Jaypur Manikeshwari Idol:ଜୟପୁରରେ ମାଟି ତଳୁ ମିଳିଲା ମା’ ମାଣିକେଶ୍ୱରୀଙ୍କ ପ୍ରତିମା
ସ୍ୱପ୍ନାଦେଶ, ମଧ୍ୟରାତ୍ରିରେ ମାଟି ଖୋଳା ଏବଂ ମାଟି ତଳୁ ଦେବୀଙ୍କ ପ୍ରତିମା ମିଳିବା। ଜୟପୁରର ନୂଆ ସାହିରେ ଏହି ଘଟଣାକୁ ନେଇ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିବାବେଳେ ପୂଜାର୍ଚ୍ଚନାରେ ମାତିଛନ୍ତି ଶ୍ରଦ୍ଧାଳୁ।
ଜୟପୁର: ମାଟି ତଳୁ ମା’ ମାଣିକେଶ୍ୱରୀଙ୍କ ପ୍ରତିମା ମିଳିଥିବା ଦାବିକୁ ନେଇ କୋରାପୁଟ ଜିଲ୍ଲା ଜୟପୁର ସହରରେ ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ପରିବେଶ। ସହରର ନୂଆ ସାହି ଦ୍ୱିତୀୟ ଗଳିରେ ଏହି ଘଟଣା ପରେ ସ୍ଥାନୀୟ ମହିଳା ଓ ଶ୍ରଦ୍ଧାଳୁମାନେ ଏକାଠି ହୋଇ ମା’ଙ୍କ ପୂଜାର୍ଚ୍ଚନା କରୁଛନ୍ତି। ସୂଚନା ଅନୁସାରେ, ଘର ଭିତରେ ମାଟି ତଳେ ମା’ଙ୍କ ପ୍ରତିମା ରହିଥିବା ନେଇ ସ୍ୱପ୍ନାଦେଶ ହୋଇଥିବା କୁହାଯାଉଛି। ଗତ ସପ୍ତାହ ଶନିବାର ଜଣେ ଯୁବତୀଙ୍କ ଦେହରେ ମା’ ବିରାଜମାନ ହୋଇଥିବା ମଧ୍ୟ ଦାବି କରାଯାଇଛି। ଏହାପରେ ମା’ଙ୍କ ଆଦେଶ ଅନୁସାରେ ଶନିବାର ମଧ୍ୟରାତ୍ରିରେ ଘର ଭିତରେ ମାଟି ଖୋଳାଯାଇଥିଲା। ସେଠାରୁ ମା’ ମାଣିକେଶ୍ୱରୀଙ୍କ ପ୍ରତିମା ମିଳିଥିବା ସ୍ଥାନୀୟ ଲୋକେ କହିଛନ୍ତି। ପ୍ରତିମା ମିଳିବା ପରେ ସାହିର ମହିଳାମାନେ ଏକାଠି ହୋଇ ଧୂପ, ଦୀପ ଦେଇ ମା’ଙ୍କ ଆରାଧନା କରିଥିଲେ। ଏହାକୁ ନେଇ ସମଗ୍ର ଅଞ୍ଚଳରେ ଭକ୍ତି ଓ ଶ୍ରଦ୍ଧାର ପରିବେଶ ଦେଖିବାକୁ ମିଳିଛି। ତେବେ ପ୍ରତିମାଟିର ପ୍ରାଚୀନତା, ଐତିହାସିକ ଗୁରୁତ୍ୱ କିମ୍ବା ଏହା ସେଠାରେ କେବେଠାରୁ ରହିଥିଲା, ସେ ସମ୍ପର୍କରେ କୌଣସି ଆଧିକାରିକ ତଥ୍ୟ ମିଳିନାହିଁ। ଏହା ସତ୍ତ୍ୱେ ପ୍ରତିମା ମିଳିବା ଘଟଣାକୁ ନେଇ ନୂଆ ସାହିରେ ଉତ୍ସାହ ଓ ଆଧ୍ୟାତ୍ମିକ ମାହୋଲ ଜାରି ରହିଛି।

