Odisha Tradition: ଓଡ଼ିଆ ସଂସ୍କୃତି ଓ ପରମ୍ପରାର ମହକ, ‘କୁଆଁର ପୁନେଇ ଜହ୍ନଲୋ’ ଆଣୁଛି ନୂଆ ପରିଚୟ
ହଜିଲା ପରମ୍ପରାକୁ ଫେରାଇ ଆଣୁଛି ‘କୁଆଁର ପୁନେଇ ଜହ୍ନଲୋ’, ୧୭ ବର୍ଷ ଧରି ଜାରି ରହିଛି ପ୍ରୟାସ।
ବ୍ରହ୍ମପୁର: ଓଡ଼ିଆ ସଂସ୍କୃତି ଓ ପରମ୍ପରାର ସ୍ୱତନ୍ତ୍ର ପରିଚୟ ରହିଛି। ଗାଁ ଗହଳିର ପାରମ୍ପରିକ ଖେଳକୁଦ, ଲୋକକଳା ଓ ଲୋକପରମ୍ପରା ଆମ ଜୀବନଶୈଳୀର ଅବିଚ୍ଛେଦ୍ୟ ଅଙ୍ଗ। କିନ୍ତୁ ଆଧୁନିକତାର ଚାକଚକ୍ୟ ଓ ମୋବାଇଲ୍ର ବଢ଼ୁଥିବା ପ୍ରଭାବ ମଧ୍ୟରେ ଧୀରେ ଧୀରେ ହଜିବାକୁ ବସିଛି ଅନେକ ପାରମ୍ପରିକ ଖେଳ ଓ ପରମ୍ପରା। ଏଭଳି ସମୟରେ ହଜିଯାଉଥିବା ଓଡ଼ିଆ ପରମ୍ପରାକୁ ପୁନର୍ଜୀବିତ କରିବାର ଉଦ୍ୟମ ଜାରି ରଖିଛି ବ୍ରହ୍ମପୁରର ମଧୁମୟୀ ପାଣିଗ୍ରାହୀ ଫାଉଣ୍ଡେସନ। ଦୀର୍ଘ ୧୭ ବର୍ଷ ଧରି ଏହି ଅନୁଷ୍ଠାନ ‘କୁଆଁର ପୁନେଇ ଜହ୍ନଲୋ’ ମଞ୍ଚ ମାଧ୍ୟମରେ ଓଡ଼ିଆ କଳା, ସଂସ୍କୃତି ଓ ପରମ୍ପରାର ସୁରକ୍ଷା ଦିଗରେ କାର୍ଯ୍ୟ କରିଆସୁଛି। ପୁଚି ଖେଳ, କଉଡ଼ି ଖେଳଠାରୁ ଆରମ୍ଭ କରି ଶଙ୍ଖନାଦ ଭଳି ପାରମ୍ପରିକ କଳା ଓ ପ୍ରତିଭାକୁ ଏହି ମଞ୍ଚରେ ପ୍ରୋତ୍ସାହନ ଦିଆଯାଉଛି। ଏହାଦ୍ୱାରା ନୂଆ ପିଢ଼ି ନିଜ ମାଟିର ପରମ୍ପରା ସହ ଯୋଡ଼ି ହେବାର ସୁଯୋଗ ପାଉଛନ୍ତି। କେବଳ ପରମ୍ପରାର ସୁରକ୍ଷା ନୁହେଁ, ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଭାଙ୍କୁ ସମ୍ମାନିତ କରିବା ମଧ୍ୟ ଏହି ମଞ୍ଚର ଅନ୍ୟତମ ଉଦ୍ଦେଶ୍ୟ। ପ୍ରଥମେ ବ୍ରହ୍ମପୁର ଓ ଗଞ୍ଜାମ ଜିଲ୍ଲାର ପ୍ରତିଭାଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ଉଦ୍ୟମ ଏବେ ବ୍ୟାପକ ପରିଚିତି ହାସଲ କରିଛି। ଚଳିତ କାର୍ଯ୍ୟକ୍ରମରେ କୋରାପୁଟସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅଜିତ କୁମାର ସସନୀ, ଦୁବାଇ ଓଡ଼ିଆ ସମାଜର ପ୍ରତିଷ୍ଠାତା ଇଞ୍ଜିନିୟର ଦେବାଶିଷ ଦାଶ ଏବଂ ଆଇଆରଇଏଲ୍ ମୁଖ୍ୟ ସି. ଭି. ରାମଣାମୂର୍ତ୍ତି ଯୋଗଦେଇଥିଲେ। ଅନ୍ତର୍ଜାତୀୟ କରାଟେ ଖେଳାଳି ଲୋମା ସ୍ୱାଇଁ ଓ ମିସ୍ ଟିନ୍ ୟୁନିଭର୍ସ ପ୍ରାୟୁଷୀ ପଣ୍ଡାଙ୍କ ଉପସ୍ଥିତି କାର୍ଯ୍ୟକ୍ରମକୁ ଆହୁରି ଆକର୍ଷଣୀୟ କରିଥିଲା। ଓଡ଼ିଆ ଅସ୍ମିତାର ପ୍ରତୀକ ପାରମ୍ପରିକ ଖେଳ, ଲୋକକଳା ଓ ସଂସ୍କୃତିକୁ ଆଗାମୀ ପିଢ଼ି ପାଇଁ ବଞ୍ଚାଇ ରଖିବା ଏବେ ସମୟର ଆହ୍ୱାନ। ‘କୁଆଁର ପୁନେଇ ଜହ୍ନଲୋ’ ମାଧ୍ୟମରେ ମଧୁମୟୀ ପାଣିଗ୍ରାହୀ ଫାଉଣ୍ଡେସନ ଏହି ଦିଗରେ ନିଜର ପ୍ରୟାସ ଜାରି ରଖିଛି।
