Relief After Arnab : ଅର୍ଣ୍ଣବର କ୍ଷତ ଶୁଖିନି, ମାଡ଼ି ଆସୁଛି କି ମୁରାସ
ଅର୍ଣ୍ଣବ ପରେ ବଡ଼ ରିଲିଫ୍, ହେଲେ ଟଳିନି ବିପଦ ! ଓଡ଼ିଶାକୁ ପୁଣି ଘାରିଲା ‘ମୁରାସ’ ଭୟ |

ବାତ୍ୟା ‘ଅର୍ଣ୍ଣବ’ ଦ୍ୱାରା ପ୍ରଭାବିତ ଓଡ଼ିଶାବାସୀଙ୍କ ପାଇଁ ବଡ଼ ସହାୟତା ପ୍ୟାକେଜ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କୃଷି, ପଶୁସମ୍ପଦ, ଘରଭଙ୍ଗା, ମତ୍ସ୍ୟଚାଷ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ହସ୍ତଶିଳ୍ପ, ହସ୍ତତନ୍ତ ଏବଂ MSME କ୍ଷେତ୍ରରେ କ୍ଷତିଗ୍ରସ୍ତଙ୍କୁ ଏହି ପ୍ୟାକେଜ୍ ଅଧୀନରେ ସହାୟତା ଯୋଗାଇ ଦିଆଯିବ। ଗତକାଲି ସନ୍ଧ୍ୟାରେ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟରେ ବାତ୍ୟା ପରବର୍ତ୍ତୀ ରିଲିଫ୍, ପୁନର୍ନିର୍ମାଣ ଓ କ୍ଷୟକ୍ଷତି ଆକଳନ ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକ କରିଥିଲେ ମୁଖ୍ୟମନ୍ତ୍ରୀ। ବୈଠକ ପରେ ସେ ପ୍ରଭାବିତ ଲୋକଙ୍କ ପାଇଁ ଏହି ସହାୟତା ଘୋଷଣା କରିଛନ୍ତି।
ପ୍ରତି ପରିବାରକୁ ୫୦ କିଲୋ ଚାଉଳ ସହ ୨୫୦୦ ଟଙ୍କା
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ, ସମସ୍ତ ପ୍ରଭାବିତ ପରିବାରକୁ ୫୦ କିଲୋଗ୍ରାମ ଚାଉଳ ସହ ୨୫୦୦ ଟଙ୍କା ଅନୁଗ୍ରହମୂଳକ ସହାୟତା ଭାବେ ଦିଆଯିବ। କୃଷି କ୍ଷେତ୍ରରେ ୩୩ ପ୍ରତିଶତ କିମ୍ବା ତା’ଠାରୁ ଅଧିକ ଫସଲ ନଷ୍ଟ ହୋଇଥିବା ଚାଷୀଙ୍କୁ ସର୍ବାଧିକ ୨ ହେକ୍ଟର ପର୍ଯ୍ୟନ୍ତ ଇନ୍ପୁଟ୍ ସବସିଡି ମିଳିବ। ଅଣଜଳସେଚିତ ଜମି ପାଇଁ ହେକ୍ଟର ପିଛା ୮,୫୦୦ ଟଙ୍କା, ଜଳସେଚିତ ଜମି ପାଇଁ ୧୭,୦୦୦ ଟଙ୍କା ଏବଂ ବାରମାସୀ ଫସଲ ପାଇଁ ୨୨,୫୦୦ ଟଙ୍କା ସହାୟତା ଘୋଷଣା କରାଯାଇଛି। ଏଥିସହ ଜମିରୁ ବାଲି ଓ ପଟୁମାଟି ହଟାଇବା ପାଇଁ ହେକ୍ଟର ପିଛା ୧୮,୦୦୦ ଟଙ୍କା ସହାୟତା ମିଳିବ। ପ୍ରଭାବିତ ଚାଷୀଙ୍କୁ ଡାଲି, ତୈଳବୀଜ ଓ ପନିପରିବା ମଞ୍ଜି କିଟ୍ ମଧ୍ୟ ଯୋଗାଇ ଦିଆଯିବ।

ଘରଭଙ୍ଗା ଓ ପଶୁସମ୍ପଦ କ୍ଷତି ପାଇଁ ସହାୟତା
ସମ୍ପୂର୍ଣ୍ଣ କିମ୍ବା ଗୁରୁତର ଭାବେ କ୍ଷତିଗ୍ରସ୍ତ ଘର ପାଇଁ ସମତଳ ଅଞ୍ଚଳରେ ୧.୨୦ ଲକ୍ଷ ଟଙ୍କା ଏବଂ ପାର୍ବତ୍ୟ ଅଞ୍ଚଳରେ ୧.୩୦ ଲକ୍ଷ ଟଙ୍କା ସହାୟତା ମିଳିବ। ଆଂଶିକ କ୍ଷତିଗ୍ରସ୍ତ ପକ୍କା ଘର ପାଇଁ ୬,୫୦୦ ଟଙ୍କା ଏବଂ କଚ୍ଚା ଘର ପାଇଁ ୪,୦୦୦ ଟଙ୍କା ଦିଆଯିବ। ସେହିପରି ଗୃହପାଳିତ ପଶୁଙ୍କ ମୃତ୍ୟୁ ପାଇଁ ମଧ୍ୟ କ୍ଷତିପୂରଣ ଘୋଷଣା ହୋଇଛି। ଦୁଧିଆଳି ଗାଈ ଓ ମଇଁଷି ପାଇଁ ୩୭,୫୦୦ ଟଙ୍କା, ମେଣ୍ଢା, ଛେଳି ଓ ଘୁଷୁରି ପାଇଁ ୪,୦୦୦ ଟଙ୍କା ଏବଂ କୁକୁଡ଼ା ପିଛା ୧୦୦ ଟଙ୍କା ହିସାବରେ ସର୍ବାଧିକ ୧୦,୦୦୦ ଟଙ୍କା ଦିଆଯିବ।
ମତ୍ସ୍ୟଜୀବୀ, ବ୍ୟବସାୟୀ ଓ ମହିଳା SHGଙ୍କୁ ସହାୟତା
କ୍ଷତିଗ୍ରସ୍ତ ମାଛ ଚାଷୀଙ୍କୁ ହେକ୍ଟର ପିଛା ୧,୧୨,୫୦୦ ଟଙ୍କା ହାରରେ ୭୫ ପ୍ରତିଶତ ପର୍ଯ୍ୟନ୍ତ ସହାୟତା ମିଳିବ। ଡଙ୍ଗା ଓ ଜାଲ ନଷ୍ଟ ହୋଇଥିବା ମତ୍ସ୍ୟଜୀବୀଙ୍କୁ ମଧ୍ୟ ଆର୍ଥିକ ସହାୟତା ଦିଆଯିବ।ପ୍ରଭାବିତ MSME, ଦୋକାନୀ ଓ ବ୍ୟବସାୟୀଙ୍କୁ ସର୍ବାଧିକ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ସହାୟତା ଯୋଗାଇ ଦିଆଯିବ। ଏହି ଋଣ ଉପରେ ସର୍ବାଧିକ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ୨୫ ପ୍ରତିଶତ ସବସିଡି ଦିଆଯିବ। ଉଠାଦୋକାନୀଙ୍କୁ ୧୦,୦୦୦ ଟଙ୍କା ଏବଂ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନକୁ ୨୫,୦୦୦ ଟଙ୍କା ସହାୟତା ମିଳିବ।ଏଥିସହ ବାତ୍ୟାରେ ପ୍ରଭାବିତ ଯୋଗ୍ୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଅତିରିକ୍ତ ୫,୦୦୦ ଟଙ୍କା ସିଡ୍ ମନି ଏବଂ ବୁଣାକାର ଓ କାରିଗରଙ୍କୁ ଯନ୍ତ୍ରପାତି ଓ ସାମଗ୍ରୀ କ୍ଷତି ପାଇଁ ୫,୦୦୦ ଟଙ୍କା ସହାୟତା ଦିଆଯିବ।
ଆଜି ଆସିବ କେନ୍ଦ୍ରୀୟ ଟିମ୍
ବାତ୍ୟା ‘ଅର୍ଣ୍ଣବ’ର କ୍ଷୟକ୍ଷତି ଆକଳନ ପାଇଁ ଆସନ୍ତା ଆଜି କେନ୍ଦ୍ରୀୟ ଇଣ୍ଟର-ମିନିଷ୍ଟରିଆଲ୍ କମିଟି ଓଡ଼ିଶା ଗସ୍ତ କରିବେ। ବିଶେଷ କରି ଅଧିକ ପ୍ରଭାବିତ ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାର କ୍ଷୟକ୍ଷତି ଆକଳନ କରାଯିବ। ଅନ୍ୟପଟେ, ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବ ସମ୍ପୂର୍ଣ୍ଣ ଦୂର ହୋଇନଥିବା ବେଳେ ଆଉ ଏକ ବାତ୍ୟା ‘ମୁରାସ’ ଆସିବାର ସମ୍ଭାବନା ରହିଛି। ତେଣୁ ବର୍ତ୍ତମାନ ଯେଉଁ ସରକାରୀ ଟିମ୍ ଯେଉଁ ଅଞ୍ଚଳରେ ମୁତୟନ ଅଛନ୍ତି, ସେମାନେ ସେଠାରେ ରହି ପରିସ୍ଥିତି ଉପରେ ନଜର ରଖିବେ। ରବି ଋତୁ ପୂର୍ବରୁ ସମସ୍ତ ଉଠା ଜଳସେଚନ ପଏଣ୍ଟର ମରାମତି ଓ ପୁନଃ କାର୍ଯ୍ୟକ୍ଷମ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ କ୍ଷତିଗ୍ରସ୍ତଙ୍କୁ ସହାୟତା ଯୋଗାଇବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ।
