ଲାଲୁ ରାବ୍ରିଙ୍କ ହଟିଲା Z+ ସୁରକ୍ଷା
ତାଙ୍କ ଘର ପାଇଁ ଜଗୁଆଳୀ, ବଡିଗାର୍ଡ, ପାଇଲଟ୍ ଗାଡ଼ି ଓ ବୁଲେଟପ୍ରୁଫ୍ କାର୍ ରହିବ, କିନ୍ତୁ ପୂର୍ବର Z-ପ୍ଲସ୍ ସୁରକ୍ଷା ବ୍ୟବସ୍ଥା ଆଉ ରହିବ ନାହିଁ।

ଲାଲୁ-ରାବ୍ରି ଦେବୀଙ୍କ ହଟିଲା Z+ ସୁରକ୍ଷା। ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁପ୍ରସାଦ ଯାଦବ ଓ ରାବ୍ରି ଦେବୀଙ୍କ Z ପ୍ପ୍ଲସ୍ ସୁରକ୍ଷା କଭର୍ ପ୍ରତ୍ୟାହାର କରିଛନ୍ତି ବିହାର ସରକାର। ଭିଆଇପି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା ପରେ ଏହି ନିଷ୍ପତ୍ତି ନିଆଯାଇଥିବା ବିହାର ସରକାର କହିଛନ୍ତି। ସରକାରଙ୍କ ନୂଆ ବ୍ୟବସ୍ଥା ଅନୁଯାୟୀ, ଲାଲୁ ଯାଦବ ଓ ରାବ୍ରି ଦେବୀଙ୍କୁ ବର୍ତ୍ତମାନ ବିହାର ସ୍ପେଶାଲ୍ ଆର୍ମଡ୍ ପୋଲିସ୍ (BSAP) ପକ୍ଷରୁ ସୁରକ୍ଷା ଦିଆଯିବ। ତାଙ୍କ ଘର ପାଇଁ ଜଗୁଆଳୀ, ବଡିଗାର୍ଡ, ପାଇଲଟ୍ ଗାଡ଼ି ଓ ବୁଲେଟପ୍ରୁଫ୍ କାର୍ ରହିବ, କିନ୍ତୁ ପୂର୍ବର Z-ପ୍ଲସ୍ ସୁରକ୍ଷା ବ୍ୟବସ୍ଥା ଆଉ ରହିବ ନାହିଁ। ଏହି ନିଷ୍ପତ୍ତିରେ ଅସନ୍ତୁଷ୍ଟ ହୋଇ ଲାଲୁ ପ୍ରସାଦ ଯାଦବ ଓ ରାବ୍ରି ଦେବୀ ନୂଆ ସୁରକ୍ଷା କର୍ମଚାରୀଙ୍କୁ ଫେରାଇ ଦେଇଛନ୍ତି। ତାଙ୍କ ପରିବାରର ପାଟନା ସ୍ଥିତ ବାସଭବନରୁ ସୁରକ୍ଷା କର୍ମୀମାନଙ୍କୁ ହଟାଇ ଦିଆଯାଇଛି। ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବ ବି ଅନୁରୂପ ପଦକ୍ଷେପ ନେଇଛନ୍ତି। ଆରଜେଡି ଏହାକୁ ରାଜନୈତିକ ପ୍ରତିଶୋଧ ବୋଲି ଅଭିଯୋଗ କରିଛି। ଦଳ କହିଛି, ବିପକ୍ଷ ନେତାଙ୍କୁ ଟାର୍ଗେଟ୍ କରି ଏହି ପଦକ୍ଷେପ ନିଆଯାଇଛି। ଅନ୍ୟପଟେ ସରକାର ଏହାକୁ ଏକ ସାଧାରଣ ସୁରକ୍ଷା ସମୀକ୍ଷାର ଅଂଶ ବୋଲି ସ୍ପଷ୍ଟ କରିଛନ୍ତି। ସୁରକ୍ଷାକର୍ମୀ ହଟିବା ପରେ ହାତରେ ଲାଠି ଧରି ଲାଲୁଙ୍କ ଘର ଆରଜେଡି କର୍ମୀ ଜଗିଥିବା ଚିତ୍ର ସାମ୍ନାକୁ ଆସିଛି।
