ଲଗାଣ ବର୍ଷାରେ ଉଜୁଡ଼ିଲା ଏକର ଏକର ପରିବା ଚାଷ
ଲଗାଣ ବର୍ଷାରେ ଉଜୁଡ଼ିଲା ଏକର ଏକର ପରିବା ଚାଷ। ବର୍ଷା ଦାଉରେ ଚାଷୀଙ୍କ ଆଶା ଧୂଳିସାତ୍। ଫସଲ କ୍ଷତିର ଆକଳନ କରି କ୍ଷତିପୂରଣ ଦାବି।
ସୋର: ଲଗାଣ ବର୍ଷା ଓ ଜମିରେ ଜଳବନ୍ଦୀ ଯୋଗୁଁ ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ମାଣିପୁର ପଞ୍ଚାୟତ ଖୁଣ୍ଟା ଗ୍ରାମରେ ଏକର ଏକର ପରିବା ଚାଷ ନଷ୍ଟ ହୋଇଛି। ଦୀର୍ଘ ସମୟ ଧରି ଜମିରେ ବର୍ଷା ପାଣି ଜମି ରହିବାରୁ ବିଭିନ୍ନ ପରିବା ଫସଲ ପଚି ନଷ୍ଟ ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଖୁଣ୍ଟା ଗ୍ରାମର ଜଗବନ୍ଧୁ ମହନ୍ତ, ରଙ୍ଗଲତା ମହନ୍ତଙ୍କ ସମେତ ଆଉ ତିନି ଭାଇ ମିଶି ପ୍ରାୟ ୧୦ ଏକର ଜମିରେ ବିଭିନ୍ନ ପ୍ରକାର ପରିବା ଚାଷ କରିଥିଲେ। ଚାଷ ପାଇଁ ବିହନ, ସାର ଓ ଶ୍ରମିକ ବାବଦରେ ବହୁ ଟଙ୍କା ଖର୍ଚ୍ଚ କରିଥିଲେ। ଫସଲ ଭଲ ହେବ ଏବଂ ଚାଷରୁ ଲାଭ ମିଳିବ ବୋଲି ଆଶା ରଖିଥିବା ବେଳେ ଲଗାଣ ବର୍ଷା ସେମାନଙ୍କ ସବୁ ଆଶାକୁ ଧୂଳିସାତ୍ କରିଦେଇଛି। ଜଳବନ୍ଦୀ ହୋଇ ଜମି ରହିବାରୁ ଚାଷ ନଷ୍ଟ ହେବା ସହ ଚାଷୀଙ୍କ ଉପରେ ଆର୍ଥିକ ବୋଝ ବଢ଼ିଛି। ଫଳରେ ପରିବା ଚାଷ ଉପରେ ନିର୍ଭରଶୀଳ ପରିବାରଗୁଡ଼ିକ ଚିନ୍ତାରେ ପଡ଼ିଛନ୍ତି। ଅନ୍ୟପଟେ, ଲଗାଣ ବର୍ଷା ଯୋଗୁଁ ଓଡ଼ିଶାର ବିଭିନ୍ନ ସ୍ଥାନରେ କୃଷି ଫସଲ କ୍ଷତି ହେଉଥିବା ଖବର ମଧ୍ୟ ସାମ୍ନାକୁ ଆସୁଛି। ଖୁଣ୍ଟା ଗ୍ରାମର ପ୍ରଭାବିତ ଚାଷୀମାନେ ତୁରନ୍ତ ଫସଲ କ୍ଷୟକ୍ଷତିର ଆକଳନ କରି ସରକାରୀ ସହାୟତା ଓ ଉପଯୁକ୍ତ କ୍ଷତିପୂରଣ ଯୋଗାଇଦେବାକୁ ଦାବି କରିଛନ୍ତି।
