ସିଆଳି ଦଉଡ଼ିରେ ରଥ ଟାଣିଲେ ଅଗଣିତ ଭକ୍ତ
କେନ୍ଦୁଝର ବଡ଼ଦାଣ୍ଡରେ ଗଡ଼ିଲା ବିଶ୍ଵର ସର୍ବୋଚ୍ଚ ରଥ। ଲକ୍ଷାଧିକ ଭକ୍ତଙ୍କ ସମାଗମ। ସୁରୁଖୁରୁରେ ସମ୍ପନ୍ନ ହେଲା ଘୋଷଯାତ୍ରା। ୯ ଦିନ ଧରି ଚାଲିବ ରଥଯାତ୍ରା ମହୋତ୍ସବ ଓ ମେଳା।
କେନ୍ଦୁଝର: କେନ୍ଦୁଝର ବଡ଼ଦାଣ୍ଡରେ ଗଡ଼ିଛି ବିଶ୍ଵର ସର୍ବୋଚ୍ଚ ରଥ । କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀବଳଦେବଜୀଉଙ୍କ ନନ୍ଦିଘୋଷ ରଥଯାତ୍ରାକୁ ନେଇ ସାରା ସହର ଭକ୍ତିମୟ ପରିବେଶରେ ଉତ୍ସବମୁଖର ହୋଇଉଠିଛି। ଆଦିବାସୀ ପରମ୍ପରା ଓ ଅନନ୍ୟ ରୀତିନୀତି ପାଇଁ କେନ୍ଦୁଝର ରଥଯାତ୍ରାର ରହିଛି ସ୍ୱତନ୍ତ୍ର ପରିଚୟ। ବିଶ୍ୱର ଦ୍ୱିତୀୟ ବୃହତ୍ତମ ବିଷ୍ଣୁ ମନ୍ଦିର ଭାବେ ପରିଚିତ କେନ୍ଦୁଝର ଶ୍ରୀବଳଦେବଜୀଉ ମନ୍ଦିରରୁ ଭବ୍ୟ ଶୋଭାଯାତ୍ରାରେ ବାହାରିଥିଲେ ଚତୁର୍ଦ୍ଧାମୂରତି। ୧୬ ଚକ ବିଶିଷ୍ଟ ୭୨ ଫୁଟ୍ ଉଚ୍ଚ ଓ ୪୬ ଫୁଟ୍ ଚଉଡ଼ା ନନ୍ଦିଘୋଷ ରଥକୁ ବିଶ୍ୱର ସର୍ବୋଚ୍ଚ ଏକକ କାଷ୍ଠ ନିର୍ମିତ ରଥ ଭାବେ ମାନ୍ୟତା ମିଳିଛି। ଧାଡ଼ି ପହଣ୍ଡିରେ ଶ୍ରୀଜୀଉମାନେ ରଥାରୂଢ଼ ହେବା ପରେ ପାରମ୍ପରିକ ଛେରା ପହଁରା ନୀତି ସମ୍ପନ୍ନ ହୋଇଥିଲା। ଏହାପରେ ଲକ୍ଷାଧିକ ଭକ୍ତଙ୍କ "ହରିବୋଲ" ଓ ଜୟଧ୍ୱନି ମଧ୍ୟରେ ଆରମ୍ଭ ହୋଇଥିଲା ରଥଯାତ୍ରା। ପ୍ରତିକୂଳ ପାଗ ସତ୍ତ୍ୱେ ଭକ୍ତମାନଙ୍କ ଉତ୍ସାହରେ କୌଣସି ଭଟ୍ଟା ପଡ଼ିନଥିଲା।
କେନ୍ଦୁଝର ରଥଯାତ୍ରାର ଅନେକ ସ୍ୱତନ୍ତ୍ର ବିଶେଷତା ରହିଛି। ଭୂୟାଁ ସମ୍ପ୍ରଦାୟ ପ୍ରସ୍ତୁତ କରୁଥିବା ସିଆଳି ଦଉଡ଼ିରେ ରଥ ଟଣାଯାଏ। ସେହିପରି ସର୍ବତ୍ର ମା' ସୁଭଦ୍ରାଙ୍କ ବର୍ଣ୍ଣ ହଳଦିଆ ହୋଇଥିବାବେଳେ
କେନ୍ଦୁଝରରେ ତନ୍ତ୍ର ପରମ୍ପରାର ପ୍ରଭାବରେ ମା' ସୁଭଦ୍ରା କୁଙ୍କୁମ ବର୍ଣ୍ଣା ରୂପରେ ପୂଜା ପାଆନ୍ତି। ରଥଯାତ୍ରାକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା। ପୋଲିସ ପକ୍ଷରୁ ପାର୍କିଂ, ବ୍ୟାରିକେଡିଂ ଓ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଭକ୍ତମାନଙ୍କ ପାଇଁ ମାଗଣା ପଣା ଓ ପ୍ରସାଦ ବଣ୍ଟନ କରାଯାଇଥିବାବେଳେ ଜରୁରୀକାଳିନ ସେବା ପାଇଁ ଆମ୍ବୁଲାନ୍ସ ଓ ଦମକଳ ମୁତୟନ ରହିଥିଲା।
ନବଦିନାତ୍ମକ ଯାତ୍ରାରେ ଚତୁର୍ଦ୍ଧାମୂରତି କର୍ମବେଦୀରୁ ଜନ୍ମବେଦୀକୁ ବିଜେ କରିଛନ୍ତି। ଆସନ୍ତା ୯ଦିନ ଧରି ବିଭିନ୍ନ ସାଂସ୍କୃତିକ ନୃତ୍ୟଗୀତରେ ପ୍ରକମ୍ପିତ ହେବ କେନ୍ଦୁଝର ବଡ଼ଦାଣ୍ଡ । ଏଥିସହ, ହାଟ ପଡ଼ିଆରେ ଜମିବ ରଥଯାତ୍ରା ମେଳା ।
