ଜଗତସିଂହପୁରରେ ସାର କଳାଵଜାରୀ: 170 ବସ୍ତା ସାର ଜବତ
ସାରର ଅଭାବକୁ ନେଇ ଚାଷୀମାନେ ଚିନ୍ତା। ସେପଟେ ଜଗତସିଂହପୁର ଜିଲ୍ଲା ନାଉଗାଁ ଦେଇ ଜିଲ୍ଲାର ବିଭିନ୍ନ ବ୍ଲକକୁ ହେଉଛି ଚୋରା ସାର ଚାଲାଣ, ପୋଲିସର ଚଢାଉ ପରେ 170 ବସ୍ତା ସାର ଜବତ।
ନାଉଗାଁ: ସାରର ଅଭାବକୁ ନେଇ ଚାଷୀମାନେ ଚିନ୍ତାରେ ଥିବା ବେଳେ ଅଞ୍ଚଳରେ ସାରର କଳାବଜାରୀ ଓ ଅନଧିକୃତ ମହଜୁଦକାରୀ ସକ୍ରିୟ ହୋଇଥିବା ଅଭିଯୋଗ ହେଉଛି। ପୁରୀ ଜିଲ୍ଲାରୁ ଅନେକ ସମୟରେ ଚୋରାରେ ସାର ଆସି ଜଗତସିଂହପୁର ଜିଲ୍ଲା ସୀମାବର୍ତି ଅଂଚଳ ନାଉଗାଁ ଦେଇ ଜିଲ୍ଲାର ବିଭିନ୍ନ ବ୍ଲକକୁ ସାର ଚାଲାଣ କରାଯାଉଥିବା ଅଭିଯୋଗ ମଧ୍ୟ ରହିଛି। ଗତ ସପ୍ତାହରେ ନାଉଗାଁ ବଜାର ନିକଟରୁ ପୋଲିସ ୬୦ ବସ୍ତା ସାର ଜବତ କରିଥିବା ବେଳେ ଏବେ ପ୍ରଶାସନ ପକ୍ଷରୁ ଆଉ ୧୭୦ ବସ୍ତା ସାର ଜବତ କରାଯାଇଛି। ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ଜଗତସିଂହପୁର ଜିଲ୍ଲା କୃଷି ଅଧିକାରୀ ବିଭୁଦତ୍ତ ସାହୁ, ନାଉଗାଁ କୃଷି ଅଧିକାରିଣୀ ଯୁଗସ୍ମିତା ପାତ୍ର, ତହସିଲଦାର ଏବଂ ନାଉଗାଁ ଥାନା ଅଧିକାରୀ ଦେବାଶିଷ ପଣ୍ଡାଙ୍କ ନେତୃତ୍ୱରେ ଏକ ଟିମ୍ ଗାରେଇ ନିକଟସ୍ଥ ଏକ ଦୋକାନରେ ଚଢ଼ାଉ କରିଥିଲା। ସେଠାରୁ ଅଣପଞ୍ଜିକୃତ ଭାବେ ରଖାଯାଇଥିବା ୩୫ ବସ୍ତା ସାର ଜବତ ହୋଇଥିଲା। ଦୋକାନ ମାଲିକ ତାରକ ସାହୁଙ୍କୁ ପଚରାଉଚରା କରିବା ପରେ ଡାହାଣୀଖିଆ ଗ୍ରାମର ରଂଜିତ ସାହୁଙ୍କ ଘରେ ମଧ୍ୟ ଚଢ଼ାଉ କରାଯାଇଥିଲା। ସେଠାରୁ ଆଉ ୧୩୫ ବସ୍ତା ସାର ଜବତ ହୋଇଛି। ତାରକ ସାହୁଙ୍କ ପାଖରେ ସାର ବିକ୍ରି ପାଇଁ ଆବଶ୍ୟକ ଅନୁମତି ନଥିବା ତଦନ୍ତରୁ ଜଣାପଡ଼ିଛି।
ପ୍ରାଥମିକ ତଦନ୍ତ ଅନୁସାରେ, ପୁରୀ ଜିଲ୍ଲାରୁ ସାର ଆଣି ଦୋକାନ ଓ ଅନ୍ୟ ସ୍ଥାନରେ ଅନଧିକୃତ ଭାବେ ମହଜୁଦ ରଖି ଚାଷୀଙ୍କୁ ଅଧିକ ମୂଲ୍ୟରେ ବିକ୍ରି କରାଯାଉଥିବା ସନ୍ଦେହ କରାଯାଉଛି। ଜବତ ସାରକୁ କୃଷି ବିଭାଗ ପକ୍ଷରୁ ନିକଟସ୍ଥ ଡେରିକି ସମବାୟ ସମିତିକୁ ହସ୍ତାନ୍ତର କରାଯାଇଛି। ଏହାସହ ଜବତ ସାର ନକଲି କି ନୁହେଁ, ତାହା ଜାଣିବା ପାଇଁ ନମୁନା ସଂଗ୍ରହ କରି ପରୀକ୍ଷାଗାରକୁ ପଠାଯିବ ବୋଲି କୃଷି ଅଧିକାରିଣୀ ଯୁଗସ୍ମିତା ପାତ୍ର କହିଛନ୍ତି। ଏନେଇ କୃଷି ବିଭାଗ ପକ୍ଷରୁ ନାଉଗାଁ ଥାନାରେ ଲିଖିତ ଅଭିଯୋଗ ଦାଖଲ ହୋଇଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ନାଉଗାଁ ଅଞ୍ଚଳରେ ଆହୁରି ଅନେକ ସ୍ଥାନରେ ଅନଧିକୃତ ଭାବେ ସାର ମହଜୁଦ ଥିବା ଅଭିଯୋଗ ହେଉଥିବାରୁ ପ୍ରଶାସନ ଆଗକୁ କି ପଦକ୍ଷେପ ନେଉଛି, ତାହା ଉପରେ ନଜର ରହିଛି।
