CANADA ASYLUM CLAIM FAILS:ଶରଣ ଦେବାକୁ ମନା କଲା କାନାଡା- ୮ ବର୍ଷ ପରେ ଭାରତ ଫେରିଲେ ହରିଶ..
ଭାରତରେ ନିଜ ଜୀବନକୁ ବିପଦ ଅଛି କହି ଶରଣାର୍ଥୀ ହେବାକୁ ଆବେଦନ କରିଥିଲେ। କାନାଡ଼ାରେ ଶରଣାର୍ଥୀ ଭାବେ ରହିବାକୁ ଅନୁରୋଧ ବେଳେ ହରିଶ କହିଥିଲେ, ସେ ଭାରତ ଏଥିଲାଗି ଛାଡ଼ିଥିଲେ, ସେଠାରେ ତାଙ୍କ ଜୀବନ ପ୍ରତି ବିପଦ ଅଛି।

କାନାଡାରୁ ତଡ଼ା ଖାଇଲେ ଭାରତୀୟ। ପତ୍ନୀ ଓ ପିଲାଙ୍କ ସହ କାନାଡ଼ା ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି ଟ୍ରକ୍ ଡ୍ରାଇଭର ହରିଶ। କାନାଡ଼ାରେ ଶରଣାର୍ଥୀ ଭାବେ ଥିବାର ଅପିଲ ଖାରଜ ପରେ ସେ ସୋମବାର ରାତିରେ ହିଁ ସପରିବାର ଭାରତ ବାହାରିଥିଲେ। କାନାଡ଼ାର କ୍ୟୁବେକରେ ୮ ବର୍ଷ ହେଲା ରହିଥିଲେ ହରିଶ। କିନ୍ତୁ କାନାଡ଼ା ଅଧିକାରୀ ତାଙ୍କର ରିଫ୍ୟୁଜି ବା ଶରଣାର୍ଥୀ ହେବାର ଦାବି ସହ ମାନବୀୟ ଅଧାରରରେ ଦେଶରେ ରହିବା ଅପିଲକୁ ଖାରଜ କରିଦେଇଛନ୍ତି। ଏହା ପରେ ହରିଶ, ତାଙ୍କ ପତ୍ନୀ ସୋନିକା ଓ ଦୁଇ ପିଲା ଜାପେଶ ଓ ଗୌଲାସ ଭାରତକୁ ଫେରିବାକୁ ବାଧ୍ୟ ହୋଇଛନ୍ତି। ହରିଶ ନିଜ ପରିବାର ସହ ଏପ୍ରିଲ ୨୦୧୮ରେ କାନାଡ଼ା ଯାଇଥିଲେ। ଆଉ ଭାରତରେ ନିଜ ଜୀବନକୁ ବିପଦ ଅଛି କହି ଶରଣାର୍ଥୀ ହେବାକୁ ଆବେଦନ କରିଥିଲେ। କାନାଡ଼ାରେ ଶରଣାର୍ଥୀ ଭାବେ ରହିବାକୁ ଅନୁରୋଧ ବେଳେ ହରିଶ କହିଥିଲେ, ସେ ଭାରତ ଏଥିଲାଗି ଛାଡ଼ିଥିଲେ, ସେଠାରେ ତାଙ୍କ ଜୀବନ ପ୍ରତି ବିପଦ ଅଛି। କାନାଡ଼ାରେ ଅନେକ ବର୍ଷ ଧରି ତାଙ୍କ ଅପିଲ ଉପରେ ଶୁଣାଣୀ ଓ ଆଇନଗତ ପ୍ରକ୍ରିୟା ପରେ ଶେଷରେ ପରିବାର ସହ କାନାଡ଼ା ଛାଡିବାକୁ ଆଦେଶ ଦିଆଯାଇଥିଲା। ସେ ସେପ୍ଟେମ୍ୱର ୭ରେ କାନାଡ଼ା ଛାଡ଼ିଥିଲେ। ହରିଶଙ୍କୁ ଅଗଷ୍ଟ ୪ରେ କୁହାଯାଇଥିଲା, ତାଙ୍କୁ ଶରଣାର୍ଥୀ ଭାବେ କାନାଡ଼ାରେ ରଖାଯାଇପାରିବନି। ସେପ୍ଟେମ୍ୱର ୭ ସୁଦ୍ଧା କାନାଡ଼ା ଛାଡ଼ିବାକୁ ମହଲତ ଦିଆଯାଇଥିଲା। ହରିଶ କହିଛନ୍ତି, ତାଙ୍କ ପତ୍ନୀଙ୍କୁ ଗଲା ସପ୍ତାହରେ କାନାଡା ବର୍ଡର ସର୍ଭିସେସ ଏଜେନ୍ସି ବା CBSA ନିଜ ହେପାଜତକୁ ନେଇଥିଲା। ଭାରତ ଫେରିଲେ ବି ସେଠାରେ ତାଙ୍କ ଲାଗି କିଛି ନାହିଁ କହି ଭାବୁକ ହୋଇଯାଇଛନ୍ତି ହରିଶ। ପ୍ରବାସୀଙ୍କ ଅଧିକାର ଲାଗି ଲଢ଼ୁଥିବା ସଂଗଠନ ଇମିଗ୍ରେଟ୍ ଓ୍ୱାର୍କରସ ସେଣ୍ଟର ଏଭଳି ନିର୍ବାସନ ଦଣ୍ଡକୁ ନିନ୍ଦା କରିଛି। ସଂଗଠନର କହିବା କଥା, ହରିଶ ଟ୍ରକ ଡ୍ରାଇଭର ଭାବେ କାମ କରୁଥିଲେ। କୋଭିଡ୍ ମହାମାରି ବେଳେ ସେ ସାମଗ୍ରୀ ପହଞ୍ଚାଇବା କାମ କରୁଥିଲେ। ଯେତିକିବେଳେ କାନାଡ଼ାର ଅର୍ଥବ୍ୟବସ୍ଥାରେ ତାଙ୍କ ଶ୍ରମ ଜରୁରୀ ଥିଲା। ତାଙ୍କୁ କର୍ମଚାରୀ ଭାବେ ବିବେଚନା କରାଗଲା। କିନ୍ତୁ ସଂକଟ ସରିବା ପରେ ତାଙ୍କର ବର୍ଷ ବର୍ଷ ଧରି କାମ, ନିଷ୍ଠା ଓ ପରିଶ୍ରମକୁ ତୁଛ କରିଦିଆଗଲା। ଏହା ଉଚିତ୍ ହୋଇନି। କ୍ୟୁବେକରେ ଅନେକ ବର୍ଷ ଧରି ସ୍କୁଲ ଯାଇ ସେଠାରେ ବଢ଼ିଥିବା ପିଲାଙ୍କ ଉପରେ ବି ଏହାର ଗଭୀର ପ୍ରଭାବ ପଡିବ। କାନାଡା ଇମିଗ୍ରେସନ ଅଧିକାରୀଙ୍କ କହିବା କଥା, କାନାଡାର ଇମିଗ୍ରେସନ ଓ ରିଫ୍ୟୁଜି ପ୍ରୋଟେକ୍ସନ ଆକ୍ଟର ଧାରା ୪୮ରେ ଥରେ ହଟାଇବାକୁ ଆଦେଶ ପାରିତ ପରେ CBSA ପାଇଁ ସଂପୃକ୍ତ ବ୍ୟକ୍ତିକୁ ଯେତେ ଜଲଦି ହଟାଇବା ଜରୁରୀ ହୋଇପଡ଼େ। ହରିଶ କୁମାର ପରିବାର ମାମଲାରେ ଏହି ଆଇନଗତ ପ୍ରକ୍ରିୟା ୮ ବର୍ଷ ଧରି ଚାଲିଲା ଓ ଶେଷରେ ସେମାନଙ୍କୁ କାନାଡ଼ା ଛାଡ଼ିବାକୁ ପଡ଼ିଛି। ହରିଶଙ୍କ ପରିବାରକୁ ଦେଶରୁ ବିଦା କରିବା ପୂର୍ବରୁ ଏକ ଆବେଦନ ଅନୁସାରେ, ହରିଶ ପଞ୍ଜାବର ଗୋରାୟା ସହରରେ ଏକ ଛୋଟ ତେଜରାତି ଦୋକାନ କରିଥିଲେ। ତାଙ୍କଠୁ କୁଆଡ଼େ ନିର୍ବାଚନ ପ୍ରଚାର ଲାଗି ଟଙ୍କା ମଗାଯାଇଥିଲା। ଦେବାରୁ ଅସମର୍ଥ ହେବାରୁ ତାଙ୍କୁ ଜୀବନରେ ମାରିଦେବାକୁ ଧମକ ଦିଆଯାଇଥିଲା।
