କାଦୁଅ ରାସ୍ତାରେ ଅଟକିଲା ୧୦୮
ରାସ୍ତା ପାଇଁ ଅଟକିଲା ଆମ୍ବୁଲାନ୍ସ, ଖଟିଆରେ ବୁହା ହେଲେ ଅସୁସ୍ଥ ମହିଳା। ଜଗତସିଂହପୁରରୁ ଆସିଲା ବିକାଶର ବାସ୍ତବ ଚିତ୍ର।
ଜଗତସିଂହପୁର: ଉପାନ୍ତ କିମ୍ବା ବିଛିନ୍ନାଞ୍ଚଳ ନୁହେଁ, ବରଂ ଜଗତସିଂହପୁର ଜିଲ୍ଲାରୁ ସାମ୍ନାକୁ ଆସିଛି ବିକାଶର ବାସ୍ତବ ଚିତ୍ର। ଶୋଚନୀୟ ରାସ୍ତା ବ୍ୟବସ୍ଥା ଯୋଗୁଁ ଗାଁ ଭିତରକୁ ଆମ୍ବୁଲାନ୍ସ ପହଞ୍ଚିପାରିନଥିବାରୁ ଜଣେ ଅସୁସ୍ଥ ମହିଳାଙ୍କୁ ଖଟିଆରେ ପ୍ରାୟ ଏକ କିଲୋମିଟର କାନ୍ଧରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେବାକୁ ପଡ଼ିଛି। ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅନ୍ତର୍ଗତ ରାହାଣ ପଞ୍ଚାୟତର ପାଟପୁର ଗ୍ରାମର ଲକ୍ଷ୍ମଣ ଦାସଙ୍କ ପତ୍ନୀ ଗୁରୁବାରୀ ଦାସ ଝାଡା-ବାନ୍ତିରେ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ପରିବାର ପକ୍ଷରୁ ତୁରନ୍ତ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରାଯାଇଥିଲା। ହେଲେ ଗାଁକୁ ସଂଯୋଗ କରୁଥିବା କେନାଲ ବନ୍ଧ ରାସ୍ତା କାଦୁଅରେ ପଚପଚ ହୋଇଥିବାରୁ ଆମ୍ବୁଲାନ୍ସ ଗାଁ ଭିତରକୁ ଯାଇପାରିନଥିଲା। ରାସ୍ତାର ଅବସ୍ଥା ଏତେ ଖରାପ ଥିଲା ଯେ କୌଣସି ଗାଡ଼ି ଚଳାଚଳ କରିବା ପ୍ରାୟ ଅସମ୍ଭବ ହୋଇପଡ଼ିଥିଲା।
ଏପଟେ ଅସୁସ୍ଥ ମହିଳାଙ୍କ ଅବସ୍ଥା ଗୁରୁତର ହେଉଥିବାରୁ ପରିବାର ଲୋକ ଓ ଗ୍ରାମବାସୀ ମିଶି ଏକ ଖଟିଆର ବ୍ୟବସ୍ଥା କରିଥିଲେ। ପରେ ଗୁରୁବାରୀ ଦାସଙ୍କୁ ଖଟିଆରେ ଶୁଆଇ ପ୍ରାୟ ଏକ କିଲୋମିଟର କାନ୍ଧରେ ବୋହି ଆମ୍ବୁଲାନ୍ସ ଥିବା ସ୍ଥାନକୁ ଆଣାଯାଇଥିଲା। ସେଠାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ମେଡିକାଲକୁ ନିଆଯାଇଥିଲା। ଏହି ଘଟଣାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେପଟେ ମୌଳିକ ଭିତ୍ତିଭୂମି ଓ ଯାତାୟାତ ବ୍ୟବସ୍ଥାର ଦୁର୍ଦ୍ଦଶାକୁ ନେଇ ସ୍ଥାନୀୟ ବାସିନ୍ଦା ଅସନ୍ତୋଷ ପ୍ରକାଶ କରିଛନ୍ତି।
