ଦୂରଦର୍ଶନର ଏହି ସୋ- ୫୯ ବର୍ଷ ଧରି ଚାଲିଛି ଟେଲିକାଷ୍ଟ
ଏତେ ଲମ୍ୱା ସମୟ ଧରି ପ୍ରସାରଣ ହୋଇଥିବାରୁ ଲିମକା ବୁକ୍ ଅଫ ରେକର୍ଡସରେ ଏହାର ନାଁ ସାମିଲ୍ ହୋଇଛି। ସମୟ ବଦଳିବା ସହ କାର୍ଯ୍ୟକ୍ରମର ଅନ୍ଦାଜ ଓ ଏଥିରେ ଥିବା ବିଷୟକୁ ପରିବର୍ତ୍ତନ କରାଯାଇଛି। ହେଲେ ଏହାର ମୂଳ ଉଦ୍ଦେଶ୍ୟ ଆଜି ବି ଅତୁଟ ରହିଛି।

ଦିନ ଥିଲା, ମନୋରଞ୍ଜନ କହିଲେ କେବଳ ଦୂରଦର୍ଶନକୁ ବୁଝାଏ। କାରଣ ସେତେବେଳେ ଆଉ କୌଣସି ମାଧ୍ୟମ ନଥିଲା। ଲୋକେ ଚାତକ ଭଳି ଚାହିଁ ବସୁଥିଲେ ସେ ସବୁ କାର୍ଯ୍ୟକ୍ରମ ଦେଖିବାକୁ। ରାମାୟଣ, ମହାଭାରତ ଓ ଚିତ୍ରହାର ଭଳି କାର୍ଯ୍ୟକ୍ରମ ଦର୍ଶକଙ୍କ ଭିତରେ ବିଶେଷ ସ୍ଥାନ ତିଆରି କରିଥିଲା। ତେବେ ୫୯ ବର୍ଷ ଧରି ସେବେଠୁ ଏମିତି ଏକ କାର୍ଯ୍ୟକ୍ରମ ଚାଲିଛି। ଯାହା ଆଜି ଯାଏ ଲଗାତାର ପ୍ରସାରିତ ହୋଇଚାଲିଛି। ଏପରିକି ରାମାୟଣ ଓ ମହାଭାରତ ପୂର୍ବରୁ ବି ଏହା ଆରମ୍ଭ ହୋଇଥିଲା। ଆଉ ଏହି ସୋ ଏବେ ୧୬ହଜାରରୁ ଅଧିକ ଏପିସୋଡ୍ ସମ୍ପୂର୍ଣ୍ଣ କରିସାରିଲାଣି। ଆଉ ଭାରତୀୟ ଟେଲିଭିଜନ ଇତିହାସରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ଆଉ ଏହି ସୋର ନାଁ ହେଉଛି କୃଷିଦର୍ଶନ। ପ୍ରାୟ ୬ ଦଶନ୍ଧିରୁ ଏହି ପୁରୁଣା କାର୍ଯ୍ୟକ୍ରମ ଆଜି ଯାଏ ପ୍ରସାରିତ ଜାରି ରଖିଛି। କୃଷି ଦର୍ଶନର ଆରମ୍ଭ ଜାନୁଆରୀ ୨୬, ୧୯୬୭ରେ ଦୂରଦର୍ଶନରେ ହୋଇଥିଲା। ଚାଷୀଙ୍କୁ କୃଷି ବାବଦରେ ଜଡ଼ିତ ଉପଯୋଗୀ ତଥ୍ୟ ପହଞ୍ଚାଇବା ଉଦ୍ଦେଶ୍ୟରେ ଏହି ପ୍ରୋଗ୍ରାମ ଆରମ୍ଭ କରାଯାଇଥିଲା। ପ୍ରାରମ୍ଭରେ ଏହାର ପ୍ରସାରଣ ଦିଲ୍ଲୀ ଓ ଆଖପାଖରେ ଥିବା ୮୦ଟି ଗାଁର ଚାଷୀଙ୍କୁ ଧ୍ୟାନରେ ରଖି କରାଯାଇଥିଲା। ଏହା ପରେ ଧୀରେ ଧୀରେ ଏହାର ବ୍ୟାପକତା ଓ ପରିସୀମା ବଢ଼ିଲା। ମନୋରଞ୍ଜନରୁ ଅଲଗା ତଥ୍ୟ ଓ ସଚେତନତା ଆଧାରିତ ଏହି କାର୍ଯ୍ୟକ୍ରମ ଗ୍ରାମୀଣ ଦର୍ଶକଙ୍କ ଲାଗି ବେଶ୍ ଉପଯୋଗୀ ସାବ୍ୟସ୍ତ ହେଲା। କୃଷି ଦର୍ଶନ ଲମ୍ୱା ସମୟ ଧରି ଦୂରଦର୍ଶନର ମୁଖ୍ୟ ଚାନେଲରେ ପ୍ରସାରିତ ହୋଇଥିଲା।୨୦୧୫ରେ ଯେବେ ଡିଡି କିଷାନ ଆରମ୍ଭ ହେଲା। ସେବେଠୁ ସେହି ଚାନେଲରେ ଏହି କାର୍ଯ୍ୟକ୍ରମର ପ୍ରସାରଣକୁ ସ୍ଥାନାନ୍ତରିତ କରିଦିଆଗଲା। ଏବେ ଯାଏଁ କୃଷି ଦର୍ଶନର ୬୨ ସିଜିନ ସମ୍ପୂର୍ଣ୍ଣ ହୋଇସାରିଲାଣି। କୃଷି ଦର୍ଶନ ଏତେ ଲମ୍ୱା ସମୟ ଧରି ପ୍ରସାରଣ ହୋଇଥିବାରୁ ଏହା ଲିମକା ବୁକ୍ ଅଫ ରେକର୍ଡସରେ ଏହାର ନାଁ ସାମିଲ୍ ହୋଇଛି। ସମୟ ବଦଳିବା ସହ କାର୍ଯ୍ୟକ୍ରମର ଅନ୍ଦାଜ ଓ ଏଥିରେ ଥିବା ବିଷୟକୁ ପରିବର୍ତ୍ତନ କରାଯାଇଛି। ହେଲେ ଏହାର ମୂଳ ଉଦ୍ଦେଶ୍ୟ ଆଜି ବି ଅତୁଟ ରହିଛି। ଓଟିଟି ଓ ଡିଜିଟାଲ ମନୋରଞ୍ଜନ ଯୁଗରେ କୃଷି ଦର୍ଶନ ଆଜି ବି ଜାରି ରହିଛି। ଏଭଳି କାର୍ଯ୍ୟକ୍ରମ କେବଳ ମନୋରଞ୍ଜନର ଅଂଶ ହୋଇନଥାଏ। ବରଂ ସମାଜ ଓ ଲୋକଙ୍କ ଆବଶ୍ୟକତାକୁ ବି ପୂରଣ କରିବାରେ ସହାୟକ ସାଜିଛି।
