁ ମିଳିଥିବା ଅନୁଦାନରୁ ଅତିକମରେ ୧୦ ଲକ୍ଷ ଟଙ୍କା ବ୍ୟବହାର କରିଥିବାର ପ୍ରମାଣ ମଧ୍ୟ ଦେବାକୁ ପଡ଼ିବ । ନୂଆ ନିୟମରେ ବାର୍ଷିକ ରିଟର୍ଣ୍ଣରେ ପ୍ରକଳ୍ପ ଓ କାର୍ଯ୍ୟକ୍ରମ ଅନୁସାରେ ଅର୍ଥ ବ୍ୟବହାରର ବିବରଣୀ, ସଂଗଠନର ୱେବସାଇଟ୍ ଓ ସୋସିଆଲ ମିଡିଆ ସମ୍ପର୍କିତ ତଥ୍ୟ ଏବଂ ବିଦେଶୀ ଦାତାଙ୍କ ବିବରଣୀ ଦେବାକୁ ମଧ୍ୟ କୁହାଯାଇଛି । କେନ୍ଦ୍ର ସରକାରଙ୍କ ଯୁକ୍ତି ହେଉଛି, ବିଦେଶୀ ଅନୁଦାନରେ ଅଧିକ ସ୍ୱଚ୍ଛତା, ଜବାବଦେହିତା ଓ ନିୟମିତ ନଜରଦାରି ସୁନିଶ୍ଚିତ କରିବା ଏହି ପରିବର୍ତ୍ତନର ଉଦ୍ଦେଶ୍ୟ ।
ଅନ୍ୟପଟେ, କିଛି NGO, ଚର୍ଚ୍ଚ ସଂଗଠନ ଓ ବିରୋଧୀ ଦଳ ପ୍ରସ୍ତାବିତ ବ୍ୟବସ୍ଥାକୁ ନେଇ ଆପତ୍ତି ଉଠାଇଛନ୍ତି । ବିଶେଷକରି FCRA ପଞ୍ଜୀକରଣ ହରାଇଥିବା ସଂଗଠନର ସମ୍ପତ୍ତି ଉପରେ ସରକାରୀ ନିୟନ୍ତ୍ରଣ ବଢ଼ିବା ନେଇ ଚିନ୍ତା ପ୍ରକାଶ ପାଇଛି । ଏବେ ସମସ୍ତଙ୍କ ନଜର Joint Parliamentary Committeeର ପରବର୍ତ୍ତୀ ପ୍ରକ୍ରିୟା ଉପରେ । କମିଟିର ସୁପାରିସ ପରେ ବିଲ୍ର ଭବିଷ୍ୟତ ଦିଗ ସ୍ପଷ୍ଟ ହେବ ।
