ବିଜୟଙ୍କ ‘ଜନ ନାୟଗନ’କୁ ‘A’ ସାର୍ଟିଫିକେଟ
ଥଲପତି ବିଜୟଙ୍କ ଫିଲ୍ମ ‘ଜନ ନାୟଗନ’କୁ ସିବିଏଫସିରୁ ମିଳିଲା ସାର୍ଟିଫିକେଟ। ଜୁଲାଇ ୨୪ରେ ଏହା ରିଲିଜ ହେବ। ଥଲପତିଙ୍କ ଶେଷ ଫିଲ୍ମର ଅବଧି ରହିବ ୩ ଘଣ୍ଟା ୩ମିନିଟ। ଫିଲ୍ମରେ ବିଜୟଙ୍କ ସହ ନଜର ଆସିବେ ବବି ଦେଓଲ, ପୂଜା ହେଗଡ଼େ ଓ ମମିତା ବୈଜୁଙ୍କ ଭଳି କଳାକାର।

ଥଲପତି ବିଜୟଙ୍କ ଫିଲ୍ମ ‘ଜନ ନାୟଗନ’ଙ୍କୁ ସିବିଏଫସିରୁ ମିଳିଲା ସାର୍ଟିଫିକେଟ। ଦୀର୍ଘ ଦିନର ଅନିଶ୍ଚିତତା ପରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଜୋସେଫ ଥଲପତି ବିଜୟଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଜନ ନାୟଗନ’କୁ ନେଇ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି। ଚଳିତ ମାସ ଶେଷ ଆଡକୁ ଅର୍ଥାତ୍ ଜୁଲାଇ ୨୪ରେ ପ୍ରେକ୍ଷାଳୟକୁ ଆସିବ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଜନ ନାୟଗନ'। ଗୁରୁବାର ଦିନ କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣପତ୍ର ବୋର୍ଡ (CBFC) ଏହି ଚଳଚ୍ଚିତ୍ରକୁ 'A' ସର୍ଟିଫିକେଟ୍ ପ୍ରଦାନ କରିଛି। CBFCର ଅଧିକୃତ ୱେବସାଇଟରେ ଏହାର ପ୍ରମାଣପତ୍ର ସୂଚନା ଉପଲବ୍ଧ ହୋଇଛି ଏବଂ ସେଠାରେ ଚଳଚ୍ଚିତ୍ରର ଅବଧି ୧୮୩ ମିନିଟ୍ ଅର୍ଥାତ୍ ୩ ଘଣ୍ଟା ୩ ମିନିଟ୍ ବୋଲି ଉଲ୍ଲେଖ ରହିଛି।
ଏହି ଘୋଷଣା ପରେ ବିଜୟଙ୍କ ପ୍ରଶଂସକଙ୍କ ମଧ୍ୟରେ ନୂଆ ଉତ୍ସାହ ସୃଷ୍ଟି ହୋଇଛି। ସେନ୍ସର ସମସ୍ୟା ଓ ରିଲିଜ୍ ବିଳମ୍ବକୁ ନେଇ ଦୀର୍ଘ ଦିନ ଧରି ଅପେକ୍ଷା କରୁଥିବା ଫ୍ୟାନ୍ସମାନେ ଏବେ ଫିଲ୍ମର ରିଲିଜକୁ ନେଇ ଆଶାବାଦୀ ହୋଇଛନ୍ତି।
ସୂଚନା ଅନୁଯାୟୀ, ବିଜୟଙ୍କ ଏହି ଫିଲ୍ମ ରିଲିଜ ଲାଗି ମାସ ମାସ ଧରି ସଂଘର୍ଷ କରିବାକୁ ପଡ଼ିଲା। ଚଳଚ୍ଚିତ୍ରଟିକୁ ୨୦୨୫ ଡିସେମ୍ବରରେ ସେନ୍ସର ପାଇଁ ଦାଖଲ କରାଯାଇଥିଲା। ସେତେବେଳେ ସିବିଏଫସି ପକ୍ଷରୁ KVN ପ୍ରଡକ୍ସନ୍ସକୁ U/A 16+ ସାର୍ଟିଫିକେଟ୍ ମିଳିବ ବୋଲି ସୂଚନା ମିଳିଥିଲା। କିନ୍ତୁ ପରୀକ୍ଷଣ କମିଟିର ଜଣେ ସଦସ୍ୟଙ୍କ ଆପତ୍ତି ପରେ ଚଳଚ୍ଚିତ୍ରଟିକୁ ପୁନର୍ବିଚାର କମିଟିକୁ ପଠାଯାଇଥିଲା। ପ୍ରକ୍ରିୟା ସମାପ୍ତ ହୋଇନଥିବାରୁ CBFC ସାର୍ଟିଫିକେଟ୍ ଜାରି କରିନଥିଲା। ଏହି କାରଣରୁ ଚଳଚ୍ଚିତ୍ରର ରିଲିଜ ଅନିର୍ଦ୍ଦିଷ୍ଟ ସମୟ ପାଇଁ ଅଟକି ଯାଇଥିଲା, ଯାହା ବିଜୟଙ୍କ ଅସଂଖ୍ୟ ପ୍ରଶଂସକଙ୍କୁ ନିରାଶ କରିଥିଲା। କିନ୍ତୁ ଚଳିତ ବର୍ଷ ମେ ମାସରେ ତାମିଲନାଡୁ ବିଧାନସଭା ନିର୍ବାଚନରେ ବିଜୟ ଏବଂ ତାଙ୍କ ଦଳ ଟିଭିକେ ଐତିହାସିକ ବିଜୟ ହାସଲ କରିଥିଲେ। ପ୍ରଥମ ନିର୍ବାଚନରେ ହିଁ ସେ ମୁଖ୍ୟମନ୍ତ୍ରୀ ହେବାର ଗୌରବ ଅର୍ଜନ କରିଥିଲେ, ଯାହା ଅତ୍ୟନ୍ତ ଦୁର୍ଲଭ ସଫଳତା ବୋଲି କୁହାଯାଇଛି।
ଅନ୍ୟପଟେ, ପ୍ରଯୋଜକ ଏଚ୍. ବିନୋଥଙ୍କ ନିର୍ଦ୍ଦେଶନାରେ ନିର୍ମିତ 'ଜନ ନାୟକନ' ବିଜୟଙ୍କ ଅଭିନୟ ଜୀବନର ଶେଷ ଫିଲ୍ମ। ନିର୍ବାଚନ ପୂର୍ବରୁ ପ୍ରଶଂସକଙ୍କୁ ବିଦାୟ ଉପହାର ଭାବେ ଏହାକୁ ମୁକ୍ତି କରିବାର ଯୋଜନା ଥିଲା। ତିନି ଦଶକରୁ ଅଧିକ ସମୟ ଧରି ଚାଲିଥିବା ବିଜୟଙ୍କ ଅଭିନୟ ଯାତ୍ରାର ଏହା ଏକ ଐତିହାସିକ ଅଧ୍ୟାୟ ଅଟେ। ଚଳଚ୍ଚିତ୍ରର ପ୍ରଥମ ପୋଷ୍ଟରରୁ ଆରମ୍ଭ କରି ସଙ୍ଗୀତ ପର୍ଯ୍ୟନ୍ତ ପ୍ରତ୍ୟେକ ଅପଡେଟ୍କୁ ପ୍ରଶଂସକମାନେ ଗଭୀର ଭାବେ ଅନୁସରଣ କରିଛନ୍ତି। ନିର୍ଦ୍ଦେଶକ ଏଚ୍. ବିନୋଥଙ୍କ ଉପରେ ବିଜୟଙ୍କ ଶେଷ ଚଳଚ୍ଚିତ୍ରକୁ ବ୍ୟାପକ ମନୋରଞ୍ଜନ ସହ ଭାବପ୍ରବଣ କାହାଣୀ ରହିଥିବା ବେଳେ, ଏହି ଫିଲ୍ମଟି ପ୍ରାୟ ୫୦୦ କୋଟି ଟଙ୍କା ବଜେଟରେ ନିର୍ମାଣ ହୋଇଛି। କେଭିଏନ୍ ପ୍ରଡକ୍ସନ୍ସ ଦ୍ୱାରା ନିର୍ମିତ ଏହି ଚଳଚ୍ଚିତ୍ରରେ ବିଜୟଙ୍କ ସହ ପୂଜା ହେଗଡେ, ବବି ଦେଓଲ, ମମିଥା ବାଇଜୁ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ସଙ୍ଗୀତ ଦେଇଛନ୍ତି ଅନିରୁଦ୍ଧ ରବିଚନ୍ଦର।
ତାମିଲ ସୁପଷ୍ଟାର ବିଜୟଙ୍କ ପ୍ରତ୍ୟେକ ଚଳଚ୍ଚିତ୍ର ବକ୍ସ ଅଫିସରେ ରେକର୍ଡ କରିଥିଲେ ମଧ୍ୟ, ମୁଖ୍ୟମନ୍ତ୍ରୀ ହେବା ପରେ 'ଜନ ନାୟଗନ' ତାମିଲ ସିନେମାର ଇତିହାସରେ ସବୁଠାରୁ ବଡ଼ ଓପେନିଂ କରିବ ବୋଲି ଆଶା କରାଯାଉଛି।
