Dehradun 14Lakh Loot:ପ୍ରପର୍ଟି ଡିଲରଙ୍କଠୁ ୧୪ଲକ୍ଷ ଲୁଟ୍- ବଜରଙ୍ଗଦଳ କର୍ମୀ ଗିରଫ
ରାଜେଶ କୁମାର ସୋନି ଏକ ଜମି କିଣାବିକା କାରବାର ପାଇଁ ୧୪ ଲକ୍ଷ ଟଙ୍କା ନେଇ ଗାଡ଼ିରେ ଯାଉଥିଲେ। ତାଙ୍କ ସହ ଦିନେଶ ତିୱାରୀ, ଓମକାର ଓ ଗୁରବିନ୍ଦର ମଧ୍ୟ ଥିଲେ। ଇନ୍ଦିରେଶ ହସ୍ପିଟାଲ ନିକଟରେ ବାଇକ୍ ଓ ଆକ୍ଟିଭାରେ ଆସିଥିବା ୪ରୁ ୫ ଜଣ ଯୁବକ ସେମାନଙ୍କ ଗାଡ଼ିକୁ ଅଟକାଇଥିଲେ। ଏହାପରେ ଗାଡ଼ିରେ ଥିବା ଲୋକଙ୍କୁ ମାଡ଼ ମାରି ଟଙ୍କା ଭର୍ତ୍ତି ବ୍ୟାଗ୍ ଛଡ଼ାଇ ନେଇ ଫେରାର

ଉତ୍ତରାଖଣ୍ଡର ରାଜଧାନୀ ଦେହରାଡୁନ୍ରେ ଦିନଦ୍ୱିପ୍ରହରରେ ୧୪ ଲକ୍ଷ ଟଙ୍କା ଲୁଟ୍ ଘଟଣା ଏବେ ଚର୍ଚ୍ଚାରେ। ଏହି ଲୁଟ୍ ମାମଲାରେ ବଜରଙ୍ଗ ଦଳର ଜଣେ କର୍ମୀଙ୍କ ସମେତ ୭ ଜଣଙ୍କୁ ପୋଲିସ ଗିରଫ କରିଛି। ରୁଦ୍ରପ୍ରୟାଗ ଜିଲ୍ଲାର ଗୁପ୍ତକାଶୀରୁ ଗିରଫ ହୋଇଛନ୍ତି ବଜରଙ୍ଗଦଳ କର୍ମୀ ସିଦ୍ଧାନ୍ତ ବଡ଼ୋନି। ଲୁଟ୍ ପଛରେ ପୂର୍ବ ଯୋଜନା ଓ ଭିତିରି ସୂଚନା ଥିବା ପୋଲିସ ତଦନ୍ତରୁ ସାମ୍ନାକୁ ଆସିଛି। ନଭେମ୍ୱର ୭ ତାରିଖର ଘଟଣା। ଡେରାଡୁନ୍ର ପଟେଲନଗର ଅଞ୍ଚଳରେ ଥିବା ମହନ୍ତ ଇନ୍ଦ୍ରେଶ ହସ୍ପିଟାଲ ନିକଟରେ ଏହା ଘଟିଥିଲା। ରାଜେଶ କୁମାର ସୋନି ଏକ ଜମି କିଣାବିକା କାରବାର ପାଇଁ ୧୪ ଲକ୍ଷ ଟଙ୍କା ନେଇ ଗାଡ଼ିରେ ଯାଉଥିଲେ। ତାଙ୍କ ସହ ଦିନେଶ ତିୱାରୀ, ଓମକାର ଓ ଗୁରବିନ୍ଦର ମଧ୍ୟ ଥିଲେ। ଅପରାହ୍ନ ପ୍ରାୟ ୩ଟା ୪୦ ମିନିଟ୍ ସମୟରେ ଇନ୍ଦିରେଶ ହସ୍ପିଟାଲ ନିକଟରେ ବାଇକ୍ ଓ ଆକ୍ଟିଭାରେ ଆସିଥିବା ୪ରୁ ୫ ଜଣ ଯୁବକ ସେମାନଙ୍କ ଗାଡ଼ିକୁ ଅଟକାଇଥିଲେ। ଏହାପରେ ଗାଡ଼ିରେ ଥିବା ଲୋକଙ୍କୁ ମାଡ଼ ମାରି ଟଙ୍କା ଭର୍ତ୍ତି ବ୍ୟାଗ୍ ଛଡ଼ାଇ ନେଇ ଫେରାର ହୋଇଯାଇଥିଲେ।
କେମିତି ରଚାଯାଇଥିଲା ଲୁଟ୍ର ଷଡ଼ଯନ୍ତ୍ର?
ପୋଲିସ ତଦନ୍ତରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ଅଭିଯୁକ୍ତମାନଙ୍କୁ ପୂର୍ବରୁ ଜଣାଥିଲା ଯେ ଜମି କାରବାର ପାଇଁ ରାଜେଶଙ୍କ ସହଯାତ୍ରୀ ଦିନେଶ ତିୱାରୀ ୧୪ ଲକ୍ଷ ଟଙ୍କା ନେଇ ଯାଉଛନ୍ତି। ପୋଲିସର ପ୍ରାଥମିକ ତଦନ୍ତ ଅନୁସାରେ- ଟଙ୍କା ନେଇ ଯିବା ସମ୍ପର୍କରେ ଅଭିଯୁକ୍ତଙ୍କୁ ଆଗୁଆ ସୂଚନା ମିଳିଥିଲା। ଜଣେ ସୂଚନାଦାତା ଗାଡ଼ି ଭିତରେ ମଧ୍ୟ ଥିଲେ।ଅନ୍ୟ ଅଭିଯୁକ୍ତମାନେ ଦୁଇଟି ବାଇକ୍ରେ ପିଛା କରୁଥିଲେ।ଉପଯୁକ୍ତ ସମୟ ଦେଖି ଗାଡ଼ି ଅଟକାଇ ଟଙ୍କା ଲୁଟ୍ କରିଥିଲେ। ଅର୍ଥାତ୍ ଏହା ଆକସ୍ମିକ ଲୁଟ୍ ନୁହେଁ, ବରଂ ପୂର୍ବ ଯୋଜନା ଅନୁସାରେ ହୋଇଥିବା ସନ୍ଦେହ କରାଯାଉଛି। ମୋଟ୍ ୧୪ଲକ୍ଷ ଟଙ୍କା ଲୁଟରୁ ୩ ଲକ୍ଷ ଟଙ୍କା ଜବତ କରିଛି ପୁଲିସ।
ବଜରଙ୍ଗ ଦଳ ସହ ସମ୍ପର୍କକୁ ନେଇ ବିବାଦ
ଏହି ଘଟଣାରେ ବଜରଙ୍ଗ ଦଳ ସହ ଜଡ଼ିତ କିଛି ବ୍ୟକ୍ତିଙ୍କ ନାମ ଆସିବା ପରେ ରାଜନୈତିକ ଓ ସାମାଜିକ ଚର୍ଚ୍ଚା ଆରମ୍ଭ ହୋଇଛି। ପୋଲିସ ଅଧିକାରୀଙ୍କ କହିବା ଅନୁସାରେ ଅଭିଯୁକ୍ତଙ୍କର ଏକ ଦକ୍ଷିଣପନ୍ଥୀ ସଂଗଠନ ସହ ସମ୍ପର୍କ ଥିବା ତଦନ୍ତରେ ଜଣାପଡ଼ିଛି। ୧୪ ଲକ୍ଷ ଟଙ୍କା ଲୁଟ୍ ଘଟଣାରେ ବଜରଙ୍ଗ ଦଳ ସହ ଜଡ଼ିତ ସିଦ୍ଧାନ୍ତ ବଡୋନିଙ୍କ ସମେତ ୭ ଜଣ ଗିରଫ ହୋଇଥିବା ବେଳେ ମୋଟ ୩.୦୨ ଲକ୍ଷ ଟଙ୍କା ଉଦ୍ଧାର ହୋଇଛି। ଜମି କାରବାରର ଗୁପ୍ତ ସୂଚନା ଆଧାରରେ ଏହି ଲୁଟ୍ ଯୋଜନା ହୋଇଥିବା ପୋଲିସର ତଦନ୍ତରୁ ଜଣାପଡ଼ିଛି।
