ହେରାପଞ୍ଚମୀରେ ହୁଅନ୍ତି ମୁଣ୍ଡନ
ହେରାପଞ୍ଚମୀରେ ଜିରାଙ୍ଗ ବଳଦେବଜୀଉ ମନ୍ଦିରରେ ନିଆରା ପରମ୍ପରା, ମାନସିକ ପୂରଣ ପରେ ମୁଣ୍ଡନ ଓ ଅମୃତ କଳସି ଭୋଗ ଅର୍ପଣ ।
ଗଜପତି: ପବିତ୍ର ହେରାପଞ୍ଚମୀ ଅବସରରେ ଗଜପତି ଜିଲ୍ଲାର ରାୟଗଡ଼ ବ୍ଲକ୍ ଜିରାଙ୍ଗ ଗ୍ରାମସ୍ଥିତ ବଳଦେବଜୀଉ ମନ୍ଦିରରେ ଦେଖିବାକୁ ମିଳିଛି ନିଆରା ଧାର୍ମିକ ପରମ୍ପରା। ମାନସିକ ପୂରଣ ହେବା ପରେ ଭକ୍ତମାନେ ମୁଣ୍ଡନ କରିବା ସହ ଅମୃତ କଳସି ଭୋଗ ଅର୍ପଣ କରିଥାନ୍ତି। ଏହି ପରମ୍ପରାକୁ ନେଇ ଗତକାଲି ହେରାପଞ୍ଚମୀ ତିଥୀରେ ମନ୍ଦିର ପରିସରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଗଜପତି ଜିଲ୍ଲାର ଜିରାଙ୍ଗ ଗ୍ରାମର ବଳଦେବଜୀଉ ମନ୍ଦିର। ଭକ୍ତଙ୍କ ବିଶ୍ୱାସ ଅନୁଯାୟୀ, ବଳଦେବଜୀଉଙ୍କ ନିକଟରେ ମାନସିକ ରଖିଲେ ମନୋକାମନା ପୂରଣ ହୁଏ। ସେଥିପାଇଁ ମନୋକାମନା ପୂରଣ ପରେ ଭକ୍ତମାନେ ମୁଣ୍ଡନ କରିବା ସହ ଛେନା, କଦଳୀ ଓ ନଡ଼ିଆ କୋରାରେ ପ୍ରସ୍ତୁତ ସ୍ୱତନ୍ତ୍ର ଅମୃତକଳସୀ ଭୋଗ ଅର୍ପଣ କରିଥାନ୍ତି। ଗଜପତି ସମେତ ଗଞ୍ଜାମ, ରାୟଗଡା, କୋରାପୁଟ ଏବଂ ପଡ଼ୋଶୀ ଆନ୍ଧ୍ରପ୍ରଦେଶରୁ ମଧ୍ୟ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଗତକାଲି ଯୋଗ ଦେଇଥିଲେ।
ତେବେ ସ୍ଥାନୀୟ ଲୋକକଥା ଅନୁଯାୟୀ, କଳାପାହାଡ଼ ଆକ୍ରମଣ ସମୟରେ ତ୍ରିମୂର୍ତ୍ତିଙ୍କୁ ଜିରାଙ୍ଗରେ ଲୁଚାଇ ରଖାଯାଇଥିଲା। ପରେ ଗୌଡ଼ ସମ୍ପ୍ରଦାୟର ଲୋକଙ୍କ ଆତିଥ୍ୟ ଏବଂ ଛେନା ପଣାର ଅମୃତକଳସୀ ଭୋଗରେ ସନ୍ତୁଷ୍ଟ ହୋଇ ବଳଦେବଜୀଉ ଏଠାରେ ବିରାଜମାନ ହୋଇଥିବାର ବିଶ୍ୱାସ ରହିଛି। ସେହି ଦିନଠାରୁ ଅମୃତକଳସୀ ଭୋଗର ପରମ୍ପରା ଚାଲିଆସୁଛି। ସେହିପରି ମନ୍ଦିରର ରାଜପୁରୋହିତଙ୍କ କହିବା ଅନୁଯାୟୀ, ପିଢ଼ି ପରେ ପିଢ଼ି ଗୌଡ଼ ସମ୍ପ୍ରଦାୟର ଲୋକମାନେ ବଳଦେବଜୀଉଙ୍କ ସେବାପୂଜା କରିଆସୁଛନ୍ତି। ରଥଯାତ୍ରା ଓ ହେରାପଞ୍ଚମୀ ଅବସରରେ ଦୂରଦୂରାନ୍ତରୁ ଭକ୍ତମାନେ ଆସି ତ୍ରିମୂର୍ତ୍ତିଙ୍କ ଦର୍ଶନ କରିବା ସହ ଏହି ନିଆରା ପରମ୍ପରାରେ ସାମିଲ ହୋଇଥାନ୍ତି। ଜିରାଙ୍ଗ ବଳଦେବଜୀଉ ମନ୍ଦିରର ଏହି ଅନନ୍ୟ ପରମ୍ପରା ଆଜି ମଧ୍ୟ ଭକ୍ତି ଓ ବିଶ୍ୱାସର ପ୍ରତୀକ ହୋଇ ରହିଛି।
