Accused Sent To Jail: ଜଳେଶ୍ୱର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା: ଜେଲ୍ ଗଲା ମୁଖ୍ୟ ଅଭିଯୁକ୍ତ
ଜେଲ୍ ଗଲା ବାଲେଶ୍ୱର ଜଳେଶ୍ୱର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଚନ୍ଦ୍ରକାନ୍ତ ଜେନା । ପୋଲିସ ପୋତା ଯାଇଥିବା ପୋଷାକ ଜବତ କରିବା ସହ CDR ଯାଞ୍ଚ କରୁଛି। ରିମାଣ୍ଡରେ ନେଇପାରେ ପୋଲିସ ।
ଜଳେଶ୍ୱର: ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ଦେବକୁମାର ଗାଁର ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଚନ୍ଦ୍ରକାନ୍ତ ଜେନାଙ୍କୁ କୋର୍ଟ ଚାଲାଣ କରାଯାଇଛି। ଡାକ୍ତରୀ ମାଇନା ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। ଅଧିକ ତଥ୍ୟ ହାସଲ ପାଇଁ ଜଳେଶ୍ୱର ପୋଲିସ ତାଙ୍କୁ ରିମାଣ୍ଡରେ ନେବାକୁ ଯୋଜନା କରୁଥିବା ସୂଚନା ମିଳିଛି। ତଦନ୍ତ ସମୟରେ ଛାତ୍ରୀଙ୍କ ପୋଷାକ ଖୋଲି ଦିଆଯାଇଥିବା ଏବଂ ଅଭିଯୁକ୍ତ ଚନ୍ଦ୍ରକାନ୍ତ ଜେନା ସେଗୁଡ଼ିକୁ ଢେରାପଦା ନିକଟସ୍ଥ ଏକ ଚାଷ ଜମିରେ ପୋତି ଦେଇଥିବା ପୋଲିସ ଜାଣିବାକୁ ପାଇଥିଲା। ଏହାପରେ ଗତକାଲି ମଧ୍ୟରାତ୍ରିରେ ପୋଲିସ ଅଭିଯୁକ୍ତଙ୍କୁ ଉକ୍ତ ସ୍ଥାନକୁ ନେଇ ପୋତା ଯାଇଥିବା ପୋଷାକ ଜବତ କରିଥିଲା। ଜବତ ପୋଷାକକୁ ଫୋରେନସିକ୍ ପରୀକ୍ଷା ପାଇଁ ପଠାଯାଇଛି। ସୂଚନା ଅନୁଯାୟୀ, ଗତ ୨୨ ତାରିଖରୁ ପୋଲିସ ହେପାଜତରେ ଥିବା ଚନ୍ଦ୍ରକାନ୍ତ ଜେନା ବାରମ୍ବାର ବୟାନ ବଦଳାଉଥିବା କୁହାଯାଉଛି। ତେଣୁ ତାଙ୍କୁ ପୋଲିସ ରିମାଣ୍ଡରେ ଆଣି ଅଟକ ଥିବା ଅନ୍ୟ ତିନି ଜଣ ଅଭିଯୁକ୍ତଙ୍କ ସମ୍ମୁଖରେ ଜେରା କରାଯାଇପାରେ। ଏହାଦ୍ୱାରା ଘଟଣା ସମ୍ପର୍କରେ ଅଧିକ ତଥ୍ୟ ମିଳିବା ନେଇ ଆଶା କରାଯାଉଛି। ଅନ୍ୟପଟେ, ଗତ ୧୫ ତାରିଖରୁ ୨୨ ତାରିଖ ମଧ୍ୟରେ ଅଭିଯୁକ୍ତ ଚନ୍ଦ୍ରକାନ୍ତ କାହା କାହା ସହ ମୋବାଇଲ୍ ଫୋନ୍ରେ କଥା ହୋଇଥିଲେ, ସେନେଇ ପୋଲିସ କଲ୍ ଡିଟେଲ୍ସ ରିପୋର୍ଟ (CDR) ଯାଞ୍ଚ କରୁଛି। ତଦନ୍ତ ଆଗକୁ ବଢ଼ିବା ସହ ଘଟଣା ସମ୍ପର୍କରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଥିବା ଜଣାପଡ଼ିଛି।
