ବ୍ରହ୍ମପୁରର ୩ ଶହ ବର୍ଷର ପାରମ୍ପରିକ କଣ୍ଢେଇ ଯାତ୍ରା; ଶ୍ରଦ୍ଧାଳୁଙ୍କ ଭିଡ଼, କଣ୍ଢେଇ କିଣାକିଣିରେ ଉତ୍ସାହ
ବ୍ରହ୍ମପୁର ସହରର ପ୍ରସିଦ୍ଧ ଓ ପ୍ରାୟ ୩ ଶହ ବର୍ଷର ପୁରୁଣା ପାରମ୍ପରିକ କଣ୍ଢେଇ ଯାତ୍ରା ଚଳିତ ବର୍ଷ ମଧ୍ୟ ବେଶ ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି। ଆଶାଢ଼ ପୂର୍ଣ୍ଣିମା ଅବସରରେ ଖାସ୍ପାସାହିରେ ଆୟୋଜିତ ଏହି ନିଆରା ଯାତ୍ରାରେ ବ୍ରହ୍ମପୁର ସହର ସମେତ ସମଗ୍ର ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଓ ଦର୍ଶନାର୍ଥୀଙ୍କ ସମାଗମ ହୋଇଥିଲା।

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସହରର ପ୍ରସିଦ୍ଧ ଓ ପ୍ରାୟ ୩ ଶହ ବର୍ଷର ପୁରୁଣା ପାରମ୍ପରିକ କଣ୍ଢେଇ ଯାତ୍ରା ଚଳିତ ବର୍ଷ ମଧ୍ୟ ବେଶ ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି। ଆଶାଢ଼ ପୂର୍ଣ୍ଣିମା ଅବସରରେ ଖାସ୍ପାସାହିରେ ଆୟୋଜିତ ଏହି ନିଆରା ଯାତ୍ରାରେ ବ୍ରହ୍ମପୁର ସହର ସମେତ ସମଗ୍ର ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଓ ଦର୍ଶନାର୍ଥୀଙ୍କ ସମାଗମ ହୋଇଥିଲା।
ପରମ୍ପରା ଅନୁଯାୟୀ ଖାସ୍ପାସାହିର ଗଡ଼ ଜଗନ୍ନାଥ ଓ ବଡ଼ ଜଗନ୍ନାଥଙ୍କୁ ଶ୍ରୀରାମଙ୍କ ପଟ୍ଟାଭିଷେକ ବେଶରେ ସଜ୍ଜିତ କରାଯାଇଥିବାବେଳେ ମା' ବୁଢ଼ୀ ଠାକୁରାଣୀଙ୍କୁ ଅନ୍ନପୂର୍ଣ୍ଣା ବେଶରେ ଅଳଙ୍କୃତ କରାଯାଇଥିଲା। ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ସାରିବା ପରେ କଣ୍ଢେଇ ଯାତ୍ରାରେ ବୁଲି ବିଭିନ୍ନ ପ୍ରକାରର କଣ୍ଢେଇ କିଣିବାରେ ମସଗୁଲ ହୋଇଥିଲେ। ଏହି ଯାତ୍ରାରେ ଶତାଧିକ ବ୍ୟବସାୟୀ ମାଟି, କାଠ, ଗୋବର, ପ୍ଲାଷ୍ଟିକ ଓ ଇଲେକ୍ଟ୍ରୋନିକ୍ସ କଣ୍ଢେଇର ପସରା ମେଲାଇଥିଲେ। ପିଲାମାନଙ୍କ ସହ ବୟସ୍କମାନେ ମଧ୍ୟ ନିଜ ପସନ୍ଦର କଣ୍ଢେଇ କିଣିବାରେ ବେଶ ଉତ୍ସାହ ଦେଖାଇଥିଲେ। ସଂସ୍କୃତି ଗବେଷକଙ୍କ କହିବା ଅନୁଯାୟୀ, ରାଜାରାଜୁଡ଼ା ଅମଳରୁ ଏହି କଣ୍ଢେଇ ଯାତ୍ରା ପାଳିତ ହୋଇଆସୁଛି। ସ୍ଥାନୀୟ ମହାରଣା, କୁମ୍ଭାର ଓ ଅନ୍ୟ କାରିଗରମାନଙ୍କୁ ଆର୍ଥିକ ଭାବେ ସଶକ୍ତ କରିବା ଏହି ଯାତ୍ରାର ମୂଳ ଉଦ୍ଦେଶ୍ୟ ଥିଲା। ମଝିରେ ଏହି ପରମ୍ପରା ଲୋପ ପାଇବାକୁ ବସିଥିବାବେଳେ ୨୦୦୬ ମସିହାରେ "ଆମ ସଂସ୍କୃତି ଆମ ପରମ୍ପରା" କମିଟି ଗଠନ ପରେ ପୁଣି ଏହାକୁ ଜୀବନ୍ତ କରାଯାଇଛି। ତେବେ ସମୟ ସହ କଣ୍ଢେଇର ଚାହିଦାରେ ପରିବର୍ତ୍ତନ ଆସିଛି। ପୂର୍ବରୁ ମାଟି, ଗୋବର ଓ କାଠର କଣ୍ଢେଇର ଚାହିଦା ଅଧିକ ଥିବାବେଳେ ବର୍ତ୍ତମାନ ଇଲେକ୍ଟ୍ରୋନିକ୍ସ ଓ ପ୍ଲାଷ୍ଟିକ କଣ୍ଢେଇର ବିକ୍ରି ବଢ଼ିଛି। ଏହା ସତ୍ତ୍ୱେ କିଛି ପାରମ୍ପରିକ କାରିଗର ଆଜି ମଧ୍ୟ ମାଟି କଣ୍ଢେଇ ତିଆରି କରି ନିଜ କଳାକୁ ବଞ୍ଚାଇ ରଖିଛନ୍ତି। କାରିଗରମାନଙ୍କ କହିବା ଅନୁଯାୟୀ, ସରକାରୀ ପ୍ରୋତ୍ସାହନ ମିଳିଲେ ଏହି ପାରମ୍ପରିକ କଳା ଆହୁରି ବିକଶିତ ହେବ। ସେହିପରି ସ୍ଥାନୀୟ ବାସିନ୍ଦାମାନେ ମଧ୍ୟ ବ୍ରହ୍ମପୁରର ଏହି ଐତିହ୍ୟବାହୀ କଣ୍ଢେଇ ଯାତ୍ରାକୁ ଜାତୀୟ ସ୍ତରରେ ଅଧିକ ପ୍ରଚାର ଓ ସଂରକ୍ଷଣ କରିବାକୁ ଦାବି କରିଛନ୍ତି।
