କଲମ୍ବିଆ ଭୂମିକମ୍ପ- ମୃତ୍ୟୁସଂଖ୍ୟା ୧୮୧ ପାର
କଲମ୍ବିଆରେ ଭୟଙ୍କର ଭୂମିକମ୍ପ ପରେ ଏବେ ବି ଜାରି ରହିଛି ରେସ୍କ୍ୟୁ ଅପରେସନ୍ । ମୃତ୍ୟୁସଂଖ୍ୟା ୧୮୧ ପାର କରିଥିବା ବେଳେ, ଭଗ୍ନାବଶେଷ ତଳେ ଫସିରହିଛି ଆହୁରି ଅନେକ ଜୀବନ।

କଲମ୍ବିଆରେ ଭୟଙ୍କର ଭୂମିକମ୍ପ ପରେ ଏବେ ବି ଜାରି ରହିଛି ରେସ୍କ୍ୟୁ ଅପରେସନ୍ । ମୃତ୍ୟୁସଂଖ୍ୟା ୧୮୧ ପାର କରିଥିବା ବେଳେ, ଭଗ୍ନାବଶେଷ ତଳେ ଫସିରହିଛି ଆହୁରି ଅନେକ ଜୀବନ। ପଡ଼ୋଶୀ ଦେଶ ଭେନେଜୁଏଲା ଓ ଇକ୍ୱେଡର ସମେତ ରାଜଧାନୀ ବୋଗୋଟାରେ ମଧ୍ୟ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ସୂଚନା ଅନୁସାରେ, ସୋମବାର ସକାଳେ କଲମ୍ବିଆରେ ଆସିଥିଲା ୭.୪ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ। ପ୍ରକୃତିର ଏହି ପ୍ରଳୟରେ କାଲି ଓ ପେରେଇରା ସହ ଅନେକ ସହରରେ ଭୁଶୁଡ଼ି ପଡ଼ିଛି ବଡ଼ ବଡ଼ କୋଠା। ଏହି ଭୂ-କମ୍ପରେ ୧୮୧ ଜଣଙ୍କ ମୃତ୍ୟୁ ସରକାରୀ ଭାବେ ସ୍ପଷ୍ଟ ହୋଇଥିବା ବେଳେ, ପ୍ରାୟ ୨,୬୦୦ ଜଣ ଆହତ ହୋଇଛନ୍ତି। ଅନ୍ୟପଟେ ପ୍ରାୟ ୨୦୦ ଜଣ ଏବେ ବି ନିଖୋଜ ରହିଛନ୍ତି। କାଲିରେ ୯୫ ଏବଂ ପେରେଇରାରେ ୭୯ ଜଣଙ୍କ ମୃତ୍ୟୁ ହୋଇଛି। କାଲିରେ ଏକ ସ୍କୁଲ ଭୁଶୁଡ଼ି ପଡ଼ି ୪ ଜଣ ନିରୀହ ଶିଶୁଙ୍କ ମୃତ୍ୟୁ ହୋଇଛି। ଅନ୍ୟପଟେ କଲମ୍ବିଆ ରାଷ୍ଟ୍ରପତି ଆବେଲାର୍ଡୋ ଡେ ଲା ଏସ୍ପ୍ରିଏଲା ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ଭୂମିକମ୍ପରେ ୧,୧୦୦ରୁ ଅଧିକ ଘର ସମ୍ପୂର୍ଣ୍ଣ ଧ୍ୱଂସ ହୋଇଥିବା ବେଳେ ୮,୦୦୦ରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଛି।

ଏଥିସହ ୬୧ଟି କୋଠା ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡିଛି। ସୁରକ୍ଷା ଦୃଷ୍ଟିରୁ ଅନେକ ଲୋକ ରାତିରେ ଘରକୁ ନଫେରି ଖୋଲା ଆକାଶ ତଳେ ରାତି କାଟିଥିଲେ। ସେହିପରି କଲମ୍ବିଆର ଭୂତତ୍ତ୍ୱ ସେବା ସୂଚନା ଅନୁସାରେ ସୋମବାରର ଭୂମିକମ୍ପ ପରେ ୭୦ରୁ ଅଧିକ ଆଫ୍ଟରଶକ୍ ହୋଇଥିବାରୁ ଲୋକଙ୍କ ମଧ୍ୟରେ ଭୟ ଲାଗିରହିଛି। ତେବେ ଲୋକଙ୍କୁ ସତର୍କ ରହିବାକୁ ଓ ଘରର କାନ୍ଥରେ ଫାଟ ଥିଲେ ଭିତରକୁ ନଯିବାକୁ ପରାମର୍ଶ ଦେଇଛନ୍ତି ରାଷ୍ଟ୍ରପତି। ଭୂମିକମ୍ପ ପରେ କଲମ୍ବିଆକୁ ବିଭିନ୍ନ ଦେଶରୁ ସହାୟତା ମିଳୁଛି। ଆହୁରି ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା ରହିଥିବା ବେଳେ ଭଗ୍ନାବଶେଷ ତଳେ ଫସିଥିବା ଲୋକଙ୍କୁ ଖୋଜିବା ପାଇଁ ଉଦ୍ଧାରକାରିଦଳ ଓ ସ୍ୱେଚ୍ଛାସେବୀ ଏବେବି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।
