ତିନି ରଥର ହେଲା 'ଦକ୍ଷିଣ ମୋଡ଼’
ଆଜି ଘୋଷଯାତ୍ରାର ଆଉ ଏକ ପର୍ବ ତିନି ରଥର 'ଦକ୍ଷିଣ ମୋଡ଼’। ଗୁଣ୍ଡିଚାଘର ସିଂହଦ୍ୱାର ସମ୍ମୁଖରୁ ଟଣା ହୋଇ ଶରଧାବାଲିରେ ପହଞ୍ଚିଲା ତିନି ରଥ। ଆଜିଠୁ ବାହୁଡା ଯାତ୍ରା ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ।

ପୁରୀ: ଗତକାଲି ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ଆଉ ଏକ ପର୍ବ ହେରାପଞ୍ଚମୀ ନୀତି ଗୁଣ୍ଡିଚା ମନ୍ଦିରରେ ଶେଷ ହେବା ପରେ ଆଜି ମହାପ୍ରଭୁଙ୍କ ବାହୁଡା ଯାତ୍ରା ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି। ଆଜି ତିନି ରଥ ଦକ୍ଷିଣ ମୋଡ଼ ନୀତି ଆରମ୍ଭ ହୋଇଛି । ତିନି ରଥ ଗୁଣ୍ଡିଚାଘର ସିଂହଦ୍ୱାର ସମ୍ମୁଖରୁ ଟଣା ହୋଇ ଶରଧାବାଲିରେ ପହଞ୍ଚିଛି । ବଡ଼ଶଙ୍ଖ ନିକଟରୁ ମୁକ୍ତାକାଶ ରଙ୍ଗମଞ୍ଚ ପର୍ଯ୍ୟନ୍ତ ବାଲି ପଡିଛି । ରଥ ଚାଳନାରେ ଏହା ସହଯୋଗ ହୋଇଥିଲା। ଆଜି ସକାଳଧୂପ ପରେ ଠାକୁରଙ୍କ ନିକଟରୁ ଆଜ୍ଞାମାଳ ରଥକୁ ବିଜେ ହେବାପରେ ରଥଟଣା ଆରମ୍ଭ ହୋଇଥିଲା । ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ, ପରେ ବଡଠାକୁରଙ୍କ ତାଳଧ୍ୱଜ ରଥ ଓ ଶେଷରେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣାହୁଏ । ଆସନ୍ତା 24 ତାରିଖରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା । ଏଣୁ ଦକ୍ଷିଣିମୋଡ଼ରେ ରଥ ଶ୍ରୀମନ୍ଦିର ଅଭିମୁଖେ ଗଡ଼ିବାକୁ ପ୍ରସ୍ତୁତ ରହିବ । ଗତକାଲି ପବିତ୍ର ହେରାପଞ୍ଚମୀ ତିଥିରେ ମା ମହାଲଷ୍ମୀ ଅଭିମାନରେ ଫେରିଥିବାରୁ ପ୍ରଭୁଙ୍କ ନିର୍ଦେଶରେ ବାହୁଡା ଯାତ୍ରାପାଇଁ ତିନି ରଥର ଦକ୍ଷିଣମୋଡ କରାଯାଇଥାଏ। ସେଥିପାଇଁ ରଥର ମୁଖ୍ୟ ମହାରଣା, ଭୋଇ ସେବକଙ୍କ ଉପସ୍ଥିତିରେ ରଥ ତଦାରଖ କମିଟି, ଶ୍ରୀମନ୍ଦିର ପ୍ରଶାସନର ଯନ୍ତ୍ରୀ, ପୂର୍ତ୍ତବିଭାଗର ଯନ୍ତ୍ରୀ ମିଳିତ ଭାବେ ତିନ ରଥର ଯାଞ୍ଚ କରିଥିଲେ। ଏହାସହ ଆବଶ୍ୟକ ଛୋଟ ମୋଟ ମରାମତି ମଧ୍ୟ କରାଯାଇଛି ।
