Gajalaxmi Puja: ଧରାବତରଣ କରିଛନ୍ତି ମା’ ଗଜଲକ୍ଷ୍ମୀ, ଉତ୍ସବମୁଖର କେନ୍ଦ୍ରାପଡ଼ା
କେନ୍ଦ୍ରାପଡ଼ାରେ ଧୁମ୍ଧାମରେ ପାଳନ ହେଉଛି ମା’ ଗଜଲକ୍ଷ୍ମୀଙ୍କ ପୂଜା। ୬୮ଟି ମଣ୍ଡପରେ ପୂଜାର୍ଚ୍ଚନା, ଆକର୍ଷଣୀୟ ଆଲୋକସଜ୍ଜା ଓ ସୁରକ୍ଷା ପାଇଁ ପୋଲିସ ମୁତୟନ।
କେନ୍ଦ୍ରାପଡ଼ା, : ଧରାବତରଣ କରିଛନ୍ତି ମା’ ଗଜଲକ୍ଷ୍ମୀ। ମା’ଙ୍କ ଆଗମନରେ ଉତ୍ସବମୁଖର ହୋଇଉଠିଛି ସମଗ୍ର କେନ୍ଦ୍ରାପଡ଼ା ସହର। କେନ୍ଦ୍ରାପଡ଼ାର ଗଣପର୍ବ ଭାବେ ପରିଚିତ ମା’ ଗଜଲକ୍ଷ୍ମୀଙ୍କ ପୂଜାକୁ ନେଇ ସବୁଠି ଦେଖିବାକୁ ମିଳିଛି ଉତ୍ସାହ ଓ ଉଦ୍ଦୀପନା। ସୁନ୍ଦର ତୋରଣ, ଆକର୍ଷଣୀୟ ଆଲୋକସଜ୍ଜା ଏବଂ ମନୋରମ ପୂଜା ମଣ୍ଡପ ଶ୍ରଦ୍ଧାଳୁଙ୍କ ମନ ମୋହୁଥିବା ବେଳେ ପ୍ରାୟ ୬୮ଟି ମଣ୍ଡପରେ ପୂଜା ପାଉଛନ୍ତି ମା’ ଗଜଲକ୍ଷ୍ମୀ। ଏହି ପାରମ୍ପରିକ ପର୍ବ କେବଳ ଏକ ଧାର୍ମିକ ଉତ୍ସବ ନୁହେଁ, ବରଂ କେନ୍ଦ୍ରାପଡ଼ାବାସୀଙ୍କ ଆସ୍ଥା, ବିଶ୍ୱାସ ଓ ସାଂସ୍କୃତିକ ଐତିହ୍ୟର ପ୍ରତୀକ। ମା’ଙ୍କ ଆରାଧନା ପାଇଁ ବିଭିନ୍ନ ପୂଜା ମଣ୍ଡପରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଓ ନୀତିକାନ୍ତି ଆୟୋଜନ କରାଯାଉଛି। ସନ୍ଧ୍ୟା ହେବା ମାତ୍ରେ ରଙ୍ଗବେରଙ୍ଗ ଆଲୋକରେ ଝଲସି ଉଠୁଛି ସହରର ଗଳିକନ୍ଦି ଓ ପୂଜା ମଣ୍ଡପ। ମା’ଙ୍କ ଦର୍ଶନ ପାଇଁ ବିଭିନ୍ନ ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଥିବା ବେଳେ ପରିବାର ସହ ଲୋକମାନେ ପୂଜାର ଆନନ୍ଦ ଉଠାଉଛନ୍ତି। ଏହି ଗଣପର୍ବ ଅବସରରେ ଭାଇଚାରା, ସାମାଜିକ ଏକତା ଓ ସାଂସ୍କୃତିକ ପରମ୍ପରାର ଅନନ୍ୟ ଝଲକ ଦେଖିବାକୁ ମିଳୁଛି। ମା’ ଗଜଲକ୍ଷ୍ମୀଙ୍କ ଆଶୀର୍ବାଦରେ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିରେ ଭରିଉଠୁ ବୋଲି କାମନା କରିଛନ୍ତି ପୂଜା କମିଟିର ସଦସ୍ୟମାନେ।
ଅନ୍ୟପକ୍ଷରେ, ସାତଦିନ ଧରି ଚାଲିବାକୁ ଥିବା ଏହି ପୂଜାକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆଇନଶୃଙ୍ଖଳା ରକ୍ଷା ଓ ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ପୂଜା ମଣ୍ଡପ ନିକଟରେ ପୋଲିସ ମୁତୟନ କରାଯାଇଛି। ଭକ୍ତି, ଆନନ୍ଦ ଓ ଉତ୍ସାହର ମାହୋଲ ମଧ୍ୟରେ ମା’ ଗଜଲକ୍ଷ୍ମୀଙ୍କ ପୂଜାକୁ ନେଇ ଚଳଚଞ୍ଚଳ ହୋଇପଡ଼ିଛି ସମଗ୍ର କେନ୍ଦ୍ରାପଡ଼ା।
