Tenth Exam AT 62yr: ୬୨ ବର୍ଷରେ ଦଶମ ପରୀକ୍ଷା
ପୁଅ GST କମିଶନର ଓ SP, ଝିଅ ଜଏଣ୍ଟ କଲେକ୍ଟର; ୬୨ ବର୍ଷ ବୟସରେ ଦଶମ ପରୀକ୍ଷା ଦେଲେ ମା’ କୌଶଲ୍ୟା ଦେବୀ
ରାୟପୁର : ଯେଉଁ ବୟସରେ ଲୋକେ ପାଠପଢା,ପରୀକ୍ଷା ,ଚାକିରୀରୁ ବିରତି ନେଇ ଆରାମ କରିବାକୁ ଚାହାନ୍ତି ସେହି ବୟସରେ ଛତିଶଗଡ ର ମହାସମୁନ୍ଦ ସହର ର କୌଶଲ୍ୟା ଦେବୀ ବଂଶଲ ଆଉ ଥରେ ବହିଖାତା କୁ ଆପଣେଇ ସମସ୍ତଙ୍କ ପାଇଁ ପ୍ରେରଣା ସାଜିଛନ୍ତି | ତାଙ୍କର ଏହି ସଫଳତା ସମାଜକୁ ଜ୍ଞାନ ହାସଲ କରିବାପାଇଁ କୌଣସି ସମୟ ସୀମା ନଥିବାର ସନ୍ଦେଶ ଦେଇଛି | କୌଶଲ୍ୟା ଦେବୀ ନଗର ପାଳିକାର ଉପାଧ୍ୟକ୍ଷ ଥିଲେ। ଅଳ୍ପ ବୟସରୁ ପାରିବାରିକ ଦାୟିତ୍ୱ ସମ୍ଭାଳିବା କାରଣରୁ ଅନେକ ଔପଚାରିକ ଶିକ୍ଷା ଅଧାରୁ ରହିଯାଇଥିଲା, ଛୁଆଙ୍କ ପାଳନପୋଷଣ ,ଘର ଗୃହସ୍ଥି ଆଉ ସାମାଜିକ ଦାୟିତ୍ୱ ମଝିରେ ଜୀବନର ଗାଡି ଆଗକୁ ବଢିଚାଲିଥିଲେ ମଧ୍ୟ ତାଙ୍କ ଭିତରେ ପାଠପଢ଼ିବାର ଇଛା କେବେ ମଉଳି ଯାଇନଥିଲା | ଯେବେ ଜୀବନରେ ଅନୁକୂଳ ପରିସ୍ଥିତି ହେଲା ସେବେ ସେ ନିଜର ବର୍ଷ ପୁରୁଣା ସ୍ବପ୍ନ ସତ କରିବାପାଇଁ ନିଷ୍ପତି ନେଲେ | ପ୍ରଥମେ ସେ ନିଜ ତାଲିମ କୁ ପୁରା କଲେ ଓ 60 ବର୍ଷ ବୟସରେ ଅଷ୍ଟମ ଶ୍ରେଣୀ ଉତ୍ତୀର୍ଣ୍ଣ ହେଲେ | ଏହି ସଫଳତାରୁ ମିଳିଥିବା ଆତ୍ମବିଶ୍ଵାସ ବଳରେ ସେ 62 ବର୍ଷ ବୟସରେ ଦଶମ ବୋର୍ଡ ପରୀକ୍ଷା ମଧ୍ୟ ଭଲ ନମ୍ବର ରଖି ଉତୀର୍ଣ୍ଣ ହୋଇଛନ୍ତି | ଏହି ସନ୍ଦର୍ଭ ରେ କୌଶଲ୍ୟା ଦେବୀ କହିଛନ୍ତି " ଶିକ୍ଷା କେବଳ ଏକ ସାର୍ଟିଫିକେଟ ହାସଲ କରିବାର ଜରିଆ ନୁହଁ , ଏହା ଆତ୍ମବିଶ୍ୱାସ ସୃଷ୍ଟିକରିବା ଆଉ ଜୀବନକୁ ଭଲଭାବେ ବୁଝିବାର କ୍ଷମତା ଦେଇଥାଏ " କୌଶଲ୍ୟା ଦେବୀଙ୍କ ଏହି ସଫଳତା ଏଥିପାଇଁ ମଧ୍ୟ ଚର୍ଚା ରେ ଅଛି ଯେ ତାଙ୍କ ପିଲାମାନେ ଆଜି ବହୁତ ବଡ ବଡ଼ ପଦବୀ ରେ ଅଛନ୍ତି | ତାଙ୍କ ପୁଅ ଶ୍ରବଣ ବଂଶଲ GST ରେ ଅତିରିକ୍ତ କମିଶନର ,ତ୍ରିଲୋକ ବଂଶଲ ବେମେତରା ଜିଲ୍ଲାରେ ଏସପି ଆଉ ଝିଅ ରାଜନାଂଦ ଗାଓଁ ରେ ଜଏଣ୍ଟ କଲେକ୍ଟର ଅଛନ୍ତି | ଏହା ଛଡା ତାଙ୍କର ଅନ୍ୟ ପୁଅ ଟିମ୍ୱର ବ୍ୟବସାୟ ରେ ଅଛନ୍ତି | ଯୋଉଠି ପିଲାମାନେ ଦେଶ ଓ ସମାଜରେ ପ୍ରଶାସନିକ ତନ୍ତ୍ର ସମ୍ଭାଳୁଛନ୍ତି ସେଠି ମା ଏହି ବୟସରେ ଛାତ୍ରୀ ହୋଇ ପ୍ରମାଣ କରିଛନ୍ତି ଯେ ପାଠପଢ଼ାର କୌଣସି ବୟସ ସୀମା ନାହିଁ | ଏଥିରେ କୌଶଲ୍ୟା ଦେବୀଙ୍କୁ ନିଜ ସ୍ୱାମୀ ରମେଶ ବଂଶଲ ଓ ପିଲାମାନଙ୍କର ପୁରା ସହଯୋଗ ମିଳିଥିଲା | କୌଣସି କାରଣରୁ ଅଧାରୁ ପାଠପଢା ଛାଡିଦେଇଥିବା ଲୋକମାନଙ୍କ ପାଇଁ କୌଶଲ୍ୟା ଦେବୀ ଏକ ମିଶାଲ ସୃଷ୍ଟି କରିଛନ୍ତି |
