ଝାଡ଼ଖଣ୍ଡରେ ନିଯୁକ୍ତି ପରୀକ୍ଷା ଅନିୟମିତତା ଅଭିଯୋଗ, ୨୦ ଦିନରେ ଛାତ୍ର ଆନ୍ଦୋଳନ
୨୦ ଦିନରେ ପହଞ୍ଚିଲା ଝାଡ଼ଖଣ୍ଡ ଛାତ୍ରଙ୍କ ଆନ୍ଦୋଳନ। ନିଯୁକ୍ତି ପରୀକ୍ଷାରେ ଅନିୟମିତତା ଅଭିଯୋଗ, ରାଞ୍ଚିର ଜୟପାଲ ସିଂ ମୁଣ୍ଡା ଷ୍ଟାଡିୟମରେ ଚାଲିଛି ଧାରଣା।
ରାଞ୍ଚି: ସରକାରୀ ନିଯୁକ୍ତି ପରୀକ୍ଷା ବ୍ୟବସ୍ଥାରେ ବ୍ୟାପକ ସଂସ୍କାର ଓ ପରୀକ୍ଷା ଅନିୟମିତତାର ନିରପେକ୍ଷ ତଦନ୍ତ ଦାବିରେ ଝାଡ଼ଖଣ୍ଡରେ ଚାଲିଥିବା ଛାତ୍ର ଆନ୍ଦୋଳନ ଉତ୍ତେଜନାପୂର୍ଣ୍ଣ ରୂପ ନେଇଛି। ସୋମବାର ବିଧାନସଭା ଅଭିମୁଖେ ଯାଉଥିବା ହଜାର ହଜାର ଛାତ୍ର, ଚାକିରି ଆଶାୟୀ ଓ ସମର୍ଥକଙ୍କୁ ଅଟକାଇବା ପାଇଁ ପୁଲିସ ପାଣି କାନନ, ଲାଠିଚାର୍ଜ ଓ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିବା ଜଣାପଡ଼ିଛି। ଛାତ୍ରମାନଙ୍କ ଏହି ଆନ୍ଦୋଳନ ୨୦ ଦିନରେ ପହଞ୍ଚିଛି। ରାଞ୍ଚିର ଜୟପାଲ ସିଂ ମୁଣ୍ଡା ଷ୍ଟାଡିୟମରେ ‘JPSC-JSSC Reforms Manch’ ପକ୍ଷରୁ ଚାଲିଥିବା ଧାରଣାରେ ଛାତ୍ର ଓ ଚାକିରି ଆଶାୟୀମାନେ ନିଜ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ ଘୋଷଣା କରିଛନ୍ତି। ଆନ୍ଦୋଳନକାରୀମାନେ ଝାଡ଼ଖଣ୍ଡର ସରକାରୀ ନିଯୁକ୍ତି ପରୀକ୍ଷା ପ୍ରଣାଳୀରେ ସ୍ୱଚ୍ଛତା ଓ ବ୍ୟାପକ ସଂସ୍କାର ଦାବି କରୁଛନ୍ତି। ଏହା ସହ ପରୀକ୍ଷାରେ ହୋଇଥିବା କଥିତ ଅନିୟମିତତାର ନିରପେକ୍ଷ ତଦନ୍ତ ପାଇଁ CBI କିମ୍ବା ଝାଡ଼ଖଣ୍ଡ ବାହାରର ଅବସରପ୍ରାପ୍ତ ବିଚାରପତିଙ୍କୁ ନେଇ ଏକ ସ୍ୱତନ୍ତ୍ର କମିଟି ଗଠନ କରିବାକୁ ଦାବି ହୋଇଛି।
ରାଞ୍ଚିରେ ଚାଲିଥିବା ଛାତ୍ର ଆନ୍ଦୋଳନକୁ ବିରୋଧୀ BJP ସମର୍ଥନ କରିଛି। ଦଳ ପକ୍ଷରୁ ପ୍ରତିବାଦ କରାଯିବା ସହ ବିଧାନସଭାରେ ମଧ୍ୟ ଏହି ପ୍ରସଙ୍ଗ ଉଠାଯାଇଛି। BJP ମାମଲାରେ କେନ୍ଦ୍ରୀୟ ତଦନ୍ତ ଦାବି କରିଛି। ଅନ୍ୟପକ୍ଷରେ, ରାଜ୍ୟର ସରକାରୀ ମେଣ୍ଟର ଅଂଶୀଦାର କଂଗ୍ରେସ ମଧ୍ୟ ଛାତ୍ରମାନଙ୍କ ଦାବିକୁ ସମର୍ଥନ କରିଛି। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ନିଯୁକ୍ତି ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ପାଇଁ ସରକାର ପ୍ରତିବଦ୍ଧ ବୋଲି କହିଛନ୍ତି। ଏହା ସହ ୧୪ତମ JPSC ପରୀକ୍ଷା ବାତିଲ କରାଯିବ ବୋଲି ସେ ଆଶ୍ୱାସନ ଦେଇଥିବା ଜଣାପଡ଼ିଛି। ତେବେ BJP ଆନ୍ଦୋଳନକୁ ରାଜନୈତିକ ଲାଭ ପାଇଁ ବ୍ୟବହାର କରୁଥିବା ମୁଖ୍ୟମନ୍ତ୍ରୀ ଅଭିଯୋଗ କରିଛନ୍ତି। ସୂଚନା ଅନୁଯାୟୀ, ରାଞ୍ଚିର ଷ୍ଟାଡିୟମରେ ଜୁଲାଇ ୨୫ରୁ ଛାତ୍ର ଧାରଣାରେ ବସିଛନ୍ତି। କେତେକ ଆନ୍ଦୋଳନକାରୀ ଖୋଲା ଆକାଶ ତଳେ ରାତି କାଟୁଥିବା ବେଳେ ଅନେକେ ଅନଶନ ମଧ୍ୟ କରିଛନ୍ତି। ସରକାର ସହ ଏକାଧିକ ପର୍ଯ୍ୟାୟରେ ଆଲୋଚନା ହୋଇ କିଛି ଦାବି ଗ୍ରହଣ କରାଯାଇଥିଲେ ମଧ୍ୟ ଅବଶିଷ୍ଟ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନକାରୀମାନେ ସ୍ପଷ୍ଟ କରିଛନ୍ତି।
