ଅଭିଷେକ ନା ମୁଁ- ଦିଦିଙ୍କୁ ଅଲଟିମେଟମ ଦେଲେ କଲ୍ୟାଣ ବାନାର୍ଜୀ
ଯଦି ମମତା ବାନାର୍ଜୀ ଅଭିଷେକଙ୍କ ବିନା ଦଳ ଚଳାଇ ପାରିବେ ନାହିଁ, ତେବେ ସେ ଦଳ ଛାଡ଼ିବାକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି

“ଅଭିଷେକ ନା ମୁଁ। ଯଦି ଅଭିଷେକ ଟିଏମସିରେ ରହିବେ, ତାହେଲେ ମୁଁ ରହିବିନି। ମମତା ନିଷ୍ପତ୍ତି ନିଅନ୍ତୁ। ସେ କାହାକୁ ରଖିବେ। କାରଣ ଏଠାରେ ଟ୍ରଷ୍ଟର କଥା ଉଠୁଛି।” ମମତାଙ୍କ ସବୁଠୁ ଖାସ୍ ବିଶ୍ୱସ୍ତ ତଥା ଅନୁଗତ କଲ୍ୟାଣ ବାନାର୍ଜୀଙ୍କ ଏଭଳି ବୟାନ ଟିଏମସିରେ ଝଡ଼ ସୃଷ୍ଟି କରିଛି। ଅଭିଷେକଙ୍କ ବିରୁଦ୍ଧରେ ବିସ୍ପୋରଣ କରି ଦିଦିଙ୍କୁ ଦେଇଛନ୍ତି ଅଲଟିମେଟମ। ଟିଏମସି ଭିତରେ ଚାଲିଥିବା ଆଭ୍ୟନ୍ତରୀଣ କନ୍ଦଳ ଏବେ ଉଗ୍ର ରୂପ ନେଇଛି। ଦଳର ବରିଷ୍ଠ ସାଂସଦ ଓ ଆଇନଜୀବୀ କଲ୍ୟାଣ ବାନାର୍ଜୀ ଦଳର ସର୍ବଭାରତୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କ ବିରୋଧରେ ତୀବ୍ର ଆକ୍ରମଣ କରିଛନ୍ତି। ସେ ଅଭିଷେକଙ୍କୁ ଅହଙ୍କାରୀ ଓ ସ୍ୱେଚ୍ଛାଚାରୀ ବୋଲି କହିବା ସହ ଦଳ ମୁଖ୍ୟ ମମତାଙ୍କୁ ଅଭିଷେକ ନଚେତ ତାଙ୍କ ଭିତରୁ ଜଣକୁ ବାଛିବାକୁ କହିଛନ୍ତି। କଲ୍ୟାଣ ବାନାର୍ଜୀଙ୍କ ଅଭିଯୋଗ ଅନୁସାରେ, ଏକ ଜାଲିଆତି ମାମଲାରେ ସେ ଅଭିଷେକ ବାନାର୍ଜୀଙ୍କ ପକ୍ଷରୁ ଆଇନଗତ ଲଢ଼େଇ କରୁଥିଲେ। ମାମଲା ପାଇଁ ସେ ଦୀର୍ଘ ସମୟ ଧରି ପ୍ରସ୍ତୁତି କରିଥିଲେ। କିନ୍ତୁ ହଠାତ୍ ତାଙ୍କୁ ନ ଜଣାଇ ଅନ୍ୟ ଜଣେ ଆଇନଜୀବୀଙ୍କୁ ନିଯୁକ୍ତ କରାଯାଇଥିଲା। ଏହାକୁ ସେ ନିଜ ପ୍ରତି ଅପମାନ ବୋଲି ବର୍ଣ୍ଣନା କରିଛନ୍ତି। ଅଭିଷେକ ବାନାର୍ଜୀ ସମସ୍ତଙ୍କୁ ଅସମ୍ମାନ କରୁଛନ୍ତି ଏବଂ ତାଙ୍କ ଆଚରଣ ହିଁ ଦଳ ଭିତରେ ବର୍ତ୍ତମାନର ଅସନ୍ତୋଷ ଓ ବିଦ୍ରୋହର ପ୍ରମୁଖ କାରଣ। ସେ କହିଥିଲେ ଯଦି ମମତା ବାନାର୍ଜୀ ଅଭିଷେକଙ୍କ ବିନା ଦଳ ଚଳାଇ ପାରିବେ ନାହିଁ, ତେବେ ସେ ଦଳ ଛାଡ଼ିବାକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି। ନିକଟରେ ଦଳର ଅନେକ ନେତା ଓ ସାଂସଦଙ୍କ ଅସନ୍ତୋଷ ଖୋଲାଖୋଲି ସାମ୍ନାକୁ ଆସିଥିବା ବେଳେ, କଲ୍ୟାଣଙ୍କ ଏହି ଆକ୍ରମଣ ଟିଏମସି ନେତୃତ୍ୱ ପାଇଁ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ରାଜନୈତିକ ସମୀକ୍ଷକଙ୍କ ମତରେ, ଅଭିଷେକ ବାନାର୍ଜୀଙ୍କ ବଢ଼ୁଥିବା ପ୍ରଭାବକୁ ନେଇ ଦଳର ବରିଷ୍ଠ ନେତାମାନଙ୍କ ଏକ ବଡ଼ ଗୋଷ୍ଠୀ ଅସନ୍ତୁଷ୍ଟ ରହିଛନ୍ତି। କଲ୍ୟାଣ ବାନାର୍ଜୀଙ୍କ ଏହି ଖୋଲା ଆକ୍ରମଣ ଆଗାମୀ ଦିନରେ ଟିଏମସି ଭିତରେ ଶକ୍ତି ସନ୍ତୁଳନ ନେଇ ଚର୍ଚ୍ଚାକୁ ତୀବ୍ର କରିପାରେ।
