Indian captain's heroism on sand :ପୁରୀ ବେଳାଭୂମିରେ ଭାରତୀୟ କ୍ୟାପ୍ଟେନଙ୍କ ବୀରତାର ଚିତ୍ର
ପୁରୀ ବେଳାଭୂମିରେ ବାଲିରେ ଫୁଟିଲା ବୀରତାର ଚିତ୍ର। ଭାରତୀୟ ପାଇଲଟ୍ କ୍ୟାପ୍ଟେନ୍ ସ୍ମିତ୍ ମଚ୍ଛରଙ୍କ ସାହସକୁ ସମ୍ମାନ ଜଣାଇ ବାଲୁକାକଳା ପ୍ରସ୍ତୁତ କରିଛନ୍ତି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ।କ୍ୟାପ୍ଟେନ୍ ସ୍ମିତ୍ ମଚ୍ଛରଙ୍କୁ ସମଗ୍ର ଭାରତବାସୀଙ୍କ ପକ୍ଷରୁ ସାଲ୍ୟୁଟ୍ କରି ସମ୍ମାନ ଦେଇଛନ୍ତି ବାଲୁକା ଶିଳ୍ପୀ |
ପୁରୀ:ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ସମୁଦ୍ରକୂଳରେ ନିଜ ସୁନ୍ଦର ବାଲୁକାକଳା ମାଧ୍ୟମରେ କ୍ୟାପ୍ଟେନ୍ ମଚ୍ଛରଙ୍କ ସେହି ଅଦମ୍ୟ ବୀରତାର ଚିତ୍ରକୁ ଜୀବନ୍ତ କରିଛନ୍ତି | ତେଲ୍ ଆଭିଭ୍ ଅଭିମୁଖେ ଯାଉଥିବା ଫ୍ଲାଇଦୁବାଇ ବିମାନ FZ 1073 ର କକ୍ପିଟ୍ ଭିତରେ ଘଟିଥିବା ମରଣାନ୍ତକ ଆକ୍ରମଣ ସମୟରେ ନିଜ ଜୀବନକୁ ବାଜି ଲଗାଇଥିବା ଭାରତୀୟ ପାଇଲଟ୍ କ୍ୟାପ୍ଟେନ୍ ସ୍ମିତ୍ ମଚ୍ଛରଙ୍କ ସାହସକୁ ସମ୍ମାନ ଜଣାଇଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ସୂଚନାଯୋଗ୍ୟ ଯେ, ଉଡ଼ନ୍ତା ବିମାନରେ ଜଣେ ସହ-ପାଇଲଟ୍ ଧାରୁଆ ଅସ୍ତ୍ରରେ କ୍ୟାପ୍ଟେନ୍ ସ୍ମିତ୍ ମଚ୍ଛରଙ୍କ ଉପରେ ଆକ୍ରମଣ କରିଥିଲା। ପ୍ରବଳ ରକ୍ତସ୍ରାବ ଏବଂ ଗୁରୁତର ଆହତ ସତ୍ତ୍ୱେ କ୍ୟାପ୍ଟେନ୍ ମଚ୍ଛର ଅସୀମ ସାହସ ପ୍ରଦର୍ଶନ କରି ଆକ୍ରମଣକାରୀକୁ ପ୍ରତିରୋଧ କରିଥିଲେ ଏବଂ ବିମାନର ସନ୍ତୁଳନ ରକ୍ଷା କରି ଭିତରେ ଥିବା ୧୮୦ ଜଣ ଯାତ୍ରୀଙ୍କ ଜୀବନକୁ ଏକ ବଡ଼ ବିମାନ ଦୁର୍ଘଟଣାରୁ ସୁରକ୍ଷିତ ଉଦ୍ଧାର କରିଥିଲେ।"ସମଗ୍ର ଭାରତବାସୀଙ୍କ ପକ୍ଷରୁ କ୍ୟାପ୍ଟେନ୍ ସ୍ମିତ୍ ମଚ୍ଛରଙ୍କୁ ସାଲ୍ୟୁଟ୍। ଆପଣ ଶୀଘ୍ର ସୁସ୍ଥ ହୋଇ ଆମ ମଧ୍ୟକୁ ଫେରନ୍ତୁ।" ଏହି ବାଲୁକାକଳାକୁ ଦେଖିବା ପାଇଁ ପୁରୀ ବେଳାଭୂମିରେ ହଜାର ହଜାର ପର୍ଯ୍ୟଟକ ଓ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା। ପ୍ରତ୍ୟେକ ଦର୍ଶକ ବୀର ପାଇଲଟ୍ଙ୍କ ସାହସିକତା କଥା ଶୁଣି ଗର୍ବ ପ୍ରକାଶ କରିବା ସହ ତାଙ୍କ ସୁସ୍ଥତା ପାଇଁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ।
