କୁମ୍ଭମେଳାର ଭାଇରାଲ ଗାର୍ଲଙ୍କ ସ୍ୱାମୀଙ୍କୁ ଅଦାଲତି ଝଟକା
ଏହାପୂର୍ବରୁ କେରଳ ହାଇକୋର୍ଟ ଫରମାନ ଖାନଙ୍କୁ ଏକ ମାସର ଟ୍ରାଞ୍ଜିଟ ଅଗ୍ରୀମ ଜାମିନ ଦେଇ ମଧ୍ୟପ୍ରଦେଶର ସମ୍ପୃକ୍ତ ଅଦାଲତରେ ନିୟମିତ ଅଗ୍ରୀମ ଜାମିନ ପାଇଁ ଆବେଦନ କରିବାକୁ ସୁଯୋଗ ଦେଇଥିଲେ। କିନ୍ତୁ ମଧ୍ୟପ୍ରଦେଶର ପୋକ୍ସୋ ବିଶେଷ ଅଦାଲତ ତାଙ୍କ ଅଗ୍ରୀମ ଜାମିନ ଆବେଦନ ଖାରଜ କରିବା ପରେ ସେ ପୁଣି କେରଳ ହାଇକୋର୍ଟରେ ସୁରକ୍ଷା ଅବଧି ବଢ଼ାଇବାକୁ ଅନୁରୋଧ କରିଥିଲେ।

କୁମ୍ଭମେଳାରେ ଭାଇରାଲ ହୋଇଥିବା ମୋନାଲିସା ଭୋସଲେଙ୍କ ସ୍ୱାମୀ ମହମ୍ମଦ ଫରମାନ ଖାନଙ୍କୁ କେରଳ ହାଇକୋର୍ଟରୁ ବଡ଼ ଝଟକା ଲାଗିଛି। ମଧ୍ୟପ୍ରଦେଶରେ ତାଙ୍କ ବିରୋଧରେ ରୁଜୁ ହୋଇଥିବା ଅପହରଣ ମାମଲାରେ ପୂର୍ବରୁ ମିଳିଥିବା ଏକ ମାସର ଟ୍ରାଞ୍ଜିଟ୍ ଅଗ୍ରୀମ ଜାମିନର ସୁରକ୍ଷା ଅବଧିକୁ ବଢ଼ାଇବାକୁ ହାଇକୋର୍ଟ ମନା କରିଦେଇଛନ୍ତି। ଜଷ୍ଟିସ କୌସର ଏଡାପ୍ପାଗଥ କହିଥିଲେ ଯେ, ସର୍ବୋଚ୍ଚ ନ୍ୟାୟାଳୟଙ୍କ ପ୍ରିୟା ଇଣ୍ଡୋରିଆ ରାୟ ଅନୁସାରେ, ଯେଉଁ ରାଜ୍ୟରେ ଏତଲା ରୁଜୁ ହୋଇଛି, ସାଧାରଣତଃ ସେହି ରାଜ୍ୟର ଅଦାଲତ ହିଁ ଅଗ୍ରୀମ ଜାମିନ ଆବେଦନର ବିଚାର କରିବେ। ତେଣୁ କେରଳ ହାଇକୋର୍ଟଙ୍କ ପାଖରେ ଏହି ସୁରକ୍ଷାକୁ ଆହୁରି ବଢ଼ାଇବାର କ୍ଷମତା ନାହିଁ। ଏହାପୂର୍ବରୁ କେରଳ ହାଇକୋର୍ଟ ଫରମାନ ଖାନଙ୍କୁ ଏକ ମାସର ଟ୍ରାଞ୍ଜିଟ ଅଗ୍ରୀମ ଜାମିନ ଦେଇ ମଧ୍ୟପ୍ରଦେଶର ସମ୍ପୃକ୍ତ ଅଦାଲତରେ ନିୟମିତ ଅଗ୍ରୀମ ଜାମିନ ପାଇଁ ଆବେଦନ କରିବାକୁ ସୁଯୋଗ ଦେଇଥିଲେ। କିନ୍ତୁ ମଧ୍ୟପ୍ରଦେଶର ପୋକ୍ସୋ ବିଶେଷ ଅଦାଲତ ତାଙ୍କ ଅଗ୍ରୀମ ଜାମିନ ଆବେଦନ ଖାରଜ କରିବା ପରେ ସେ ପୁଣି କେରଳ ହାଇକୋର୍ଟରେ ସୁରକ୍ଷା ଅବଧି ବଢ଼ାଇବାକୁ ଅନୁରୋଧ କରିଥିଲେ। ଫରମାନ ଖାନଙ୍କ ବିରୋଧରେ ମୋନାଲିସାଙ୍କ ବାପା ମଧ୍ୟପ୍ରଦେଶରେ ଅପହରଣ ମାମଲା ରୁଜୁ କରିଛନ୍ତି। ଏହା ସହ ମୋନାଲିସା ବିବାହ ସମୟରେ ନାବାଳିକା ଥିବା ଏବଂ ବିବାହର ବୈଧତାକୁ ନେଇ ମଧ୍ୟ ବିବାଦ ଚାଲିଛି। ମହାକୁମ୍ଭ ମେଳାରେ ରୁଦ୍ରାକ୍ଷ ମାଳା ବିକ୍ରି କରୁଥିବା ବେଳେ ଭାଇରାଲ୍ ହୋଇଥିବା ମୋନାଲିସା ଭୋସଲେଙ୍କ ସ୍ୱାମୀ ମହମ୍ମଦ ଫରମାନ ଖାନଙ୍କ ବିରୋଧରେ ପୋକ୍ସୋ (POCSO) ଆଇନ ଅନୁଯାୟୀ ମାମଲା ରୁଜୁ ହୋଇଛି। ଜାତୀୟ ଅନୁସୂଚିତ ଜନଜାତି ଆୟୋଗ (NCST)ର ତଦନ୍ତ ପରେ ମଧ୍ୟପ୍ରଦେଶର ଖରଗୋନ ଜିଲ୍ଲାର ମହେଶ୍ୱର ଥାନାରେ ଏହି ମାମଲା ଦାଖଲ କରାଯାଇଛି। ତଦନ୍ତରେ ଆୟୋଗ ଦାବି କରିଛି ଯେ, ମୋନାଲିସାଙ୍କ ବୟସ ବିବାହ ସମୟରେ ୧୮ ବର୍ଷ ନୁହେଁ, ବରଂ ପ୍ରାୟ ୧୬ ବର୍ଷ ଥିଲା। ସରକାରୀ ହସ୍ପିଟାଲର ଜନ୍ମ ରେକର୍ଡ ଅନୁଯାୟୀ ତାଙ୍କ ଜନ୍ମ ୩୦ ଡିସେମ୍ୱର ୨୦୦୯ରେ ହୋଇଥିଲା। ୧୧ ମାର୍ଚ୍ଚ ୨୦୨୬ରେ କେରଳରେ ବିବାହ ସମୟରେ ସେ ପ୍ରାୟ ୧୬ ବର୍ଷ ୨ ମାସ ବୟସର ଥିଲେ। ଏହି ତଥ୍ୟ ଆଧାରରେ ପୋଲିସ ଫରମାନ ଖାନଙ୍କ ବିରୋଧରେ ପୋକ୍ସୋ ଆଇନ ସହ ଅନ୍ୟାନ୍ୟ ପ୍ରଯୁଜ୍ୟ ଆଇନ ଅନୁଯାୟୀ ମାମଲା ରୁଜୁ କରିଛି। ଏହା ସହ ଜାଲ୍ ଜନ୍ମ ପ୍ରମାଣପତ୍ର ବ୍ୟବହାର କରି ବିବାହ ପଞ୍ଜୀକରଣ କରାଯାଇଥିବା ଅଭିଯୋଗର ମଧ୍ୟ ତଦନ୍ତ ଚାଲିଛି। ଅନ୍ୟପଟେ ଫରମାନ ଖାନ ଓ ମୋନାଲିସା ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେମାନଙ୍କ କହିବା ଅନୁସାରେ, ମୋନାଲିସା ବିବାହ ସମୟରେ ସାବାଳିକା ଥିଲେ ଏବଂ ସେମାନଙ୍କ ପାଖରେ ବୈଧ ଦସ୍ତାବିଜ ରହିଛି। ବୟସକୁ ନେଇ ବିବାଦ ଏବେ ଅଦାଲତ ଓ ତଦନ୍ତକାରୀ ସଂସ୍ଥାଙ୍କ ବିଚାରାଧୀନ ରହିଛି।
