ଲଦାଖକୁ ମିଳିବ ସ୍ୱତନ୍ତ୍ର ସାମ୍ବିଧାନିକ ସୁରକ୍ଷା
ଲଦାଖର ବଡ଼ ଦାବି ପୂରଣ ହେବ! ଆର୍ଟିକଲ ୩୭୧ ଅଧୀନରେ ମିଳିବ ସାମ୍ବିଧାନିକ ସୁରକ୍ଷା ।
ନୂଆଦିଲ୍ଲୀ: କେନ୍ଦ୍ରଶାସିତ ପ୍ରଦେଶ ଲଦାଖର ଦୀର୍ଘଦିନର ଦାବି ପୂରଣ ହେବା ନେଇ ଚର୍ଚ୍ଚା ଜୋର ଧରିଛି। ଲଦାଖକୁ ଆର୍ଟିକଲ ୩୭୧ ଅଧୀନରେ ସାମ୍ବିଧାନିକ ସୁରକ୍ଷା ଦେବା ସହ ଏକ ସ୍ୱତନ୍ତ୍ର ଶାସନ ମଡେଲ ଲାଗୁ କରିବା ନେଇ କେନ୍ଦ୍ର ସରକାର ବିଚାର କରୁଥିବା ସୂଚନା ମିଳିଛି। ୨୦୧୯ରେ ଜାମ୍ମୁ-କାଶ୍ମୀରଠାରୁ ଅଲଗା ହୋଇ ଲଦାଖକୁ କେନ୍ଦ୍ରଶାସିତ ଅଞ୍ଚଳର ମାନ୍ୟତା ଦିଆଯାଇଥିଲା। ତେବେ ପରବର୍ତ୍ତୀ ସମୟରେ ସ୍ଥାନୀୟ ସଂଗଠନଗୁଡ଼ିକ ଲଦାଖକୁ ଅଧିକ ସ୍ୱାୟତ୍ତତା ଏବଂ ସାମ୍ବିଧାନିକ ସୁରକ୍ଷା ଦେବା ଦାବିରେ ଆନ୍ଦୋଳନ ଜାରି ରଖିଥିଲେ। ଲଦାଖର ଚିଫ୍ ସେକ୍ରେଟାରୀ ଆଶିଷ କୁନ୍ଦ୍ରା ଏକ ସାକ୍ଷାତକାରରେ ଲଦାଖ ପାଇଁ ଏକ ନୂଆ ଗଭର୍ନାନ୍ସ ମଡେଲ ଉପରେ କାମ ଚାଲିଥିବା କହିଛନ୍ତି। ଏହି ବ୍ୟବସ୍ଥାରେ ଏକ ନିର୍ବାଚିତ ସଂସ୍ଥା ରହିବ ଏବଂ ଏହାକୁ କିଛି ନିଷ୍ପତ୍ତି ନେବାର ଅଧିକାର ମିଳିପାରେ। ତେବେ ଏହି ମଡେଲ ଦିଲ୍ଲୀ ଭଳି ବିଧାନସଭା ଆଧାରିତ ହେବ ନାହିଁ କିମ୍ବା ଚଣ୍ଡୀଗଡ଼ ଭଳି କେବଳ ପ୍ରଶାସକଙ୍କ ଅଧୀନରେ ରହିବ ନାହିଁ। ଏହା ଭାରତରେ ଏକ ନୂଆ ଧରଣର ପ୍ରଶାସନିକ ବ୍ୟବସ୍ଥା ହୋଇପାରେ। ପ୍ରସ୍ତାବିତ ସାମ୍ବିଧାନିକ ସୁରକ୍ଷା ମାଧ୍ୟମରେ ଲଦାଖବାସୀଙ୍କ ଜମି, ପ୍ରାକୃତିକ ସମ୍ପଦ, ସଂସ୍କୃତି ଏବଂ ପରିବେଶର ସୁରକ୍ଷାକୁ ଗୁରୁତ୍ୱ ଦିଆଯିବ। ଆର୍ଟିକଲ ୩୭୧ ଅଧୀନରେ ଦେଶର କେତେକ ରାଜ୍ୟକୁ ବିଶେଷ ସାମ୍ବିଧାନିକ ବ୍ୟବସ୍ଥା ମିଳିଛି। ମିଜୋରାମ, ନାଗାଲାଣ୍ଡ ଓ ଅରୁଣାଚଳ ପ୍ରଦେଶ ଭଳି ରାଜ୍ୟର ସାମାଜିକ ଓ ସାଂସ୍କୃତିକ ବିଶେଷତାକୁ ଧ୍ୟାନରେ ରଖି ଯେପରି ବିଶେଷ ବ୍ୟବସ୍ଥା ରହିଛି, ଲଦାଖ ପାଇଁ ମଧ୍ୟ ସେହିଭଳି ଏକ ନିଜସ୍ୱ ମଡେଲ ଉପରେ ଚିନ୍ତା କରାଯାଉଥିବା କୁହାଯାଉଛି। ୨୦୧୯ରେ ଲଦାଖକୁ କେନ୍ଦ୍ରଶାସିତ ଅଞ୍ଚଳ ଘୋଷଣା କରାଯିବା ପରେ ପ୍ରାରମ୍ଭରେ ସ୍ଥାନୀୟ ବାସିନ୍ଦା ଏହାକୁ ସ୍ୱାଗତ କରିଥିଲେ। ପରେ ପ୍ରଶାସନିକ ହସ୍ତକ୍ଷେପକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା। ଲଦାଖକୁ ଷଷ୍ଠ ଅନୁସୂଚୀରେ ସାମିଲ କରିବା, ଅଧିକ ସ୍ୱାୟତ୍ତ ଅଧିକାର ପ୍ରଦାନ କରିବା ଏବଂ ରାଜ୍ୟ ମାନ୍ୟତା ଦେବା ଦାବିରେ ବିଭିନ୍ନ ସ୍ଥାନୀୟ ସଂଗଠନ ଆନ୍ଦୋଳନ କରିଆସୁଛନ୍ତି। ଆଶିଷ କୁନ୍ଦ୍ରାଙ୍କ ସୂଚନା ଅନୁସାରେ, ଲଦାଖରେ ଶାସକ ଓ ପ୍ରଶାସନ କିପରି କାର୍ଯ୍ୟ କରିବେ, ସେନେଇ ଏକ ୟୁନିକ୍ ଗଭର୍ନାନ୍ସ ମଡେଲ ଉପରେ କାମ ଚାଲିଛି। ଖୁବଶୀଘ୍ର ଏନେଇ ବିସ୍ତୃତ ସୂଚନା ଦିଆଯାଇପାରେ।
ଏହି ମଧ୍ୟରେ ଲଦାଖର ଉପରାଜ୍ୟପାଳ ବିନୟ କୁମାର ସକ୍ସେନା ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଥିବା ଜଣାପଡ଼ିଛି। ଲଦାଖର ଦ୍ରୁତ ବିକାଶ ସହ ପ୍ରଶାସନିକ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଦିଗରେ କେନ୍ଦ୍ର ପଦକ୍ଷେପ ନେଉଥିବା ଚର୍ଚ୍ଚା ହେଉଛି।
