ଆରଏସଏସ ବିରୋଧୀ ମନ୍ତବ୍ୟ - ଖଡ଼ଗେଙ୍କୁ କୋର୍ଟ ସମନ
ସେ ଆରଏସଏସ୍କୁ ନିଷିଦ୍ଧ ବା ବ୍ୟାନ୍ କରିବାକୁ ସେ ଦାବି କରୁନାହାନ୍ତି। ବରଂ ସଂଗଠନଟି ଆଇନର ପରିସର ମଧ୍ୟରେ ରହି ସ୍ୱଚ୍ଛ ଭାବେ କାର୍ଯ୍ୟ କରୁ ବୋଲି ଚାହୁଁଛନ୍ତି। ସେ କହିଥିଲେ, "ଗୃହମନ୍ତ୍ରୀ ଭାବେ କୌଣସି ସଂଗଠନକୁ ଆଇନ ବାହାରେ କାର୍ଯ୍ୟ କରିବାକୁ ସେ ଦେବେନି।

ଆରଏସଏସ୍ (RSS) ବିରୋଧରେ କଥିତ ମାନହାନିକର ମନ୍ତବ୍ୟ ମାମଲାରେ କର୍ଣ୍ଣାଟକର ଗୃହମନ୍ତ୍ରୀ ପ୍ରିୟଙ୍କ ଖଡ଼ଗେ ଏବଂ କଂଗ୍ରେସ ନେତା ମହମ୍ମଦ ହାରିସ ନାଲାପାଡ୍ଙଙ୍କୁ ବେଙ୍ଗାଲୁରୁର ଏକ ଅଦାଲତ ସମନ ଜାରି କରିଛନ୍ତି। ବେଙ୍ଗାଲୁରୁର XLII ଅତିରିକ୍ତ ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ୍ (ACJM) ଅଦାଲତ ଜୁନ୍ ୨୭ରେ ଏହି ମାମଲାକୁ ଗ୍ରହଣ କରି ଉଭୟଙ୍କୁ ଜୁଲାଇ ୨୧, ୨୦୨୬ରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ବ୍ୟକ୍ତିଗତ ଅଭିଯୋଗ ବେଙ୍ଗାଲୁରୁର ଆରଏସଏସ୍ କର୍ମୀ ଏ. ତେଜସ୍ ଦାଖଲ କରିଥିଲେ। ଅଭିଯୋଗରେ କୁହାଯାଇଛି ଯେ, ୨୦୨୫ ମସିହାରେ ପ୍ରିୟଙ୍କ ଖଡ଼ଗେ ସୋସିଆଲ୍ ମିଡିଆ ପୋଷ୍ଟ ଓ ସାର୍ବଜନିକ ବୟାନ ମାଧ୍ୟମରେ ଆରଏସଏସ୍ ଏବଂ ଏହାର ସଦସ୍ୟଙ୍କ ବିରୋଧରେ ଅପମାନଜନକ ଓ ମାନହାନିଜନକ ମନ୍ତବ୍ୟ ଦେଇଥିଲେ। ନାଲାପାଡ୍ ମଧ୍ୟ ଏକ ୟୁଟ୍ୟୁବ୍ ସାକ୍ଷାତକାରରେ ଆରଏସଏସ୍କୁ ନେଇ ଆପତ୍ତିଜନକ ମନ୍ତବ୍ୟ କରିଥିବା ଅଭିଯୋଗ ରହିଛି। ଅଦାଲତ ଭାରତୀୟ ନ୍ୟାୟ ସଂହିତା (BNS)ର ଧାରା ୩୫୬ ଅନୁଯାୟୀ ଅପରାଧିକ ମାନହାନି ମାମଲାର ପ୍ରାଥମିକ ଆଧାର ଥିବା ମନେ କରି ଖଡ଼ଗେ ଓ ମହମ୍ମଦ ନାଲାପାଡଙ୍କ ବିରୋଧରେ ସମନ ଜାରି କରିଛନ୍ତି। ତେବେ ଏହି ମାମଲାରେ ନାଁ ଥିବା କର୍ଣ୍ଣାଟକର ସ୍ୱାସ୍ଥ୍ୟମନ୍ତ୍ରୀ ଦିନେଶ ଗୁଣ୍ଡୁ ରାଓଙ୍କ ବିରୋଧରେ ଏହି ପର୍ଯ୍ୟାୟରେ କାର୍ଯ୍ୟାନୁଷ୍ଠାନ କରିବାକୁ ଅଦାଲତ ମନା କରିଛନ୍ତି। ଦିନେଶଙ୍କ ବିରୁଦ୍ଧରେ ପର୍ଯ୍ୟାପ୍ତ ଆଧାର ନଥିବା ଦର୍ଶାଇଛନ୍ତି ଅଦାଲତ। ସମନ ପରେ ପ୍ରତିକ୍ରିୟା ଦେଇ ପ୍ରିୟଙ୍କ ଖଡ଼ଗେ କହିଛନ୍ତି ଯେ ସେ ଅଦାଲତଙ୍କ ଆଦେଶକୁ ସମ୍ମାନ କରିବେ ଏବଂ ଆଇନଗତ ଭାବେ ଏହି ମାମଲାର ମୁକାବିଲା କରିବେ। ସେ ପୁଣିଥରେ ଆରଏସଏସ୍କୁ ଏକ ପଞ୍ଜୀକୃତ ସଂଗଠନ ଭାବେ ଜବାବଦେହି କରିବାକୁ ଦାବି ଦୋହରାଇଛନ୍ତି। ପ୍ରିୟଙ୍କ ଖଡ଼ଗେ ଆରଏସଏସ୍ ମୁଖ୍ୟ ମୋହନ ଭାଗଓ୍ୱତଙ୍କୁ ଏକ ଖୋଲା ଚିଠି ଲେଖି ସଂଗଠନର ଆଇନଗତ ପଞ୍ଜୀକରଣ, ଆର୍ଥିକ ଉତ୍ସ, କର (Tax) ପ୍ରଦାନ, ସାଂଗଠନିକ ଗଠନ ଓ ଜବାବଦେହି ବିଷୟରେ ସାର୍ବଜନିକ ଭାବେ ସ୍ପଷ୍ଟିକରଣ ଦେବାକୁ ଦାବି କରିଥିଲେ। ତାଙ୍କ କହିବା ଅନୁସାରେ, ଦେଶର ଅନ୍ୟ ସମସ୍ତ ସଂଗଠନ ଯେପରି ଆଇନ ଅନୁଯାୟୀ ପଞ୍ଜୀକୃତ ହୋଇ କାର୍ଯ୍ୟ କରନ୍ତି, ସେହିପରି ଆରଏସଏସ୍କୁ ମଧ୍ୟ ସ୍ୱଚ୍ଛତା ଓ ଜବାବଦେହିତାର ମାନଦଣ୍ଡ ପାଳନ କରିବା ଉଚିତ। ଖଡ଼ଗେ ଆହୁରି କହିଥିଲେ ଯେ, ସେ ଆରଏସଏସ୍କୁ ନିଷିଦ୍ଧ ବା ବ୍ୟାନ୍ କରିବାକୁ ସେ ଦାବି କରୁନାହାନ୍ତି। ବରଂ ସଂଗଠନଟି ଆଇନର ପରିସର ମଧ୍ୟରେ ରହି ସ୍ୱଚ୍ଛ ଭାବେ କାର୍ଯ୍ୟ କରୁ ବୋଲି ଚାହୁଁଛନ୍ତି। ସେ କହିଥିଲେ, "ଗୃହମନ୍ତ୍ରୀ ଭାବେ କୌଣସି ସଂଗଠନକୁ ଆଇନ ବାହାରେ କାର୍ଯ୍ୟ କରିବାକୁ ସେ ଦେବେନି।" କର୍ଣ୍ଣାଟକର ସ୍ୱାସ୍ଥ୍ୟମନ୍ତ୍ରୀ ଦିନେଶ ଗୁଣ୍ଡୁ ରାଓ ପ୍ରିୟଙ୍କଙ୍କ ଆରଏସଏସ୍ ସମ୍ପର୍କିତ ମତକୁ ସମର୍ଥନ କରିଥିଲେ। ବିଜେପି ଅଭିଯୋଗ କରିଥିଲା ଯେ, କଂଗ୍ରେସ ରାଜନୈତିକ ଉଦ୍ଦେଶ୍ୟରେ ଆରଏସଏସ୍କୁ ଟାର୍ଗେଟ୍ କରୁଛି। ଅନ୍ୟପଟେ, ମୋହନ ଭାଗବତ କହିଥିଲେ ଯେ ହିନ୍ଦୁ ଧର୍ମ ପରି ଅନେକ ପରମ୍ପରା ଓ ସଂଗଠନ ପଞ୍ଜୀକୃତ ନୁହେଁ ଏବଂ ଏହି ବିବାଦକୁ ସେ ରାଜନୈତିକ ପ୍ରେରିତ ବୋଲି ବର୍ଣ୍ଣନା କରିଥିଲେ। ଆଉ ଖଡ଼ଗେଙ୍ଗ ଏହି ମନ୍ତବ୍ୟକୁ ନେଇ ଦାଖଲ ହୋଇଥିବା ଅପରାଧିକ ମାନହାନି ମାମଲାରେ ସମନ ଜାରି କରିଛନ୍ତି ଅଦାଲତ।
