ଚିଲିକାରେ ନାବାଳକଙ୍କ ମୃତ୍ୟୁ ଘଟଣା: ୧୮ ଗିରଫ
ଚିଲିକାରେ ନାବାଳକଙ୍କ ମୃତ୍ୟୁ ଘଟଣାରେ ଆକ୍ସନ୍, ବାଲୁଙ୍ଗା-ଖୋର୍ଦ୍ଧା ପୋଲିସର ମିଳିତ ଚଢ଼ାଉ, ୧୮ ଅଭିଯୁକ୍ତ ଗିରଫ ୩ ବୋଟ ସହ ଜାଲ ଓ ହତିଆର ଜବତ ।
ପୁରୀ: ଚିଲିକାରେ ନାବାଳକଙ୍କ ମୃତ୍ୟୁ ଘଟଣାରେ ପୁରୀ ପୋଲିସକୁ ବଡ଼ ସଫଳତା ମିଳିଛି। ହତ୍ୟା ଘଟଣାରେ ଅଭିଯୁକ୍ତ ଗଣେଶ ଦାସଙ୍କ ସମେତ ୧୮ ଜଣଙ୍କୁ ଗିରଫ କରାଯାଇଛି। ବାଲୁଙ୍ଗା ଓ ଖୋର୍ଦ୍ଧା ପୋଲିସର ମିଳିତ ଚଢ଼ାଉରେ ଏହି ସଫଳତା ମିଳିଛି। ପୋଲିସ ସୂଚନା ଅନୁସାରେ, ଅଭିଯୁକ୍ତମାନେ ହତ୍ୟା ପରେ ଚିଲିକାର ବିଭିନ୍ନ ଟାପୁରେ ଲୁଚି ରହିଥିଲେ। ସନ୍ଧ୍ୟା ସମୟରେ ତିନୋଟି ବୋଟରେ ଚିଲିକା ଭିତରକୁ ପଶି ମାଛ ଓ ଚିଙ୍ଗୁଡ଼ି ଚୋରି କରୁଥିବା ବେଳେ ସ୍ଥାନୀୟ ଲୋକେ ଏହାକୁ ବିରୋଧ କରିଥିଲେ। ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ଆକ୍ରମଣ ହୋଇଥିବା ଅଭିଯୋଗ ରହିଛି।
ଘଟଣା ସମୟରେ ଜଣେ ନାବାଳକ ପାଣି ଭିତରେ ପଡ଼ିଯାଇଥିଲେ। ପରଦିନ ଚିଲିକାରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଚଢ଼ାଉ ସମୟରେ ପୋଲିସ ୩ଟି ବୋଟ, ମାଛଧରା ଜାଲ ଓ ବିଭିନ୍ନ ମାରଣାସ୍ତ୍ର ସହ କାଠ ଫାଳିଆ ଜବତ କରିଛି। ଗିରଫ ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରାଯିବ। ପୋଲିସ କହିଛି ଯେ, ଘଟଣାରେ ଜଡ଼ିତ ଅନ୍ୟ ଅଭିଯୁକ୍ତମାନଙ୍କୁ ମଧ୍ୟ ଖୋଜାଖୋଜି ଚାଲିଛି। ପୂର୍ବରୁ ମାଛ ଚୋରି ଓ ବିଭିନ୍ନ ଆକ୍ରମଣ ସମେତ ଅନେକ ଅପରାଧିକ ମାମଲାରେ ଜଡ଼ିତ ବ୍ୟକ୍ତିଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୁରୀ ଏସ୍ପି ସୂଚନା ଦେଇଛନ୍ତି।
