ମୁକ୍ତାପଶିରେ DAP ସାର କଳାବଜାରୀ ଅଭିଯୋଗ: ତଦନ୍ତ ଆରମ୍ଭ
ମୁକ୍ତାପଶି ସମବାୟ ସମିତିରେ ସାର ଦୁର୍ନୀତି ଅଭିଯୋଗ, DAP ସାର ଦର ନେଇ ଚାଷୀଙ୍କ ଅସନ୍ତୋଷ। ଚାଷୀଙ୍କ ଆନ୍ଦୋଳନ ପରେ ତଦନ୍ତ ଆରମ୍ଭ ।
କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ମୁକ୍ତାପଶି ପ୍ରାଥମିକ ସମବାୟ ସମିତିରେ DAP ସାର କଳାବଜାରୀ ହେଉଥିବା ନେଇ ଚାଷୀମାନେ ଅଭିଯୋଗ କରିଛନ୍ତି। ଚାଷୀଙ୍କ ଅଭିଯୋଗ ଅନୁଯାୟୀ, ସରକାରୀ ନିର୍ଦ୍ଧାରିତ ମୂଲ୍ୟ ୧,୩୫୦ ଟଙ୍କା ପରିବର୍ତ୍ତେ ପ୍ରତି ବୋରି DAP ସାର ୨,୧୫୦ ଟଙ୍କାରେ ବିକ୍ରୟ କରାଯାଉଥିଲା। ଏହି ଘଟଣାକୁ ନେଇ ଚାଷୀମାନେ ସମବାୟ ସମିତି କର୍ତ୍ତୃପକ୍ଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ସମିତି ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଚାଷୀମାନଙ୍କ ଅଭିଯୋଗ ହେଉଛି, ବିନା ରେଜିଷ୍ଟରରେ ସାର ବିକ୍ରୟ କରାଯାଇଥିବା ସହ ସରକାରୀ ନିର୍ଦ୍ଧାରିତ ଦରରେ ସାର ଯୋଗାଇ ଦିଆଯାଇନଥିଲା।
ଅଭିଯୋଗ ପରେ ଅତିରିକ୍ତ ନିଆଯାଇଥିବା ଟଙ୍କା ଫେରସ୍ତ କରିବାକୁ କିଛି ଅଧିକାରୀ ଚାଷୀଙ୍କୁ କହିଥିବା ମଧ୍ୟ ଅଭିଯୋଗ ହୋଇଛି। ତେବେ ଚାଷୀମାନେ QR Code ମାଧ୍ୟମରେ ଟଙ୍କା ପ୍ରଦାନ କରିଥିବା ବେଳେ, ଅତିରିକ୍ତ ନିଆଯାଇଥିବା ଅର୍ଥ ଫେରସ୍ତ କରାଯିବ ବୋଲି ସମବାୟ ସମିତିର ସମ୍ପାଦକ ସୂଚନା ଦେଇଛନ୍ତି। ଘଟଣା ସମ୍ପର୍କରେ ଅଭିଯୋଗ ପାଇବା ପରେ ବିଭାଗୀୟ ଅଧିକାରୀମାନେ ତଦନ୍ତ ଆରମ୍ଭ କରିଛନ୍ତି। ସମ୍ପୂର୍ଣ୍ଣ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କଠୋର ପଦକ୍ଷେପ ନେବାକୁ ଚାଷୀମାନେ ଦାବି କରିଛନ୍ତି।
