Murder or Accident : ରୋଜଗାର ପାଇଁ ଯାଇଥିଲେ, ଫେରିଲା ମୃତଦେହ
ପୁନେରେ ରୋହିତଙ୍କ ମୃତ୍ୟୁକୁ ନେଇ ବଡ଼ ସସ୍ପେନ୍ସ! ଦୁର୍ଘଟଣା ନା ଯୋଜନାବଦ୍ଧ ହତ୍ୟା? ଠିକାଦାରଙ୍କ ନାଁରେ ସାଂଘାତିକ ଅଭିଯୋଗ।୨୫ ବର୍ଷୀୟ ରୋହିତଙ୍କ ମୃତ୍ୟୁ ପଛର ସତ କ’ଣ? ପୋଲିସ ତଦନ୍ତ ଉପରେ ଏବେ ସମସ୍ତଙ୍କ ନଜର।
ପରିବାରର ଅଭାବ ଦୂର କରିବାକୁ ଦାଦନ ଖଟିବାକୁ ଯାଇଥିଲେ ପୁନେ | ହେଲେ ଆଉ ଜୀବିତ ଫେରିଲେନି। ୨୫ ବର୍ଷୀୟ ରୋହିତ ସାହୁଙ୍କ ମୃତ୍ୟୁକୁ ନେଇ ଏବେ ଉଠିଛି ଅନେକ ସନ୍ଦେହ। ହତ୍ୟା ପରେ ଏହାକୁ ଦୁର୍ଘଟଣାର ରୂପ ଦିଆଯାଇଥିବା ଅଭିଯୋଗ ହୋଇଛି | ଠିକାଦାରଙ୍କ ନାଁରେ ମଧ୍ୟ ଆସିଛି ସାଂଘାତିକ ଅଭିଯୋଗ | ମୃତ ରୋହିତ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଖଣ୍ଡାମରା ଗାଁର ବାସିନ୍ଦା | ଗାଁରେ ରୋଜଗାରର ସୁଯୋଗ ନଥିବାରୁ ପରିବାରର ପାଞ୍ଚ ପ୍ରାଣୀଙ୍କ ମୁହଁରେ ଆହାର ଯୋଗାଇବା ପାଇଁ ସେ ମହାରାଷ୍ଟ୍ରର ପୁନେକୁ ଯାଇଥିଲେ | ହେଲେ ଗତ ୭ ତାରିଖ ରାତିରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଶବ ବ୍ୟବଚ୍ଛେଦ ପରେ ଆଜି ଆମ୍ବୁଲାନ୍ସ ଯୋଗେ ତାଙ୍କ ମୃତଦେହ ଗାଁରେ ପହଞ୍ଚିଛି।
ରୋହିତଙ୍କ ମାଆ ଅଭିଯୋଗ କରିଛନ୍ତି ଯେ, ପୁଅକୁ ହତ୍ୟା କରାଯାଇଛି ଏବଂ ଏନେଇ ସେ ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି। ଅନ୍ୟପଟେ ରୋହିତଙ୍କ ପତ୍ନୀ ଠିକାଦାରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ଠିକାଦାର ତାଙ୍କ ସହ ଅନୈତିକ ସମ୍ପର୍କ ରଖିବାକୁ ଚାହୁଁଥିଲେ ଏବଂ ସେହି କାରଣରୁ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ତେବେ ଏହି ଅଭିଯୋଗର ସତ୍ୟତା ପୋଲିସ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ |
ରୋହିତଙ୍କ ମୃତଦେହ ଗାଁରେ ପହଞ୍ଚିବା ପରେ ସାରା ଗାଁରେ ଖେଳିଯାଇଛି ଶୋକର ଛାୟା | ପୁଅକୁ ହରାଇ ମାଆଙ୍କ କାନ୍ଦବୋବାଳିରେ ଫାଟିପଡ଼ୁଛି ପରିବେଶ। ଭଉଣୀଙ୍କ ଆଖିରୁ ଲୁହ ଶୁଖୁନି। ଶଯ୍ୟାଶାୟୀ ବୃଦ୍ଧ ବାପା, ମାଆ ଓ ଅବିବାହିତ ଭଉଣୀଙ୍କ ଭବିଷ୍ୟତ ଏବେ ଅନିଶ୍ଚିତତା ମଧ୍ୟରେ | ପରିବାରର ଏକମାତ୍ର ରୋଜଗାରିଆ ପୁଅକୁ ହରାଇ ଅସହାୟ ହୋଇପଡ଼ିଛି ପୂରା ପରିବାର। ଘଟଣାର ନିରପେକ୍ଷ ତଦନ୍ତ ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଏବଂ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ଯୋଗାଇଦେବାକୁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା।
