ତୃତୀୟ ଥର ବିବାହ ବନ୍ଧନରେ ଆମିର
ଦୀର୍ଘଦିନର ପ୍ରେମକୁ ଦେଲେ ବିବାହର ରୂପ। ଗୌରୀଙ୍କୁ ବିବାହ କଲେ ଆମିର। ମୁମ୍ବାଇରେ ସରଳ ସମାରୋହରେ ଆମିର-ଗୌରୀଙ୍କ ବିବାହ ସମ୍ପନ୍ନ।
ମୁମ୍ବାଇ: ବର ସାଜିଲେ ଆମିର ଖାନ୍। ଦୀର୍ଘଦିନର ବାନ୍ଧବୀ ଗୌରୀଙ୍କର ଧରିଲେ ହାତ। ବଲିଉଡର ମିଷ୍ଟର ପରଫେକ୍ଟ ଆମିର ଖାନ ରବିବାର ତାଙ୍କ ଦୀର୍ଘଦିନର ବାନ୍ଧବୀ ଗୌରୀ ସ୍ପ୍ରାଟଙ୍କୁ ମୁମ୍ବାଇସ୍ଥିତ ନିଜ ଘରେ ବିବାହ କରିଛନ୍ତି। ଏହି ବିବାହ ଅବସରରେ କେବଳ ପରିବାର ସଦସ୍ୟ ଓ ଫିଲ୍ମ ଜଗତର ନିକଟତମ ବନ୍ଧୁମାନେ ଉପସ୍ଥିତ ଥିଲେ। ମୁମ୍ବାଇରେ ଭାରୀ ବର୍ଷା ସତ୍ତ୍ୱେ ବିବାହ ପ୍ରସ୍ତୁତି ଯୋଜନା ଅନୁଯାୟୀ ଚାଲିଥିଲା। ଆମିରଙ୍କ ଟିମ୍ ପକ୍ଷରୁ ସେୟାର କରାଯାଇଥିବା ଫଟୋରେ ଆମିର ଓ ଗୌରୀ ବିବାହ ପଞ୍ଜୀକରଣ ଦଲିଲରେ ଦସ୍ତଖତ କରୁଥିବା ଦେଖାଯାଇଛି। ସେମାନଙ୍କ ଚାରିପାଖରେ ପରିବାର ସଦସ୍ୟମାନେ ଥିବାବେଳେ ଗୌରୀଙ୍କ ପୁଅ ଅମିର ଗୌରୀଙ୍କ ମଧ୍ୟରେ ବସିଥିଲେ। ଆମିର ନିଜର ୱେଡିଂ ଲୁକ୍ ପୁରା ସିମ୍ପଲ ରଖିଥିବା ବେଳେ ବିବାହରେ ଅଫ ହ୍ବାଇଟ କଲର ଧୋତି କୁର୍ତ୍ତାରେ ନଜର ଆସିଥିଲେ ଆମିର। ଏହି ବିବାହରେ ‘ଲଗନ’ ଫିଲ୍ମର ନିର୍ଦ୍ଦେଶକ ଅଶୁତୋଷ ଗୋୱାରିକର, କମେଡିଆନ୍-ଅଭିନେତା ବିର ଦାସ, କ୍ରିକେଟର ଇରଫାନ ପଠାନ, ଶିଳ୍ପପତି ମୁକେଶ ଅମ୍ବାନୀ, ରାଜନେତା ରାଜ ଠାକରେ ଏବଂ ଗୀତିକାର ପ୍ରସୂନ ଜୋଶୀଙ୍କ ସହ ଅନ୍ୟାନ୍ୟ ଅତିଥିମାନେ ଯୋଗ ଦେଇଥିଲେ।
ସୂଚନାନୁଯାୟୀ, ଏହା ଆମିର ଖାନଙ୍କ ତୃତୀୟ ବିବାହ। ପୂର୍ବରୁ ଆମିର ୧୯୮୬ ରୁ ୨୦୦୨ ପର୍ଯ୍ୟନ୍ତ ଚଳଚ୍ଚିତ୍ର ପ୍ରଯୋଜକ ରିନା ଦତ୍ତଙ୍କ ସହ ବିବାହିତ ଥିଲେ। ସେମାନଙ୍କର ଦୁଇ ସନ୍ତାନ ଜୁନୈଦ ଏବଂ ଇରା ଖାନ ଅଛନ୍ତି। ପରେ ୨୦୦୫ ମସିହାରେ ଆମିର ଚଳଚ୍ଚିତ୍ର ନିର୍ମାତା କିରଣ ରାଓଙ୍କୁ ବିବାହ କରିଥିଲେ। ୨୦୨୧ରେ ସେମାନେ ଅଲଗା ହୋଇଥିଲେ ମଧ୍ୟ ପୁଅ ଆଜାଦଙ୍କୁ ମିଳିତ ଭାବେ ଲାଳନ-ପାଳନ କରୁଛନ୍ତି। ୨୦୨୫ ମସିହାରେ ନିଜ ୬୦ତମ ଜନ୍ମଦିନ ପୂର୍ବ ସନ୍ଧ୍ୟାରେ ଆମିର ଖାନ ପ୍ରଥମଥର ପାଇଁ ଗୌରୀ ସ୍ପ୍ରାଟଙ୍କୁ ଗଣମାଧ୍ୟମ ସମ୍ମୁଖରେ ପରିଚୟ କରାଇଥିଲେ। ସେତେବେଳେ ସେ କହିଥିଲେ ଯେ ଦୁହେଁ ବର୍ଷେକରୁ ଅଧିକ ସମୟ ଧରି ସମ୍ପର୍କରେ ଥିଲେ।
