ଶ୍ରାବଣ ସୋମବାରରେ କପିଳାସରେ ଭକ୍ତଙ୍କ ଭିଡ଼
ଶ୍ରାବଣ ସୋମବାରରେ କପିଳାସରେ ଭକ୍ତଙ୍କ ସମାଗମ। ହର ହର ମହାଦେବ ଧ୍ୱନିରେ ମୁଖରିତ ପୀଠ, ଚନ୍ଦ୍ରଶେଖର ଜୀଉଙ୍କୁ ହେଲା ଜଳାଭିଷେକ, ସୁରକ୍ଷା ବ୍ୟବସ୍ଥା କଡ଼ା।
ଢେଙ୍କାନାଳ: ପବିତ୍ର ଶ୍ରାବଣ ସୋମବାର ଅବସରରେ ଢେଙ୍କାନାଳର ପ୍ରସିଦ୍ଧ ଶୈବପୀଠ କପିଳାସରେ ଦେଖିବାକୁ ମିଳିଛି ଭକ୍ତଙ୍କ ସମାଗମ। "ଉତ୍କଳର କୈଳାସ" ଭାବେ ପରିଚିତ ଏହି ପୀଠରେ ହଜାର ହଜାର ଶିବଭକ୍ତ ଶ୍ରୀ ଚନ୍ଦ୍ରଶେଖର ଜୀଉଙ୍କ ଦର୍ଶନ କରିବା ସହ ଜଳାଭିଷେକ କରିଛନ୍ତି। ଶ୍ରାବଣ ମାସର ପବିତ୍ର ସୋମବାର ଥିବାରୁ ଭୋରରୁ ହିଁ କପିଳାସ ପାହାଡ଼ରେ ଭକ୍ତଙ୍କ ଭିଡ଼ ଲାଗିଥିଲା। ଅନେକ ଶ୍ରଦ୍ଧାଳୁ ଉପବାସ ରଖି ପାହାଡ଼ ଉପରକୁ ପାହାଚ ଓ ରାସ୍ତା ମାର୍ଗ ଦେଇ ଯାଇ ପ୍ରଭୁ ଚନ୍ଦ୍ରଶେଖର ଜୀଉଙ୍କ ନିକଟରେ ଜଳ ଅର୍ପଣ କରିଥିଲେ।
ଭକ୍ତଙ୍କ ସୁରକ୍ଷା ଓ ସୁବିଧାକୁ ଦୃଷ୍ଟିରେ ରଖି ଢେଙ୍କାନାଳ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସୁରକ୍ଷା କର୍ମୀ ମୁତୟନ ସହ ମେଡିକାଲ ଟିମ୍, ପାନୀୟ ଜଳ ବ୍ୟବସ୍ଥା ଓ ଯାତାୟାତ ପରିଚାଳନା ପାଇଁ ବିଶେଷ ପଦକ୍ଷେପ ନିଆଯାଇଛି। ମନ୍ଦିର ପରିସରରେ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି। ଧାଡ଼ିରେ ରହି ଶ୍ରଦ୍ଧାଳୁମାନେ ଶାନ୍ତିପୂର୍ଣ୍ଣ ଭାବେ ପ୍ରଭୁଙ୍କ ଦର୍ଶନ କରୁଛନ୍ତି। ପ୍ରତିବର୍ଷ ଶ୍ରାବଣ ମାସରେ କପିଳାସ ପୀଠକୁ ବହୁ ସଂଖ୍ୟକ ଶିବଭକ୍ତଙ୍କ ଆଗମନ ହୋଇଥାଏ। ଚଳିତ ବର୍ଷ ମଧ୍ୟ ଭକ୍ତିମୟ ପରିବେଶରେ ମୁଖରିତ ହୋଇଛି ସମଗ୍ର କପିଳାସ ପୀଠ।
