ସ୍କୁଲରେ ଛାତ୍ର-ଶିକ୍ଷୟିତ୍ରୀ ବିବାଦକୁ ନେଇ ଉତ୍ତେଜନା, ଗେଟ୍ ରେ ତାଲା ପକାଇଲେ ଅଭିଭାବକ
ସ୍କୁଲରେ ଛାତ୍ର-ଶିକ୍ଷୟିତ୍ରୀଙ୍କ ବିବାଦ । ସ୍କୁଲରେ ଉତ୍ତେଜନାକୁ ନେଇ ଥାନାରେ ମାମଲା, ଏହାକୁ ନେଇ ସ୍କୁଲ ଗେଟ୍ ରେ ପଡିଲା ତାଲା ।
କେନ୍ଦୁଝର: ସ୍କୁଲରେ ଛାତ୍ର ଓ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ବିବାଦକୁ ନେଇ ଉତ୍ତେଜନା। ଘଟଣା ଥାନାରେ ପହଞ୍ଚିବା ପରେ ଆଜି ସ୍କୁଲ ଗେଟ୍ରେ ତାଲା ପକାଇ ଶିକ୍ଷୟିତ୍ରୀଙ୍କ ବଦଳି ଦାବି କରିଛନ୍ତି ଅଭିଭାବକ। କେନ୍ଦୁଝର ସଦର ଥାନା ଅଧୀନ ବୋଦାପଳସା ଚନ୍ଦ୍ରଶେଖର ଉଚ୍ଚ ବିଦ୍ୟାଳୟରେ ଏଭଳି ଘଟଣାକୁ ନେଇ ଆଜି ତୀବ୍ର ଉତ୍ତେଜନା ଦେଖାଦେଇଥିଲା। ଅଭିଭାବକଙ୍କ ଅଭିଯୋଗ ଅନୁସାରେ, ଗତକାଲି ଗଣିତ କ୍ଲାସ୍ ଚାଲିଥିବା ସମୟରେ ଜଣେ ଛାତ୍ର ବିଜ୍ଞାନ ବିଷୟ ପଢ଼ୁଥିବା କିମ୍ବା ଲେଖୁଥିବାକୁ ନେଇ ସମ୍ପୃକ୍ତ ଶିକ୍ଷୟିତ୍ରୀ ତାଙ୍କୁ ପାଟି କରିଥିଲେ। ଏହାକୁ ନେଇ ଛାତ୍ର ଓ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପରେ ଛାତ୍ରଙ୍କ ଅଭିଭାବକଙ୍କୁ ସ୍କୁଲକୁ ଡକାଯାଇ ପ୍ରଧାନଶିକ୍ଷକଙ୍କ ଉପସ୍ଥିତିରେ ଘଟଣା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହାପରେ ବିବାଦର ଆପୋସ ସମାଧାନ ହୋଇଥିବା ଅଭିଭାବକ କହିଛନ୍ତି। ତେବେ ଅଭିଯୋଗ ଅନୁସାରେ, ସ୍କୁଲ ଛୁଟି ସମୟରେ ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କ ଭାଇ ଓ ତାଙ୍କ କିଛି ସାଙ୍ଗ ସ୍କୁଲ ସମ୍ମୁଖକୁ ଆସି ଉକ୍ତ ଛାତ୍ରଙ୍କୁ ଡାକି ମାଡ଼ ମାରିଥିଲେ। ଘଟଣା ପରେ ଛାତ୍ରଙ୍କ ପରିବାର ପକ୍ଷରୁ କେନ୍ଦୁଝର ସଦର ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଏହି ଘଟଣାକୁ ନେଇ ଆଜି ସକାଳେ ଅଭିଭାବକମାନେ ସ୍କୁଲ ଗେଟ୍ରେ ତାଲା ପକାଇ ଦେଇଥିଲେ। ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କୁ ଅନ୍ୟତ୍ର ବଦଳି କରିବା ସହ ପିଲାମାନଙ୍କ ସୁରକ୍ଷା ଓ ଶୃଙ୍ଖଳା ନିଶ୍ଚିତ କରିବାକୁ ସେମାନେ ଦାବି କରିଥିଲେ।
ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ସ୍କୁଲରେ ପହଞ୍ଚି ଅଭିଭାବକ ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲା। ପୋଲିସର ବୁଝାସୁଝା ପରେ ସ୍କୁଲ ଗେଟ୍ ଖୋଲାଯାଇଥିଲା ଏବଂ ପରିସ୍ଥିତି ଶାନ୍ତ ହୋଇଥିଲା। ସେପଟେ ସ୍କୁଲ ମ୍ୟାନେଜମେଣ୍ଟ କମିଟିର ସଭାପତିଙ୍କ ଅଭିଯୋଗ ଅନୁସାରେ, ଆଜି ସମ୍ପୃକ୍ତ ଶିକ୍ଷୟିତ୍ରୀ କ୍ଲାସ୍ରୁମ୍କୁ ପ୍ରବେଶ କରିବା ମାତ୍ରେ ଛାତ୍ରଛାତ୍ରୀମାନେ କ୍ଲାସ୍ରୁମ୍ ଛାଡ଼ି ବାହାରକୁ ଚାଲିଯାଇଥିଲେ।
ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଧାନଶିକ୍ଷକ ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କୁ କୌଣସି କ୍ଲାସ୍ ନେବାକୁ ବାରଣ କରିଛନ୍ତି। ଏଥିସହ ଶିକ୍ଷୟିତ୍ରୀଙ୍କ ବିରୋଧରେ ପିଲାମାନଙ୍କ ସହ ଦୁର୍ବ୍ୟବହାରର ଅଭିଯୋଗ ମଧ୍ୟ ଆଣିଛନ୍ତି ସ୍କୁଲ ମ୍ୟାନେଜମେଣ୍ଟ କମିଟିର ସଭାପତି। ଏହା କେବଳ ଗତକାଲିର ଘଟଣା ନୁହେଁ, ପୂର୍ବରୁ ମଧ୍ୟ ଏଭଳି ଅଭିଯୋଗ ଆସିଥିବା ସେ କହିଛନ୍ତି। ତେଣୁ ଶିକ୍ଷୟିତ୍ରୀଙ୍କୁ ଅନ୍ୟତ୍ର ବଦଳି କରିବାକୁ ସେ ଦାବି କରିଛନ୍ତି। ଘଟଣାକୁ ନେଇ ଅଭିଭାବକମାନେ ବିଇଓ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ମଧ୍ୟ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ, ଘଟଣାର ତଦନ୍ତ ପାଇଁ ଦୁଇଜଣ ଅଧିକାରୀଙ୍କୁ ପଠାଯାଇଥିବା କହିଛନ୍ତି ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସତ୍ୟ ନାରାୟଣ ମହାନ୍ତ। ତଦନ୍ତ ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଆବଶ୍ୟକ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।
ଗୋଟିଏ କ୍ଲାସ୍ରୁମ୍ ବିବାଦରୁ ଆରମ୍ଭ ହୋଇଥିବା ଘଟଣା ଏବେ ଥାନା ଓ ଶିକ୍ଷା ବିଭାଗର ଦ୍ୱାରସ୍ଥ ହୋଇଛି। ଛାତ୍ରଙ୍କୁ ମାଡ଼ ମାରିବା ଅଭିଯୋଗ ସହ ଶିକ୍ଷୟିତ୍ରୀଙ୍କ ବିରୋଧରେ ଆସିଥିବା ଅନ୍ୟ ଅଭିଯୋଗର ମଧ୍ୟ ତଦନ୍ତ କରାଯିବ। ତଦନ୍ତ ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିବା ସହ କଣ ନିଷ୍ପତ୍ତି ନିଆଯାଉଛି, ତା’ଉପରେ ଏବେ ନଜର।
