ନେପାଳରେ ଭୟଙ୍କର ଫ୍ଲାସ୍ ଫ୍ଲଡ୍: ୧୦୫ ଭାରତୀୟ ନିଖୋଜ
ନେପାଳରେ ଭୟଙ୍କର ବନ୍ୟା। କୋଶୀ ନଦୀରେ ହଠାତ୍ ବନ୍ୟାରେ ସମ୍ପୂର୍ଣ୍ଣ ଧୋଇ ଯାଇଛି ୫ଟି ଜିଲ୍ଲା। ୪୦୦ ରୁ ଅଧିକ ପର୍ଯ୍ୟଟକ ଓ ଯାତ୍ରୀ ନିଖୋଜ। ବିଦେଶୀଙ୍କ ମଧ୍ୟରେ ୧୦୫ ଜଣ ଭାରତୀୟ ଥିବା ସୂଚନା। ଉଦ୍ଧାର ଅଭିଯାନ ଆରମ୍ଭ ।
ଭାରତର ପଡ଼ୋଶୀ ଦେଶ ନେପାଳରେ ବୁଧବାର ସକାଳେ ହଠାତ୍ ଆସିଥିବା ଭୟଙ୍କର ଫ୍ଲାସ୍ ଫ୍ଲଡ୍ରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ତିବ୍ବତ ସୀମା ନିକଟ ରାସୁୱା ଜିଲ୍ଲା ଦେଇ ପ୍ରବାହିତ ଭୋଟେ କୋଶୀ ନଦୀରେ ହଠାତ୍ ଜଳସ୍ତର ବଢ଼ିବା ପରେ ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି। ନେପାଳ ପର୍ଯ୍ୟଟନ ବୋର୍ଡର ପ୍ରାଥମିକ ତଥ୍ୟ ଅନୁଯାୟୀ, ଏହି ବନ୍ୟାରେ ୪୦୦ ରୁ ଅଧିକ ଲୋକ ଭାସିଯାଇଥିବା ନେପାଳ ପର୍ଯ୍ୟଟନ ବୋର୍ଡ ପକ୍ଷରୁ ସୂଚନା ରହିଥିଵା ବେଳେ, ଏମାନଙ୍କ ମଧ୍ୟରେ ୧୦୫ ଜଣ ଭାରତୀୟ ରହିଛନ୍ତି। ନେପାଳ ପର୍ଯ୍ୟଟନ ବୋର୍ଡ ଅନୁସାରେ, ନିଖୋଜ ୪୦୦ ଜଣଙ୍କ ମଧ୍ୟରୁ ୨୯୧ ଜଣ ବିଦେଶୀ ଏବଂ ୯୩ ଜଣ ନେପାଳୀ ନାଗରିକ। ବିଦେଶୀଙ୍କ ମଧ୍ୟରେ ଭାରତୀୟଙ୍କ ସଂଖ୍ୟା ସର୍ବାଧିକ। ଏହାଛଡ଼ା ବ୍ରିଟେନ, ଆମେରିକା, ଅଷ୍ଟ୍ରେଲିଆ, ମାଲେସିଆ, ଦକ୍ଷିଣ ଆଫ୍ରିକା ଏବଂ ନେଦରଲ୍ୟାଣ୍ଡସ୍ର ନାଗରିକ ମଧ୍ୟ ନିଖୋଜ ତାଲିକାରେ ଅଛନ୍ତି। ପ୍ରାଥମିକ ତାଲିକାରେ ୩୭ ଜଣ NRI ଥିବା ମଧ୍ୟ ସୂଚନା ମିଳିଛି। ଭୋତେକୋଶୀ ନଦୀରେ ଆସିଥିବା ପ୍ରଳୟଙ୍କରୀ ବନ୍ୟା ରସୁଆର ସ୍ୟାବ୍ରୁବେସି ଏବଂ ତିମୁରେ ଭଳି ପ୍ରମୁଖ ବଜାର ଅଞ୍ଚଳରେ ବ୍ୟାପକ ବିନାଶ ଘଟାଇଛି। ବନ୍ୟାଜଳରେ ଘର, ଯାନବାହନ, ରାସ୍ତା, ସେତୁ ଓ ଅନ୍ୟାନ୍ୟ ଭିତ୍ତିଭୂମି ଭାସିଯାଇଛି। ଏକାଧିକ ଜଳବିଦ୍ୟୁତ ପ୍ରକଳ୍ପ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ପ୍ରାଥମିକ ଭାବେ ଏହି ହଠାତ୍ ବନ୍ୟାର ପଛରେ ଏକ ଆଇସ୍-ରକ୍ ଆଭାଲାଞ୍ଚ୍ (ବରଫ-ପଥର ଧସ) ଥିବା ଆଶଙ୍କା କରାଯାଉଛି। ଭୂମିକମ୍ପ ପରେ ହିମସ୍ଖଳନ କିମ୍ବା ବରଫ ଓ ପଥର ନଦୀପଥକୁ ଅବରୋଧ କରି ହଠାତ୍ ବିପୁଳ ଜଳପ୍ରବାହ ସୃଷ୍ଟି କରିଥାଇପାରେ ବୋଲି ରିପୋର୍ଟରେ କୁହାଯାଇଛି। ତେବେ ବନ୍ୟାର ପ୍ରକୃତ କାରଣ ନେଇ ତଦନ୍ତ ଜାରି ରହିଛି।
ନେପାଳରେ ଭାରତୀୟ ଦୂତାବାସ ପକ୍ଷରୁ ମଧ୍ୟ ପ୍ରଭାବିତ ଭାରତୀୟ ନାଗରିକ ଓ ସେମାନଙ୍କ ପରିବାର ପାଇଁ ଜରୁରୀ ଯୋଗାଯୋଗ ବ୍ୟବସ୍ଥା କରାଯାଇଛି। ଘଟଣା ପରେ ନେପାଳ ସେନା, ପୋଲିସ୍ ଓ ସଶସ୍ତ୍ର ପୋଲିସ୍ ବାହିନୀ ପକ୍ଷରୁ ଖୋଜାଖୋଜି ଓ ଉଦ୍ଧାର ଅଭିଯାନ ଜାରି ରହିଛି। ପାହାଡ଼ିଆ ଅଞ୍ଚଳରେ ରାସ୍ତା ଓ ସେତୁ କ୍ଷତିଗ୍ରସ୍ତ ହୋଇଥିବାରୁ ଉଦ୍ଧାରକାର୍ଯ୍ୟ ଚ୍ୟାଲେଞ୍ଜିଂ ହୋଇଛି। ନିଖୋଜ ଲୋକଙ୍କ ପ୍ରକୃତ ସ୍ଥିତି ଜାଣିବା ପାଇଁ ଟ୍ରାଭେଲ୍ ଏଜେନ୍ସି, ସ୍ଥାନୀୟ ପ୍ରଶାସନ ଓ ସୁରକ୍ଷା ଏଜେନ୍ସି ସହ ମିଶି ତଥ୍ୟ ଯାଞ୍ଚ କରାଯାଉଛି। ନେପାଳ ସେନା ମୁତାବକ, ଏଯାଏଁ ୧୨ ଜଣ ଲୋକ ହେଲିକପ୍ଟରରେ ରେସକ୍ୟୁ କରାଯାଇଛି । ସରକାର ୩ ଜିଲ୍ଲାକୁ ବନ୍ୟାରେ ଅଧିକ ପ୍ରଭାବିତ ହେବା ଆଶଙ୍କାରେ ଆଲର୍ଟ ଜାରି କରିଛନ୍ତି । ନେପାଳରେ ଥିବା ଭାରତୀୟ ଦୂତାବାସ ହେଲ୍ପଲାଇନ ନମ୍ବର ଜାରି କରିଛି ।
