କୁକୁ କୋହିଲଙ୍କ ଦେହାନ୍ତ ପରେ ଚର୍ଚ୍ଚାରେ ଅରୁଣା ଇରାନୀ
୭୭ ବର୍ଷରେ କୁକୁ କୋହିଲଙ୍କ ପରଲୋକ । କୁକୁଙ୍କ ଶେଷକୃତ୍ୟରେ ଭାବପ୍ରବଣ ଅରୁଣା ଇରାନୀ । ସାମ୍ନାକୁ ଆସିଲା ପୁରୁଣା ପ୍ରେମ କାହାଣୀ ।

ମୁମ୍ବାଇ: ଚଳଚ୍ଚିତ୍ର ନିର୍ଦ୍ଦେଶକ କୁକୁ କୋହିଲଙ୍କ ୭୭ ବର୍ଷ ବୟସରେ ଦେହାନ୍ତ ପରେ ପୁଣିଥରେ ଚର୍ଚ୍ଚାକୁ ଆସିଛି ତାଙ୍କ ବ୍ୟକ୍ତିଗତ ଜୀବନ। ସୂଚନା ଅନୁଯାୟୀ, ୨୫ ଅଗଷ୍ଟ ୨୦୨୬ରେ ମୁମ୍ବାଇର କୋକିଲାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ କୁକୁ କୋହିଲଙ୍କ ମୃତ୍ୟୁ ହୋଇଥିଲା। ହୃଦଘାତ ଯୋଗୁଁ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ସୋମବାର ରାତିରେ କୁକୁ କୋହିଲଙ୍କ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଏଞ୍ଜିଓପ୍ଲାଷ୍ଟି କରାଯାଇଥିଲା। ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା କୁହାଯାଉଥିଲେ ମଧ୍ୟ ପରେ ହୃଦଘାତରେ ତାଙ୍କର ପରଲୋକ ହୋଇଥିଲା। କୁକୁ କୋହିଲଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ ଦୀର୍ଘଦିନ ଧରି ଚର୍ଚ୍ଚାରେ ରହିଛି। ଅଭିନେତ୍ରୀ ଅରୁଣା ଇରାନୀଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିବା ଏବଂ ପରେ ଦୁହେଁ ଗୁପ୍ତ ଭାବେ ବିବାହ କରିଥିବା ନେଇ ବିଭିନ୍ନ ରିପୋର୍ଟ ପ୍ରକାଶ ପାଇଛି। ତେବେ ଦୁହିଁଙ୍କର କୌଣସି ସନ୍ତାନ ନଥିଲା। କୁକୁ କୋହିଲଙ୍କ ଶେଷକୃତ୍ୟ ୨୬ ଅଗଷ୍ଟରେ ମୁମ୍ବାଇରେ ସମ୍ପନ୍ନ ହୋଇଥିଲା। ଏହି ସମୟରେ ଅରୁଣା ଇରାନୀଙ୍କୁ ଭାବପ୍ରବଣ ଅବସ୍ଥାରେ ଦେଖିବାକୁ ମିଳିଥିଲା। ତାଙ୍କ ସହ ଅନେକ ଚଳଚ୍ଚିତ୍ର ଜଗତର କଳାକାର ମଧ୍ୟ କୁକୁ କୋହିଲଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ପହଞ୍ଚିଥିଲେ। ଏହି ଅବସରରେ ରୋହିତ ସେଠୀ, ଭିକି କୌଶଲ, କ୍ୟାଟ୍ରିନା କୈଫ, ଶାମ କୌଶଲଙ୍କ ସମେତ ଅନ୍ୟମାନଙ୍କୁ ଦେଖାଯାଇଥିଲା। ଜାଭେଦ ଅଖତର, ଶବାନା ଆଜମୀ, ରାଜ ମୁରାଦ ଓ ଦୀପକ ପରାଶର ମଧ୍ୟ ଶେଷଦର୍ଶନରେ ଉପସ୍ଥିତ ଥିଲେ। କୁକୁ କୋହିଲଙ୍କ ଦେହାନ୍ତ ସହ ତାଙ୍କ ଚଳଚ୍ଚିତ୍ର ଜୀବନ ସହିତ ଜଡ଼ିତ ସ୍ମୃତି ଏବଂ ଅରୁଣା ଇରାନୀଙ୍କ ସହ ତାଙ୍କ ସମ୍ପର୍କ ପୁଣିଥରେ ଚର୍ଚ୍ଚାର କେନ୍ଦ୍ରକୁ ଆସିଛି।
