IPS Susant Nath Sexual Harassment:ଯୌନ ନିର୍ଯ୍ୟାତନାରୁ ଡିଜି ପାନେଲ- ଚର୍ଚ୍ଚାରେ ଆଇପିଏସ ସୁଶାନ୍ତ ନାଥ..
ସୁଶାନ୍ତ ନାଥଙ୍କୁ ଜେଲ୍ ଡିଜି ପଦରୁ ହଟାଇ ଦିଆଯାଇଛି । ତାଙ୍କୁ ଗୃହ ବିଭାଗର ଓଏସଡି କରାଯାଇଛି । କର୍ମକ୍ଷେତ୍ରରେ ଯୌନ ନିର୍ଯ୍ୟାତନା ଦେବା ସହ କ୍ୟାରିୟର ଶେଷ କରିବାକୁ ସୁଶାନ୍ତ ନାଥ ତାଙ୍କୁ ଧମକ ଦେଇଥିଲେ ବୋଲି ସନ୍ତୋଷିନୀ ଦାଶ ଚୌଦ୍ୱାର ଥାନାରେ ଏତଲା ଦେଇଛନ୍ତି।

ଯୌନ ନିର୍ଯ୍ୟାତନା ଭଳି ସଙ୍ଗୀନ ମାମଲାରେ ଫସିଲେ ଜେଲ୍ ଡିଜି। ୧୯୯୩ ବ୍ୟାଚ୍ ର ବରିଷ୍ଠ ଆଇପିଏସ୍ ସୁଶାନ୍ତ କୁମାର ନାଥଙ୍କ ବିରୁଦ୍ଧରେ ଯୌନ ନିର୍ଯ୍ୟାତନା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଚୌଦ୍ୱାର ସର୍କଲ୍ ଜେଲ୍ର ପୂର୍ବତନ ଜେଲର ସନ୍ତୋଷିନୀ ଦାଶ। ଆଉ ଅଭିଯୋଗକୁ ଭିତ୍ତି କରି କମିଶନରେଟ୍ ପୁଲିସ ସୁଶାନ୍ତ ନାଥଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ତାଙ୍କ ବିରୋଧରେ ବିଏନଏସର ଧାରା ୭୫(୨), ୩୫୧(୨), ୩(୫)ରେ ମାମଲା ରୁଜୁ ହୋଇଛି । କମିଶନରେଟ୍ ପୁଲିସ ପକ୍ଷରୁ ଗୃହ ବିଭାଗକୁ ଏହା ଅବଗତ କରାଯିବା ପରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ସୁଶାନ୍ତ ନାଥଙ୍କୁ ଜେଲ୍ ଡିଜି ପଦରୁ ହଟାଇ ଦିଆଯାଇଛି । ତାଙ୍କୁ ଗୃହ ବିଭାଗର ଓଏସଡି କରାଯାଇଛି । କର୍ମକ୍ଷେତ୍ରରେ ଯୌନ ନିର୍ଯ୍ୟାତନା ଦେବା ସହ କ୍ୟାରିୟର ଶେଷ କରିବାକୁ ସୁଶାନ୍ତ ନାଥ ତାଙ୍କୁ ଧମକ ଦେଇଥିଲେ ବୋଲି ସନ୍ତୋଷିନୀ ଦାଶ ଚୌଦ୍ୱାର ଥାନାରେ ଏତଲା ଦେଇଛନ୍ତି। ଏତଲାରେ ଦର୍ଶାଇଛନ୍ତି, ୨୦୨୫ ଜୁନ୍ ୧୬ ତାରିଖରେ ଜେଲ୍ ଡିଜି ସୁଶାନ୍ତ ନାଥ ଚୌଦ୍ୱାର ଜେଲ୍ ପରିଦର୍ଶନରେ ଆସିଥିବା ବେଳେ ତାଙ୍କ ସହ ପ୍ରଥମ ଦେଖା ହୋଇଥିଲା । ସେଠାରେ କୁଲଦୀପ ରଥ ବୋଲି ତାଙ୍କର କେହି ଜଣେ ବନ୍ଧୁଙ୍କ ସହ ପରିଚିତ କରାଇଥିଲେ । କୁଲଦୀପ ତାଙ୍କ ମୋବାଇଲ ନମ୍ୱର ନେଇଥିଲେ । ତାହାପରେ ବାରମ୍ବାର ତାଙ୍କୁ ମେସେଜ୍ କରିଥିଲେ । ଅଗଷ୍ଟ ୨୯ ଏବଂ ସେପ୍ଟେମ୍ବର ୨୫ରେ ତାଙ୍କୁ ଦୁଇ ଦୁଇ ଥର ହୋଟେଲରେ ଡିନର୍ ପାଇଁ ଆମନ୍ତ୍ରଣ କରିଥିଲେ । ଜେଲ୍ ଡିଜି ତାଙ୍କୁ ଏକୁଟିଆ ଭେଟିବା ପାଇଁ ଚାହୁଁଥିବା କହିଥିଲେ । ମାତ୍ର ସନ୍ତୋଷିନୀ ସେଥିରେ ରାଜି ହୋଇ ନ ଥିଲେ । ତାଙ୍କ ସହ ଯାହା କଥା ହେବା କଥା ଅଫିସରେ ହୁଅନ୍ତୁ ବୋଲି ସେ ଡିଜିଙ୍କୁ ରୋକଠୋକ୍ କହିଥିଲେ। ଆଉ ଏଥିରେ କ୍ଷୁବ୍ଧ ହୋଇ ତାଙ୍କୁ ଆକ୍ରୋଶମୂଳକ ଭାବେ ଗତ ଫେବ୍ରୁଆରୀ ୧୯ରେ ଚାକିରିରୁ ନିଲମ୍ୱନ କରାଯାଇଥିଲା। ତାଙ୍କ ବିରୋଧରେ ୫ଟି ବିଭାଗୀୟ ପ୍ରୋସିଡିଂ ଆରମ୍ଭ କରାଯାଇ ଦରମା ଏବଂ ଭତ୍ତାକୁ ବନ୍ଦ କରି ଦିଆଗଲା। ଏହାଦ୍ୱାରା ତାଙ୍କର ଦୁଇ ନାବାଳିକା ଝିଅକୁ ଧରି ଚଳିବା କଷ୍ଟକର ହୋଇପଡ଼ିଲା । ଜାତୀୟ ଶିଶୁ ସୁରକ୍ଷା ଅଧିକାର ଆୟୋଗଙ୍କ ହସ୍ତକ୍ଷେପ ଫଳରେ ୬ ମାସ ପରେ ତାଙ୍କୁ ତାଙ୍କର ପ୍ରାପ୍ୟ ମିଳିଲା। ତତ୍କାଳୀନ ଜେଲ ସୁରିଟେଣ୍ଡେଣ୍ଟ ସୁଜିତ ରାଉଳଙ୍କ ବିରୋଧରେ ଦେଇଥିବା ପୂର୍ବ ଏତଲାକୁ ପ୍ରତ୍ୟାହାର ପାଇଁ ମଧ୍ୟ ଡିଜି ଚାପ ପକାଇଥିଲେ ବୋଲି ସନ୍ତୋଷିନୀ ଅଭିଯୋଗ କରିଛନ୍ତି । ୨୦୨୫ ଦଶହରା ବେଳେ ଅକ୍ଟୋବର ୩ ରେ ଚୌଦ୍ୱାର ସର୍କଲ୍ ଜେଲରୁ ଦୁଇଜଣ କୁଖ୍ୟାତ ବିହାରୀ କଏଦୀ ରାଜା ସାହାନୀ ଏବଂ ମଧୁକାନ୍ତ କୁମାର ଫେରାର ହୋଇଯିବା ଘଟଣାରେ ତକ୍ରାଳୀନ ଜେଲ୍ ସୁପରିଟେଣ୍ଡେଣ୍ଟ ସୁଜିତ ରାଉଳଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠାଇଥିଲେ ଜେଲର ସନ୍ତୋଷିନୀ ଦାଶ । ଓଲଟି ତାଙ୍କୁ ଫସାଇବା ପାଇଁ ତାଙ୍କର ଦସ୍ତଖତ ଏବଂ ଜେଲ୍ ମିନିଟ୍ ବୁକରେ ଜାଲିଆତି କରାଯାଇଥିବା ଅଭିଯୋଗ କରି ସୁଜିତଙ୍କ ବିରୋଧରେ ଥାନାରେ ଏତଲା ଦେଇଥିଲେ । ଏହି ମାମଲାରେ ଶ୍ରୀ ବରାଳ ଚାକିରିରୁ ସସପେଣ୍ଡ ହୋଇ ପରବର୍ତ୍ତୀ ସମୟରେ ଗିରଫ ହୋଇଥିଲେ । ଏହି ଘଟଣାରେ ଜେଲ୍ ଡିଜି ସୁଶାନ୍ତ ନାଥଙ୍କର ଭୂମିକାକୁ ନେଇ ମଧ୍ୟ ପ୍ରବଳ ଚର୍ଚ୍ଚା ହୋଇଥିଲା। କେବଳ ଏହି ଗୋଟିଏ ବିବାଦ ନୁହେଁ। ସୁପ୍ରିମକୋର୍ଟରେ ଚାଲିଥିବା ଡିଜିପି ନିଯୁକ୍ତି ମାମଲାରେ ବି ସେ ବିବାଦରେ ଅଛନ୍ତି। ଶୁଣାଣି ଚାଲିଥିବାରୁ ଡିଜିପି ନିଯୁକ୍ତି ଅଟକି ରହିଛି। ସୁପ୍ରିମକୋର୍ଟରେ ରାଜ୍ୟ ସରକାରଙ୍କ ବିରୋଧରେ ପକ୍ଷ ହୋଇଛନ୍ତି ସୁଶାନ୍ତ ନାଥ । ଓପିଆରବି ପରୀକ୍ଷା ମାମଲା ଆଳରେ ବରିଷ୍ଠତା ତାଲିକାରୁ ସରକାର ତାଙ୍କ ନାଁ ଶେଷ ମୁହୂର୍ତ୍ତରେ ବାଦ୍ ଦେଇଥିଲେ। ଚୟନ ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ଅଭିଯୋଗରେ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି । କାଳେ ଖାଲି ସୁଶାନ୍ତଙ୍କୁ ବଦଳି କଲେ ଅଲଗା ବାର୍ତ୍ତା ଯିବ। ସେଥିଲାଗି ସରକାର ତାଙ୍କ ସମେତ ୮ ଆଇପିଏସଙ୍କ ବଦଳି କରିଛନ୍ତି। ସୁଶାନ୍ତ ନାଥଙ୍କୁ ହଟାଯାଇ ଡକ୍ଟର ସନ୍ତୋଷ ବାଲାଙ୍କୁ ଜେଲ୍ ବିଭାଗର ଅତିରିକ୍ତ ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ପରିବହନ କମିସନର ଅମିତାଭ ଠାକୁରଙ୍କଠାରୁ ଜେଲ୍ ବିଭାଗର ଅତିରିକ୍ତ ଦାୟିତ୍ୱ କାଢ଼ି ନିଆଯାଇଛି । ଏସଏପିର ଅତିରିକ୍ତ ଡିଜି ରାଜେଶ କୁମାରଙ୍କୁ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି । କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ସାରା ଶର୍ମାଙ୍କୁ ଭିଜିଲାନସ୍ ଡିଆଇଜି ପଦରେ ଅବସ୍ଥାପିତ କରାଯାଇଛି । ଝାରସୁଗୁଡ଼ା ଏସପି ଜି.ରେଡ୍ଡୀ ରାଘବେନ୍ଦ୍ରଙ୍କୁ ପୁଲିସ ମୁଖ୍ୟାଳୟର ଏଆଇଜି, ନୂଆପଡ଼ା ଏସପି ଅମ୍ରିତପାଲ ସିଂହଙ୍କୁ ପୁଲିସ ମୁଖ୍ୟାଳୟରେ ଏସପି, ଖୋର୍ଦ୍ଧା ଅତିରିକ୍ତ ଏସପି ସୋନାଲି ସିଂହ ପରମାରଙ୍କୁ ଝାରସୁଗୁଡ଼ା ଏସପି ଏବଂ ପୁଲିସ ମୁଖ୍ୟାଳୟ ଏଆଇଜି ତପନ ନାରାୟଣ ରଥ(ଓପିଏସ୍)ଙ୍କୁ ନୂଆପଡ଼ା ଏସପି ଭାବେ ନିଯୁକ୍ତି ଦିଆଯାଇଛି।
