Jawan attacked:ରାଷ୍ଟ୍ରପତିଙ୍କ ସୁରକ୍ଷାରେ ଥିବା ଯବାନଙ୍କୁ ଗୁଳି
ଦୀପାବଳିର ଖୁସି ମାହୋଲରେ ବାଣ ଫୁଟାକୁ ନେଇ ହେଲା ରକ୍ତାକ୍ତ ସଂଘର୍ଷ। ସାମାନ୍ୟ ବଚସାରୁ ଗୁଳିକାଣ୍ଡରେ ପରିଣତ ହେଲା ବିବାଦ। ଉତ୍ତରପ୍ରଦେଶର ବାଗପତରେ ଏହି ଘଟଣାରେ ରାଷ୍ଟ୍ରପତିଙ୍କ ଅଙ୍ଗରକ୍ଷୀ ଦଳରେ ନିୟୋଜିତ ଯବାନ ସୌରଭ ତୋମାର ଗୁଳିମାଡ଼ର ଶିକାର ହୋଇଛନ୍ତି।
ଉତ୍ତରପ୍ରଦେଶ:ଦୀପାବଳିରେ ବାଣ ଫୁଟାକୁ ନେଇ ବିବାଦରୁ ଗୁଳିକାଣ୍ଡ। ଉତ୍ତରପ୍ରଦେଶର ବାଗପତ ଜିଲ୍ଲାରେ ଘଟିଛି ଏହି ଅଭାବନିୟ ଘଟଣା। ଏଥିରେ ରାଷ୍ଟ୍ରପତିଙ୍କ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ଜଣେ ଯବାନ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତ ଯବାନଙ୍କ ନାଁ ସୌରଭ ତୋମାର। ତାଙ୍କ ମୁଣ୍ଡରେ ଗୁଳି ବାଜିଥିବା ବେଳେ ମେରଠର ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସାଧୀନ ଅଛନ୍ତି। ତାଙ୍କ ଅବସ୍ଥା ଏବେ ଅତ୍ୟନ୍ତ ସଙ୍କଟାପନ୍ନ ରହିଛି। ସୂଚନା ଅନୁସାରେ,ଦୀପାବଳି ରାତିରେ ସୌରଭ ନିଜ ଭାଇ ବିନୀତ ଓ ମିଣ୍ଟୁଙ୍କ ସହ ଘର ବାହାରେ ବାଣ ଫୁଟାଉଥିଲେ। ଏହି ସମୟରେ ଗାଁର ଧୀରଜ ଓ ତାଙ୍କ ଭାଇ ମୋନୁ ଓରଫ ପ୍ରବୀଣଙ୍କ ସହ ସେମାନଙ୍କର ବଚସା ହୋଇଥିଲା। କଥା କଟାକଟି ଧୀରେ ଧୀରେ ଉଗ୍ରରୂପ ନେଇଥିଲା। ଅଭିଯୋଗ ଅନୁସାରେ, ଧୀରଜ ଦେଶୀ ବନ୍ଧୁକ ବାହାର କରି ଗୁଳି ଚଳାଇଥିଲେ। ଗୁଳି ପ୍ରଥମେ କାନ୍ଥରେ ବାଜିବା ପରେ ସୌରଭଙ୍କ କାନ ପଛପଟ ମୁଣ୍ଡରେ ବାଜିଥିଲା। ଏହି ସମୟରେ ଧୀରଜଙ୍କ ଭାଇ ମୋନୁ ଏକ ଠେଙ୍ଗାରେ ବିନୀତଙ୍କୁ ଆକ୍ରମଣ କରିଥିବା ବେଳେ ମିଣ୍ଟୁ ମଧ୍ୟ ଠେଙ୍ଗାରେ ମୋନୁଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଗୁଳି ଶବ୍ଦ ଶୁଣି ଘଟଣାସ୍ଥଳରେ ଥିବା ଲୋକେ ଭୟରେ ଦୌଡ଼ି ପଳାଇଥିଲେ। ଅଭିଯୁକ୍ତମାନେ ମଧ୍ୟ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ୨୬ ବର୍ଷୀୟ ସୌରଭ ୨୦୨୧ରେ ସେନାରେ ନିଯୁକ୍ତି ପାଇଥିଲେ। ସେ ରାଷ୍ଟ୍ରପତିଙ୍କ ଅଙ୍ଗରକ୍ଷୀ ଦଳରେ ନିୟୋଜିତ ଅଛନ୍ତି। ଦୀପାବଳି ପାଳନ ପାଇଁ ଛୁଟିରେ ନିଜ ଗାଁକୁ ଆସିଥିଲେ। ଗୁଳିମାଡ଼ ପରେ ପରିବାର ଲୋକେ ତାଙ୍କୁ ପ୍ରଥମେ ବରାଉତ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ମେରଠକୁ ନେଇଥିଲେ। ଅସ୍ତ୍ରୋପଚାର କରି ଡାକ୍ତରମାନେ ମୁଣ୍ଡରୁ ଗୁଳି ବାହାର କରିଥିଲେ ମଧ୍ୟ ସେ ଆଇସିୟୁରେ ଅଛନ୍ତି। ଅନ୍ୟପଟେ ସୌରଭଙ୍କ ବାପା ଜନକ ରାଜ ଜରୁରୀକାଳୀନ ନମ୍ବରକୁ ଫୋନ୍ କରି ପୁଲିସକୁ ଖବର ଦେଇଥିଲେ। ତାଙ୍କ ଅଭିଯୋଗ ଆଧାରରେ ଧୀରଜ ଓ ମୋନୁଙ୍କ ବିରୋଧରେ ଏତଲା ରୁଜୁ ହୋଇଛି। ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ତଦନ୍ତ ଜାରି ରଖିଛି।
