Money Over Humanity:ଧନୀ ହେବା ନିଶାରେ କାଢ଼ିନେଲା ଫୁସଫୁସ,କିଡନୀ
ଯାହାକୁ ନିଜର ଭାବି ଭରସା କରାଯାଇଥିଲା, ସେହି ସାଜିଲା ମୃତ୍ୟୁର କାରଣ! ଟଙ୍କା ଲୋଭରେ ୪ ବର୍ଷର କଅଁଳ ଶିଶୁକୁ ହତ୍ୟା। ଛତିଶଗଡ଼ର ଏହି ଘଟଣା ସମସ୍ତଙ୍କ ହୃଦୟକୁ ଦୋହଲାଇ ଦେଇଛି।

ଟଙ୍କା ଲୋଭରେ ରାକ୍ଷସ ପାଲଟିଗଲା ନିଜ ସମ୍ପର୍କୀୟ ! ଛତିଶଗଡ଼ରୁ ସାମ୍ନାକୁ ଆସିଛି ଏକ ହୃଦୟବିଦାରକ ଘଟଣା | ଜଣେ ୨୭ ବର୍ଷୀୟ ଯୁବକ ନିଜ ସମ୍ପର୍କୀୟ ଭାଇଙ୍କ ମାତ୍ର ୪ ବର୍ଷର କଅଁଳ ଶିଶୁପୁତ୍ରକୁ ହତ୍ୟା କରିଥିବା ନେଇ ସାଂଘାତିକ ଅଭିଯୋଗ ହୋଇଛି | ଏକ ଏଜେନ୍ସିର ରିପୋର୍ଟ ଅନୁଯାୟୀ, ସୋସିଆଲ ମିଡିଆରୁ ପ୍ରଭାବିତ ହୋଇ ସେ ଅନଲାଇନ୍ରେ ବିକ୍ରି କରିବା ଉଦ୍ଦେଶ୍ୟରେ ଶିଶୁଟିର କିଡନୀ, ଫୁସଫୁସ ଓ ଆଖି ବାହାର କରିଥିଲା | ପୋଲିସର ସୂଚନା ଅନୁସାରେ, ଅଭିଯୁକ୍ତର ପରିଚୟ ବାସୁଦେବ ଓରଫ୍ ତଙ୍ଗନୁ ବୋଲି ଜଣାପଡ଼ିଛି। ରବିବାର ତାକୁ ଗିରଫ କରାଯାଇଛି। ଜଶପୁର ଜିଲ୍ଲାର ଲୋଧେନାପଥ ମହୁଆ ଗାଁର ଏକ ଚାଷଜମିରେ ଖୋଳାଯାଇଥିବା ଗାତ ଭିତରେ ବସ୍ତାରେ ଭର୍ତ୍ତି ଅବସ୍ଥାରେ ଶିଶୁଟିର ମୃତଦେହ ମିଳିଥିଲା |
ତୁରନ୍ତ ଧନୀ ହେବା ପାଇଁ ଅଭିଯୁକ୍ତ କରିଥିଲେ ଏଭଳି କାର୍ଯ୍ୟ
ଜଶପୁରର ବରିଷ୍ଠ ପୋଲିସ ଅଧୀକ୍ଷକ (SSP) ଲାଲ ଉମେଦ ସିଂହ କହିଛନ୍ତି ଯେ, ମୃତ ଶିଶୁର ବାପା ରାମଜିତ ରାମ (୩୬) ଗତ ଶନିବାର ସନ୍ନା ଥାନାରେ ଅଭିଯୋଗ କରିଥିଲେ। ତାଙ୍କ ୪ ବର୍ଷର ପୁଅ ଜିତେନ୍ଦ୍ର ରାମ ନଭେମ୍ବର ୫ ତାରିଖରୁ ନିଖୋଜ ଥିଲା | ପ୍ରାୟ ଏକ ବର୍ଷ ପୂର୍ବେ କାମ ଅନ୍ୱେଷଣରେ ରାମଜିତ ନିଜ ପରିବାର ସହ ସନ୍ନା ଗାଁକୁ ଆସିଥିଲେ। ସେଠାରେ ଆମାଚୁଆ ନଦୀ ବନ୍ଧ ନିକଟରେ ଥିବା ଏକ କୁଡ଼ିଆରେ ରହୁଥିଲେ। ପୋଲିସ କହିଛି ଯେ, ଅଭିଯୁକ୍ତ ତାଙ୍କ ସମ୍ପର୍କୀୟ ମାମୁଁଭାଇ ହୋଇଥିବାରୁ ନିୟମିତ ତାଙ୍କ ଘରକୁ ଯିବାଆସିବା କରୁଥିଲା |
SSPଙ୍କ କହିବା ଅନୁଯାୟୀ, ଗତ ଶନିବାର ପରିବାର ସଦସ୍ୟଙ୍କ ସହ ଶିଶୁକୁ ଖୋଜୁଥିବା ସମୟରେ ବାପା ନିଜ ପୁଅର ମୃତଦେହ ପାଇଥିଲେ। ମୃତଦେହଟି ଏକ ବସ୍ତା ଭିତରେ ଭର୍ତ୍ତି ହୋଇଥିଲା। ଏହାକୁ କମ୍ବଳ ଓ ରେଜେଇରେ ଗୁଡ଼ାଇ ମକା କ୍ଷେତ ନିକଟରେ ପାଣି ଭର୍ତ୍ତି ଏକ ଗାତରେ ଆଂଶିକ ଭାବେ ପୋତି ଦିଆଯାଇଥିଲା | ତଦନ୍ତ ପରେ ପୋଲିସ ନିକଟସ୍ଥ ଚଲନି ଗୋରାପଥ ଗାଁର ବାସିନ୍ଦା ବାସୁଦେବ (୨୭)କୁ ଅଟକ ରଖିଥିଲା। ପଚରାଉଚରା ବେଳେ ଅଭିଯୁକ୍ତ ନିଜ ଅପରାଧ ସ୍ୱୀକାର କରିଥିବା ପୋଲିସ ଅଧିକାରୀ କହିଛନ୍ତି। ଦିନ ମଜୁରିଆ ଭାବେ କାମ କରି ମିଳୁଥିବା ଟଙ୍କାରେ ସେ ସନ୍ତୁଷ୍ଟ ନଥିଲା ଏବଂ ଅଧିକ ଟଙ୍କା ରୋଜଗାର କରିବାକୁ ଚାହୁଁଥିଲା।
SSP କ'ଣ କହିଛନ୍ତି?
SSP ଅଭିଯୁକ୍ତର ବୟାନକୁ ଉଦ୍ଧୃତ କରି କହିଛନ୍ତି ଯେ, ଶୀଘ୍ର ଟଙ୍କା ରୋଜଗାର କରିବାର ଉପାୟ ଖୋଜିବା ପାଇଁ ସେ ପ୍ରାୟତଃ ସୋସିଆଲ ମିଡିଆ ବ୍ୟବହାର କରୁଥିଲା। ଏହି ସମୟରେ ଛୋଟ ପିଲାଙ୍କ ଅଙ୍ଗ ବାହାର କରି ବିକ୍ରି କରିବାର ଚିନ୍ତା ତା' ମନକୁ ଆସିଥିଲା | ପୋଲିସ ଅନୁଯାୟୀ, ନଭେମ୍ବର ୫ ତାରିଖରେ ଅଭିଯୁକ୍ତ ଶିଶୁଟିକୁ ଲୋଭ ଦେଖାଇ ନିଜ ସହ ନେଇଯାଇଥିଲା। ତାକୁ ବିଭିନ୍ନ ସ୍ଥାନରେ ବୁଲାଇବା ପରେ ମଦ ଓ ଚିକେନ୍ କିଣିଥିଲା। ଅଭିଯୋଗ ଅନୁସାରେ, ଶିଶୁକୁ ମଧ୍ୟ ମଦ ପିଆଇଥିଲା | ଶିଶୁଟି ନିଶାସକ୍ତ ଅବସ୍ଥାରେ ଶୋଇପଡ଼ିବା ପରେ ଅଭିଯୁକ୍ତ ଛୁରୀରେ ତା'ର ଗଳା କାଟି ହତ୍ୟା କରିଥିବା ପୋଲିସ କହିଛି। ଏହାପରେ ଶିଶୁର ଶରୀରରୁ କିଡନୀ, ଫୁସଫୁସ ଓ ଆଖି ବାହାର କରି ଏକ ପ୍ଲାଷ୍ଟିକ୍ ବାଲ୍ଟିରେ ରଖିଥିଲା ବୋଲି SSP ସୂଚନା ଦେଇଛନ୍ତି। ପରେ ମୃତଦେହକୁ କମ୍ବଳ ଓ ରେଜେଇରେ ଗୁଡ଼ାଇ ବସ୍ତାରେ ଭର୍ତ୍ତି କରି କ୍ଷେତରେ ଥିବା ପାଣି ଭର୍ତ୍ତି ଗାତରେ ପକାଇ ମାଟି ଘୋଡ଼ାଇ ଦେଇଥିଲା | ଅଭିଯୁକ୍ତର ସୂଚନା ଆଧାରରେ ପୋଲିସ ଘଟଣାସ୍ଥଳ ନିକଟସ୍ଥ ଏକ ଗାତରୁ ଅପରାଧରେ ବ୍ୟବହୃତ ଅସ୍ତ୍ର, ଶରୀରରୁ ବାହାର କରାଯାଇଥିବା ଅଙ୍ଗ ଥିବା ପ୍ଲାଷ୍ଟିକ୍ ବାଲ୍ଟି ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି। ଏହି ଘଟଣାରେ ପୋଲିସର ପରବର୍ତ୍ତୀ ତଦନ୍ତ ଜାରି ରହିଛି।
