ଇସ୍କନ ବିରୋଧରେ କଳିଙ୍ଗସେନାର ଆନ୍ଦୋଳନ ଚେତାବନୀ
‘ଇସ୍କନ ଓଡ଼ିଶା ଛାଡ’- କଳିଙ୍ଗସେନାର ଚେତାବନୀ। ଅଦିନିଆ ରଥଯାତ୍ରାକୁ ନେଇ ତେଜୁଛି ବିବାଦ। ‘ଜଗନ୍ନାଥଙ୍କ ଭାବାବେଗ ସହ ଖେଳ ଚାଲିବ ନାହିଁ’- ହେମନ୍ତ ରଥ ।
ଭୁବନେଶ୍ବର: ଜଗନ୍ନାଥଙ୍କ ନାମରେ ବିଦେଶରେ ରଥଯାତ୍ରା ଓ ସ୍ନାନଯାତ୍ରା ଆୟୋଜନକୁ ନେଇ ତେଜୁଛି ବିବାଦ । ଇସ୍କନ ବିରୋଧରେ ମୁହଁ ଖୋଲିଲା କଳିଙ୍ଗସେନା । ଏହି ବିଦେଶୀ ସଂସ୍ଥା ତୁରନ୍ତ ଓଡିଶା ଛାଡି ଚାଲିଯାଉ ବୋଲି କହିଛନ୍ତି କଳିଙ୍ଗସେନା ସୁପ୍ରିମୋ ହେମନ୍ତ ରଥ । ଏପରିକି ଆଗାମୀ ଦିନରେ ଇସ୍କନ କାର୍ଯ୍ୟାଳୟ ଘେରାଉ ଓ ବିରୋଧର ଚେତାବନୀ ଦେଇଛି କଳିଙ୍ଗସେନା । ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ୍ପରା ଓ ରଥଯାତ୍ରା ଆୟୋଜନକୁ ନେଇ ଇସ୍କନ ଉପରେ ବର୍ଷିଛି କଳିଙ୍ଗସେନା ।
ଆଜି ଭୁବନେଶ୍ୱର ସ୍ଥିତ ଇସ୍କନ ମନ୍ଦିର ସମ୍ମୁଖରେ ସାମ୍ବାଦିକଙ୍କୁ ସମ୍ବୋଧନ କରି କଳିଙ୍ଗସେନା ସୁପ୍ରିମୋ ହେମନ୍ତ ରଥ ଅଭିଯୋଗ କରିଛନ୍ତି ଯେ, ନିଜର ବ୍ରାଣ୍ଡିଂ ଓ ବ୍ୟବସାୟ ପାଇଁ ଇସ୍କନ ଜଗନ୍ନାଥ ସଂସ୍କୃତିକୁ ବ୍ୟବହାର କରୁଛି । ବିଦେଶରେ ବର୍ଷସାରା ଅଦିନିଆ ରଥଯାତ୍ରା ଆୟୋଜନ କରିବା ଦ୍ୱାରା ଜଗନ୍ନାଥପ୍ରେମୀଙ୍କ ଭାବନାକୁ ଆଘାତ ଲାଗୁଥିବା ସେ କହିଛନ୍ତି । ପୁରୀ ଗଜପତି ମହାରାଜାଙ୍କ ଅନୁରୋଧକୁ ମଧ୍ୟ ଇସ୍କନ ଅବମାନନା କରିଥିବା ଅଭିଯୋଗ କରିଛି କଳିଙ୍ଗସେନା । ଇସ୍କନ ତୁରନ୍ତ ଓଡ଼ିଶା ନ ଛାଡ଼ିଲେ, ଏହାର କାର୍ଯ୍ୟାଳୟରେ ତାଲା ପକାଇବାକୁ ଚେତାବନୀ ଦେଇଛନ୍ତି ହେମନ୍ତ ରଥ । ସେହିଭଳି ଆଗାମୀ ରଥଯାତ୍ରା ସମୟରେ ଭୁବନେଶ୍ୱରରେ ଇସ୍କନର ରଥଯାତ୍ରାକୁ ବିରୋଧ କରିବା ସହ ପୁରୀରେ ମଧ୍ୟ ଆନ୍ଦୋଳନ କରିବାକୁ କହିଛି କଳିଙ୍ଗସେନା । ତେବେ ଜଗନ୍ନାଥ ସଂସ୍କୃତି, ରଥଯାତ୍ରା ପରମ୍ପରା ଓ ଇସ୍କନର ଭୂମିକାକୁ ନେଇ ଆରମ୍ଭ ହୋଇଥିବା ଏହି ବିବାଦ ଆଗକୁ କେଉଁ ମୋଡ଼ ନେବ, ତାହା ଉପରେ ନଜର ।
