ଇସଲାମାବାଦର PIMS ହସ୍ପିଟାଲର ନର୍ସରୀରେ ନିଆଁ, ୧୫ ନବଜାତ ଶିଶୁ ମୃତ
ଇସଲାମାବାଦର PIMS ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ । ଏସି କମ୍ପ୍ରେସର ଫାଟି ୧୫ ନବଜାତ ଶିଶୁଙ୍କ ମୃତ୍ୟୁ । ତଦନ୍ତ ନିର୍ଦ୍ଦେଶ ଦେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ।
ପାକିସ୍ତାନର ରାଜଧାନୀ ଇସଲାମାବାଦସ୍ଥିତ ପାକିସ୍ତାନ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍ (PIMS) ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟି ୧୫ ଜଣ ନବଜାତ ଶିଶୁଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି। ଘଟଣା ସମୟରେ ନର୍ସରୀରେ ମୋଟ ୧୬ ଜଣ ନବଜାତ ଶିଶୁ ଥିବାବେଳେ ଜଣେ ଶିଶୁଙ୍କୁ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ, ହସ୍ପିଟାଲର ନର୍ସରୀରେ ଏସି କମ୍ପ୍ରେସର ଫାଟିବା ପରେ ନିଆଁ ଲାଗିଥିଲା। ନିଆଁ ଦ୍ରୁତ ଗତିରେ ବ୍ୟାପିବା ସହ ନର୍ସରୀ ଧୂଆଁରେ ଭରିଯାଇଥିଲା। ଖବର ପାଇ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଶିଶୁମାନଙ୍କୁ ବାହାରକୁ ଆଣିବା ପାଇଁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଅଧିକାରୀମାନଙ୍କ ସୂଚନା ଅନୁସାରେ, ନିଆଁକୁ ନିୟନ୍ତ୍ରଣକୁ ଅଣାଯାଇଛି ଏବଂ ଘଟଣାସ୍ଥଳରେ କୁଲିଂ ଅପରେସନ୍ ଆରମ୍ଭ ହୋଇଛି। ଅଗ୍ନିକାଣ୍ଡ ପରେ ହସ୍ପିଟାଲ ପରିସରରେ ଶୋକ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଛି। ଘଟଣାକୁ ଗୁରୁତ୍ୱର ସହ ନେଇ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ତଦନ୍ତରେ ଅଗ୍ନିକାଣ୍ଡର ପ୍ରକୃତ କାରଣ, ହସ୍ପିଟାଲର ଅଗ୍ନିନିରାପତ୍ତା ବ୍ୟବସ୍ଥା ଏବଂ ଜରୁରୀକାଳୀନ ପ୍ରତିକ୍ରିୟା ବ୍ୟବସ୍ଥାର ସମୀକ୍ଷା କରାଯିବ।
