Cyclone: ବାତ୍ୟା ‘ଅର୍ଣ୍ଣବ’କୁ ନେଇ ବଢ଼ିଲା ଚିନ୍ତା, ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ଉପକୂଳ ପାଇଁ ସତର୍କତା; ପ୍ରସ୍ତୁତ ରାଜ୍ୟ ସରକାର
ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ନେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଉପକୂଳରେ ସତର୍କତା ଜାରି। ଓଡ଼ିଶାର ୬ ଜିଲ୍ଲାକୁ ଅରେଞ୍ଜ ଓ ୧୭ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଥିବାବେଳେ ଉଦ୍ଧାର, ରିଲିଫ୍ ଓ ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିଛନ୍ତି ରାଜ୍ୟ ସରକାର।
ଭୁବନେଶ୍ୱର: ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ନେଇ ବଢ଼ିଛି ଚିନ୍ତା। ବାତ୍ୟାର ଗତି ଓ ତୀବ୍ରତାକୁ ନଜରରେ ରଖି ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ପାଇଁ ସତର୍କତା ଜାରି କରାଯାଇଥିବା ସୂଚନା ମିଳିଛି। ଆକଳନ ଅନୁଯାୟୀ, ୨୭ ଅକ୍ଟୋବରରେ ବାତ୍ୟା ଅତି ଭୀଷଣ ରୂପ ନେଇପାରେ। ୨୮ ଅକ୍ଟୋବର ପୂର୍ବାହ୍ନ ସୁଦ୍ଧା ୟାନାମ ନିକଟରେ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବାର ଆଶଙ୍କା ରହିଛି। ସମ୍ଭାବ୍ୟ ବାତ୍ୟା ସ୍ଥଳଭାଗ ଅତିକ୍ରମ କରିବା ସମୟରେ ପବନର ସ୍ଥାୟୀ ବେଗ ଘଣ୍ଟାପ୍ରତି ୧୧୫ରୁ ୧୨୫ କିଲୋମିଟର ରହିପାରେ। ଝଟକା ପବନର ବେଗ ୧୪୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିବାର ଆଶଙ୍କା ରହିଛି। ବାତ୍ୟାର ସମ୍ଭାବ୍ୟ ଗତିପଥ ଓ ତୀବ୍ରତା ଉପରେ ପାଣିପାଗ ବିଭାଗ ନଜର ରଖିଛି। ବାତ୍ୟାର ପ୍ରଭାବରେ ଓଡ଼ିଶାରେ ଦୁଇ ଦିନ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନାକୁ ଦୃଷ୍ଟିରେ ରଖି ୬ଟି ଜିଲ୍ଲାକୁ ଅରେଞ୍ଜ ଏବଂ ୧୭ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଥିବା ଉଲ୍ଲେଖ କରାଯାଇଛି। ଲୋକଙ୍କୁ ସତର୍କ ରହିବା ସହ ପ୍ରଶାସନର ନିର୍ଦ୍ଦେଶ ପାଳନ କରିବାକୁ ପରାମର୍ଶ ଦିଆଯାଇଛି। ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଆଗୁଆ ପ୍ରସ୍ତୁତି କରିଛନ୍ତି ରାଜ୍ୟ ସରକାର। ମାଇକ୍ରୋ ପ୍ଲାନ୍ ପ୍ରସ୍ତୁତ ରହିଥିବା କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ।
ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ପାଇଁ ୮ଟି ଏନ୍ଡିଆର୍ଏଫ୍ ଟିମ୍ ଏବଂ ୪୦ଟି ଓଡ୍ରାଫ୍ ଟିମ୍ ସହ ଅଗ୍ନିଶମ ବାହିନୀକୁ ପ୍ରସ୍ତୁତ ରଖାଯାଇଛି। ସେହିପରି ୧୩୫ଟି ବାତ୍ୟା ଆଶ୍ରୟସ୍ଥଳୀ ଓ ୧୬୦୦ଟି ଅସ୍ଥାୟୀ ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖାଯାଇଥିବା ସୂଚନା ଦିଆଯାଇଛି। ବାତ୍ୟା ସମୟରେ ଗର୍ଭବତୀ ମହିଳାଙ୍କ ସୁରକ୍ଷାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ୩ ହଜାରରୁ ଅଧିକ ଗର୍ଭବତୀ ମହିଳାଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ସ୍ଥିତି ଉପରେ ନଜର ରଖାଯାଇଛି। ବାତ୍ୟା ପ୍ରସ୍ତୁତି ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ହୋଇଛି। ମୁଖ୍ୟ ଶାସନ ସଚିବ କ୍ୟାବିନେଟ୍ ସଚିବଙ୍କୁ ପ୍ରସ୍ତୁତି ସମ୍ପର୍କରେ ଅବଗତ କରାଇଛନ୍ତି। ବିଦ୍ୟୁତ୍, ଜଳସମ୍ପଦ ଓ ଉଦ୍ଧାରକାରୀ ଟିମ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆବଶ୍ୟକ ପଡ଼ିଲେ କେନ୍ଦ୍ରୀୟ ସଂସ୍ଥା ଓ ସେନାର ସହଯୋଗ ନିଆଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି। ଆତଙ୍କିତ ନହୋଇ ସତର୍କ ରହିବା, ପ୍ରଶାସନର ନିର୍ଦ୍ଦେଶ ମାନିବା ଏବଂ ସୁରକ୍ଷିତ ସ୍ଥାନରେ ରହିବାକୁ ଲୋକଙ୍କୁ ଅପିଲ୍ କରାଯାଇଛି। ବାତ୍ୟା ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବାର ଆଶଙ୍କା ଥିବାରୁ ମତ୍ସ୍ୟଜୀବୀଙ୍କୁ ୨୮ରୁ ୨୯ ଅକ୍ଟୋବର ପର୍ଯ୍ୟନ୍ତ ସମୁଦ୍ରକୁ ନଯିବାକୁ ପରାମର୍ଶ ଦିଆଯାଇଛି। ପାଣିପାଗ ବିଭାଗର ସଦ୍ୟତମ ସୂଚନା ଉପରେ ନଜର ରଖିବା ସହ ଅଧିକୃତ ନିର୍ଦ୍ଦେଶ ପାଳନ କରିବାକୁ କୁହାଯାଇଛି। ସମ୍ଭାବ୍ୟ ବାତ୍ୟାକୁ ନେଇ ଓଡ଼ିଶା ପ୍ରଶାସନ ସତର୍କ ରହିଥିବା ବେଳେ ଲୋକଙ୍କ ସୁରକ୍ଷା ଓ ଜରୁରୀକାଳୀନ ପ୍ରସ୍ତୁତି ଉପରେ ଗୁରୁତ୍ୱ ଦିଆଯାଉଛି।
