ଅଲଗା ହେବେ ଚର୍ଚ୍ଚିତ ଦମ୍ପତି ଗୌରବ- ଆକାଂକ୍ଷା
ଟିଭି ଶୋ 'ଲକ୍ ଅପ୍: ସଚ୍ ଯା ସଜା'ରେ ଆକାଂକ୍ଷା ଚାମୋଲାଙ୍କ ବଡ଼ ଖୁଲାସା।, ସ୍ୱାମୀ ଗୌରବ ଖାନ୍ନାଙ୍କ ସହ ତାଙ୍କ ଛାଡ଼ପତ୍ରର ମୁଖ୍ୟ କାରଣ ହେଉଛି ସନ୍ତାନ ନେଇ ଉଭୟଙ୍କ ଭିନ୍ନ ମତ। ଭବିଷ୍ୟତକୁ ନେଇ ଉଭୟଙ୍କ ଚିନ୍ତାଧାରା ଅଲଗା ଥିବାରୁ ସେମାନେ ପରସ୍ପରଠାରୁ ଅଲଗା ହେବାର ନିଷ୍ପତ୍ତି ନେଇଛନ୍ତି।
ନୂଆଦିଲ୍ଲୀ: ଅଲଗା ହେବେ ଵହୁ ଚର୍ଚ୍ଚିତ କପଲ ଯୋଡି ଆକାଂକ୍ଷା ଚମୋଲା ଏବଂ ଗୌରବ ଖାନ୍ନା । ଦୁହିଁଙ୍କ ମଧ୍ଯରେ ଛାଡ଼ପତ୍ର ନେଇ ମାମଲା ଚାଲିଛି । ଏକ ଟିଭି ଶୋ 'ଲକ୍ ଅପ୍: ସଚ୍ ଯା ସଜା'ର ସିଜିନ୍ 2ରେ ପ୍ରବେଶ କରିବା ପରଠାରୁ ଆକାଂକ୍ଷା ଚାମୋଲା ଲଗାତାର ଚର୍ଚ୍ଚାରେ ରହିଛନ୍ତି। ଶୋ'ର ପ୍ରଥମ ଏପିସୋଡ୍ରେ ସେ ଖୁଲାସା କରିଥିଲେ ଯେ, ସେ ନିଜ ଅଭିନେତା ସ୍ୱାମୀ ଗୌରଭ ଖାନ୍ନାଙ୍କ ଠାରୁ ଅଲଗା ହେଉଛନ୍ତି। ଏହି କଥା ଶୁଣି ତାଙ୍କ ଫ୍ଯାନ୍ସ ମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କେହି ଏହାକୁ କେବଳ ପ୍ରଚାର ପାଇଁ କରାଯାଇଥିବା ଚାଲ ବୋଲି କହୁଥିବାବେଳେ, ଅନ୍ୟମାନେ ଏହାକୁ ସତ୍ୟ ବୋଲି ବିଶ୍ୱାସ କରୁଛନ୍ତି। ସୂଚନା ଅନୁଯାୟୀ, ରିୟଲିଟି ଶୋ ଲକ୍ ଅପ୍ 2ର ଏକ ଏପିସୋଡ୍ରେ ଆକାଂକ୍ଷା କହିଥିଲେ ଯେ, "ମୁଁ ଓ ଗୌରବ ଛାଡ଼ପତ୍ର ନେଉଛୁ। ଗତ ଏକ ବର୍ଷ ଧରି ଆମେ ଅଲଗା ରହୁଛୁ, ଏବଂ ଏହି କଥା ଏପର୍ଯ୍ୟନ୍ତ ସାର୍ବଜନିକ ହୋଇନଥିଲା।"ସେ ଆହୁରି ସ୍ପଷ୍ଟ କରିଥିଲେ ଯେ ଉଭୟଙ୍କ ମଧ୍ୟରେ କୌଣସି ତିକ୍ତତା ନାହିଁ ଏବଂ ସେମାନଙ୍କ ଛାଡ଼ପତ୍ର ପ୍ରକ୍ରିୟା ଚାଲିଛି। ପରେ ପରବର୍ତ୍ତୀ ଏକ ଏପିସୋଡ୍ରେ ସହ-ପ୍ରତିଯୋଗୀ Shreya Kalra ଓ Sufi Motiwalaଙ୍କ ସହ କଥାବାର୍ତ୍ତା ବେଳେ ସେ ବିଚ୍ଛେଦର କାରଣ ମଧ୍ୟ କହିଥିଲେ। ଆକାଂକ୍ଷା କହିଥିଲେ, "ବିବାହ ପରେ ମୋ ମନରେ ମା' ହେବାର ଭାବନା କେବେ ଆସିନଥିଲା। ଆରମ୍ଭରେ ମୁଁ ଏହାକୁ ନେଇ ଖୋଲା ମନରେ ଥିଲି। କିନ୍ତୁ ଧୀରେ ଧୀରେ ବୁଝିଲି ଯେ ମୁଁ ସନ୍ତାନ ଚାହୁଁନି। ଆରମ୍ଭରେ ଗୌରବ ଏହାକୁ ଗ୍ରହଣ କରିଥିଲେ, କିନ୍ତୁ ସମୟ ସହିତ ତାଙ୍କ ଇଚ୍ଛା ବଦଳିଗଲା। ଏବେ ସେ ସନ୍ତାନ ଚାହୁଁଛନ୍ତି, କିନ୍ତୁ ମୁଁ ତାହା ଦେଇପାରିବି ନାହିଁ।" ଅନ୍ୟପଟେ, ଗୌରବ ଖାନ୍ନା ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ବିଚ୍ଛେଦ ଖବରକୁ ପରୋକ୍ଷ ଭାବେ ଖଣ୍ଡନ କରି କହିଥିଲେ, "ସବୁକିଛି ପୂର୍ବଭଳି ଅଛି। ଆଜି ମଧ୍ୟ ମୋର ପ୍ରେମ ଓ ସମର୍ଥନ ଅଛି। ଆକାଂକ୍ଷା ମୋର ସ୍ତ୍ରୀ, ମୁଁ ସବୁବେଳେ ତାଙ୍କ ସହ ରହିବି ଏବଂ ତାଙ୍କୁ ସମର୍ଥନ କରିବି।" ଏହାସହ ସେ ଆହୁରି ମଧ୍ଯ କହିଥିଲେ, "ଆକାଂକ୍ଷାଙ୍କୁ ମୋର ଶୁଭେଚ୍ଛା। ସେ ଶୋ'ରେ ଭଲ ଖେଳନ୍ତୁ ଏବଂ ବିଜୟୀ ହୋଇ ଫେରନ୍ତୁ। ମୁଁ ସବୁବେଳେ ତାଙ୍କ ସହ ଅଛି।"
ଆକାଂକ୍ଷା ଚମୋଲା ଓ ଗୌରବ ଖାନ୍ନାଙ୍କ ପ୍ରଥମ ସାକ୍ଷାତ ଏକ ଅଡିସନ୍ ସମୟରେ ହୋଇଥିଲା। ଗୌରବ ପ୍ରଥମ ଦେଖାରୁ ଆକାଂକ୍ଷାଙ୍କୁ ପସନ୍ଦ କରିଥିଲେ । କଥା ଆରମ୍ଭ କରିବା ପାଇଁ ସେ ନିଜକୁ ଇଣ୍ଡଷ୍ଟ୍ରିରେ ନୂଆ ବୋଲି ପରିଚୟ ଦେଇ ଅଭିନୟରେ ସଫଳ ହେବା ପାଇଁ ପରାମର୍ଶ ମାଗିଥିଲେ। ପ୍ରଥମେ ବନ୍ଧୁତା ପରେ, କିଛିଦିନ ପରସ୍ପରକୁ ଡେଟ୍ କରିବା ପରେ, 24 ନଭେମ୍ବର 2016ରେ ଗୌରବଙ୍କ ଜନ୍ମସ୍ଥାନ କାନପୁରରେ ତିନି ଦିନ ଧରି ଚାଲିଥିବା ଭବ୍ୟ ବିବାହ ଉତ୍ସବରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ।
