Labour Department raid: ଶ୍ରମ ବିଭାଗର ଚଢ଼ଉ:୧୫ ଜଣଙ୍କୁ ଉଦ୍ଧାର
ପଶ୍ଚିମବଙ୍ଗ ଶଙ୍କରପୁରରେ ଶ୍ରମ ବିଭାଗର ବଡ଼ ଧରଣର ଚଢ଼ାଉ। ଓଡ଼ିଶାର ୧୫ ଜଣଙ୍କୁ ଉଦ୍ଧାର କଲା ପଶ୍ଚିମବଙ୍ଗ ଶ୍ରମ ବିଭାଗ । ୧୫ ଜଣ ଭିତରେ ଅଛନ୍ତି ୧୪ ନାବାଳକ ଓ ଜଣେ ବୟସ୍କ ବ୍ୟକ୍ତି । ଏମାନେ ମତ୍ସ୍ୟ କାର୍ଯ୍ୟରେ ବନ୍ଧା ଶ୍ରମିକ ଭାବେ ନିଯୋଜିତ ଥିଲେ । ୧୫ ଜଣ ବାଲେଶ୍ଵର ଓ ମୟୁରଭଞ୍ଜ ଜିଲ୍ଲାର ଥିବା ସୂଚନା ।
ଜଳେଶ୍ୱର: ଓଡ଼ିଶାରୁ ପଡ଼ୋଶୀ ରାଜ୍ୟକୁ ଶିଶୁ ଶ୍ରମିକ ଚାଲାଣର ଏକ ସାଂଘାତିକ ଚିତ୍ର ପୁଣି ସାମ୍ନାକୁ ଆସିଛି। ପଶ୍ଚିମବଙ୍ଗର ଦୀଘା ନିକଟବର୍ତ୍ତୀ ଶଙ୍କରପୁର ମତ୍ସ୍ୟ ବନ୍ଦର ଏବଂ ଶୁଖୁଆ ଖଟିରେ ଓଡ଼ିଶାର କିଛି ପିଲାଙ୍କୁ ବନ୍ଧା ଶ୍ରମିକ ଭାବେ ରଖାଯାଇଥିବା ନେଇ ପ୍ରଶାସନକୁ ଖବର ମିଳିଥିଲା। ଏହା ପରେ ପଶ୍ଚିମବଙ୍ଗ ଶ୍ରମ ବିଭାଗର ଅଧିକାରୀମାନେ ସ୍ଥାନୀୟ ପୋଲିସ ସହାୟତାରେ ଶଙ୍କରପୁରର ବିଭିନ୍ନ ପ୍ରତିଷ୍ଠାନରେ ଏହି ବଡ଼ ଧରଣର ଚଢ଼ାଉ କରିଥିଲେ। ତେବେ ଚଢ଼ଉରେ ଓଡ଼ିଶାର ୧୫ ଜଣ ଶ୍ରମିକଙ୍କୁ ସଫଳତାର ସହ ଉଦ୍ଧାର କରାଯାଇଛି। ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି, ଏହି ୧୫ ଜଣଙ୍କ ମଧ୍ୟରେ ୧୪ ଜଣ ନାବାଳକ ଥିବା ବେଳେ ମାତ୍ର ଜଣେ ବୟସ୍କ ବ୍ୟକ୍ତି ରହିଛନ୍ତି। ପ୍ରାଥମିକ ସୂଚନା ଅନୁଯାୟୀ, ଉଦ୍ଧାର ହୋଇଥିବା ଏହି ସମସ୍ତ ଶ୍ରମିକ ଓଡ଼ିଶାର ବାଲେଶ୍ଵର ଏବଂ ମୟୁରଭଞ୍ଜ ଜିଲ୍ଲାର ବାସିନ୍ଦା ବୋଲି ଜଣାପଡ଼ିଛି।
ସେଠାରେ ଅତି ଦୟନୀୟ ଏବଂ ପ୍ରତିକୂଳ ପରିସ୍ଥିତିରେ ମତ୍ସ୍ୟ କାର୍ଯ୍ୟରେ ନିଯୋଜିତ ଥିଲେ ୧୫ ଜଣ ଶ୍ରମିକ । ଏହି ପିଲାମାନଙ୍କୁ ଭୁଲାଇ କିମ୍ବା ଅଭାବ ଅନଟନର ସୁଯୋଗ ନେଇ ବାଲେଶ୍ଵର ଓ ମୟୁରଭଞ୍ଜ ଜିଲ୍ଲାର ଗ୍ରାମାଞ୍ଚଳରୁ ସେଠାକୁ କାମ କରିବାକୁ ଅଣାଯାଇଥିଲା। ବର୍ତ୍ତମାନ ସମସ୍ତ ଉଦ୍ଧାର ଶ୍ରମିକଙ୍କୁ ସୁରକ୍ଷିତ ରଖିବାସହ ସେମାନଙ୍କ ଘରର ସଠିକ୍ ଠିକଣା ଚିହ୍ନଟ କରାଯାଉଛି। ଓଡ଼ିଶା ପ୍ରଶାସନ ସହ ଯୋଗାଯୋଗ କରି ଏହି ନାବାଳକମାନଙ୍କୁ ସେମାନଙ୍କ ପରିବାରକୁ ହସ୍ତାନ୍ତର କରିବା ପାଇଁ ଆଇନଗତ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ବେଆଇନ ଶ୍ରମିକ ନିଯୁକ୍ତି ପଛରେ ଥିବା ଦଲାଲ ଓ ମାଲିକମାନଙ୍କ ବିରୋଧରେ କଠୋର ମାମଲା ରୁଜୁ କରାଯାଇଛି।
