Kotia Issue: କୋଟିଆ କଳି: ଆସନ୍ତାକାଲି ବସିବ ୧୬ ଜଣିଆ କମିଟି ବୈଠକ, ତେଜିଲା ରାଜନୀତି
କୋଟିଆ ବିବାଦକୁ ନେଇ ତେଜିଲା ରାଜନୀତି। ଆସନ୍ତାକାଲି ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ବସିବ ୧୬ ଜଣିଆ କମିଟି ବୈଠକ। ବିଜେଡି ଓ କଂଗ୍ରେସର ପ୍ରଶ୍ନ, ବିଜେପିର ଜବାବ।
କୋଟିଆ: କୋଟିଆକୁ ନେଇ ଓଡ଼ିଶାରେ ରାଜନୈତିକ ବାକ୍ଯୁଦ୍ଧ ଥମିବାର ନାଁ ନେଉନାହିଁ। ଗୋଟିଏ ପଟେ ଆନ୍ଧ୍ରପ୍ରଦେଶର ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା, ଅନ୍ୟପଟେ ଓଡ଼ିଶାର ସୀମା ସୁରକ୍ଷାକୁ ନେଇ ଆରୋପ-ପ୍ରତ୍ୟାରୋପ ଜାରି ରହିଛି। ଏହାରି ମଧ୍ୟରେ କୋଟିଆରେ ହୋଇଥିବା ବିକାଶ କାର୍ଯ୍ୟର ସମୀକ୍ଷା ପାଇଁ ଆସନ୍ତାକାଲି ବସିବ ୧୬ ଜଣିଆ କମିଟିର ବୈଠକ। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକ ଉପରେ ରହିଛି ସମସ୍ତଙ୍କ ନଜର। କୋରାପୁଟ ଜିଲ୍ଲାର କୋଟିଆ ଅଞ୍ଚଳକୁ ନେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଦୀର୍ଘଦିନ ଧରି ବିବାଦ ଲାଗିରହିଛି। ଏହି ପ୍ରସଙ୍ଗରେ ଓଡ଼ିଶା ସରକାର ଆଇନଗତ ଲଢ଼େଇ ଜାରି ରଖିଥିବା କହିଛନ୍ତି। ଆସନ୍ତାକାଲିର ବୈଠକରେ ଗତ ଅଢ଼େଇ ବର୍ଷ ମଧ୍ୟରେ କୋଟିଆରେ କେତେ ବିକାଶ ହୋଇଛି, କେଉଁ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି ଏବଂ କେଉଁ କାମ ବାକି ରହିଛି, ସେନେଇ ସମୀକ୍ଷା କରାଯିବ। ଆଗାମୀ ଦିନରେ ଅଞ୍ଚଳର ବିକାଶ ପାଇଁ କେଉଁ ପଦକ୍ଷେପ ନିଆଯିବ, ସେନେଇ ମଧ୍ୟ ଆଲୋଚନା ହେବ।
ସରକାରଙ୍କ ଏହି ପଦକ୍ଷେପରେ ସନ୍ତୁଷ୍ଟ ନୁହେଁ ବିଜେଡି। ବିରୋଧୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କୋଟିଆ ପ୍ରସଙ୍ଗରେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ଦାବି କରିଛନ୍ତି। ୧୬ ଜଣିଆ କମିଟି ଦ୍ୱାରା ଏତେ ବଡ଼ ସମସ୍ୟାର ସମାଧାନ କିପରି ହେବ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି। ଏଥିସହ ସୀମା ସୁରକ୍ଷା କମିଟିର ଭୂମିକା, ସର୍ବଦଳୀୟ ବୈଠକ ଓ ବିକାଶ ପାଇଁ ଖର୍ଚ୍ଚ ହୋଇଥିବା ଅର୍ଥର ହିସାବ ନେଇ ମଧ୍ୟ ବିଜେଡି ପ୍ରଶ୍ନ କରିଛି। କଂଗ୍ରେସ ନେତା ଜୟଦେବ ଜେନା କହିଛନ୍ତି, କୋଟିଆରେ କ୍ୟାବିନେଟ୍ ବୈଠକ କରିବା କେବଳ ପ୍ରତୀକାତ୍ମକ ପଦକ୍ଷେପ। ଏହାଦ୍ୱାରା ସୀମା ବିବାଦର ସ୍ଥାୟୀ ସମାଧାନ ହେବନାହିଁ। ଆନ୍ଧ୍ର ସରକାରଙ୍କ ବିରୋଧରେ ଦୃଢ଼ ଆଭିମୁଖ୍ୟ ନେବାକୁ ସେ ଦାବି କରିଛନ୍ତି। ଅନ୍ୟପଟେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, କୋଟିଆ ଓଡ଼ିଶାର ଏବଂ ଏହି ପ୍ରସଙ୍ଗରେ ସରକାର କୌଣସି ସାଲିସ୍ କରିବେ ନାହିଁ। ସମସ୍ୟାର ସମାଧାନ ପାଇଁ ସମସ୍ତ ଦଳର ସହଯୋଗ ଆବଶ୍ୟକ ବୋଲି ସେ କହିଛନ୍ତି। କୋଟିଆର ବିକାଶ, ସୀମା ସୁରକ୍ଷା ଓ ବିବାଦର ସ୍ଥାୟୀ ସମାଧାନ ଏବେ ମୁଖ୍ୟ ପ୍ରସଙ୍ଗ ପାଲଟିଛି। ଆସନ୍ତାକାଲିର ୧୬ ଜଣିଆ କମିଟି ବୈଠକରେ କେଉଁ ନିଷ୍ପତ୍ତି ନିଆଯିବ ଏବଂ ଆଗକୁ ସରକାରଙ୍କ ରଣନୀତି କ’ଣ ରହିବ, ତାହା ଉପରେ ସମସ୍ତଙ୍କ ନଜର।
