Insurance Money Turns Deadly : ବୀମା ଟଙ୍କା ପାଇଁ ଭୟଙ୍କର ଷଡ଼ଯନ୍ତ୍ର! ନାଳରୁ ମିଳିଲା ୪ ମୃତଦେହ
୫୦ ଲକ୍ଷ ଟଙ୍କା ପାଇଁ ରଚିଥିଲେ ମୃତ୍ୟୁର ଷଡ଼ଯନ୍ତ୍ର! ପରିବାରର ୬ ଜଣଙ୍କୁ ନାଳରେ ଫିଙ୍ଗିଦେଲେ, ୪ ମୃତ… ଜଣେ ନିଖୋଜ, ପଛରେ କିଏ ମାଷ୍ଟରମାଇଣ୍ଡ?

ମହାରାଷ୍ଟ୍ରର ଜଳଗାଓଁ ଜିଲ୍ଲାରୁ ଆସିଛି ଏକ ଚାଞ୍ଚଲ୍ୟକର ଘଟଣା। ୫୦ ଲକ୍ଷ ଟଙ୍କାର ବୀମା ଟଙ୍କା ହଡ଼ପ ଉଦ୍ୟମ ଏବଂ ଠକେଇର ରହସ୍ୟ ଲୁଚାଇବାକୁ ଏକ ପରିବାରର ୬ ଜଣଙ୍କୁ ଅପହରଣ କରି ନାଳରେ ଫିଙ୍ଗିଦେବା ଅଭିଯୋଗ ହୋଇଛି। ଏହି ଘଟଣାରେ ଏପର୍ଯ୍ୟନ୍ତ ୪ ଜଣଙ୍କ ମୃତଦେହ ମିଳିଥିବା ବେଳେ ୧୬ ବର୍ଷୀୟ ନାବାଳକ ଏବେ ବି ନିଖୋଜ ଅଛି। ଅନ୍ୟପଟେ ୧୩ ବର୍ଷୀୟ ନାବାଳକ ନାଳରୁ ପହଁରି ବାହାରି ନିଜ ଜୀବନ ବଞ୍ଚାଇବା ସହ ପୋଲିସକୁ ସମସ୍ତ ଘଟଣା ବିଷୟରେ ଜଣାଇଛି।
ବୀମା ଠକେଇ ମାମଲାରେ ଥିଲେ ମୃତ ଦମ୍ପତି
ପୋଲିସର ତଦନ୍ତ ଅନୁସାରେ, ମୃତ ଦମ୍ପତି କବିତା ଓ ନିତେଶ ପାଟିଲଙ୍କ ବିରୋଧରେ ନଭେମ୍ବର ୧୯ ତାରିଖରେ ଜଳଗାଓଁର ମେହୁନବାରେ ଥାନାରେ ଠକେଇ ମାମଲା ରୁଜୁ ହୋଇଥିଲା। ଅଭିଯୋଗ ଥିଲା ଯେ, କବିତାଙ୍କ ପୂର୍ବତନ ସ୍ୱାମୀ ସଞ୍ଜୟ ପାଟିଲଙ୍କ ଟିବି ରୋଗରେ ମୃତ୍ୟୁ ହୋଇଥିବା ସତ୍ତ୍ୱେ ଏହାକୁ ସଡ଼କ ଦୁର୍ଘଟଣା ଦର୍ଶାଇ ୫୦ ଲକ୍ଷ ଟଙ୍କାର ବୀମା କ୍ଲେମ୍ କରାଯାଇଥିଲା । ବୀମା କମ୍ପାନୀର ଯାଞ୍ଚ ବେଳେ ଅନେକ ଅନିୟମିତତା ସାମ୍ନାକୁ ଆସିଥିଲା। ଫଳରେ ଧରାପଡ଼ିବା ଭୟରେ କବିତା ୫୦ ଲକ୍ଷ ଟଙ୍କାର କ୍ଲେମ୍ ଫେରାଇ ନେଇଥିଲେ। ତେବେ ଡେବିଟ୍ କାର୍ଡ ସହ ମିଳୁଥିବା ବୀମା କଭର ଜରିଆରେ ୧୦ ଲକ୍ଷ ଟଙ୍କାର କ୍ଲେମ୍ ହାସଲ କରାଯାଇଥିବା ଜଣାପଡ଼ିଛି।
୪ ମୃତ, ଜଣେ ନିଖୋଜ
ନଭେମ୍ବର ୨୧ ତାରିଖରେ ପରିବାରଟି ଜଳଗାଓଁର ଏରଣ୍ଡୋଲରୁ ଏକ ଭ୍ୟାନ୍ରେ ବାହାରିଥିଲେ। ଏହାପରେ ଗୁଜରାଟର ବାରଡୋଲି ନିକଟରୁ ସମସ୍ତ ୬ ଜଣଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ପରେ ନାଳରୁ କବିତା, ତାଙ୍କ ସ୍ୱାମୀ ନିତେଶ, ୯ ବର୍ଷୀୟ ଝିଅ ସ୍ୱିଟି ଏବଂ ୨ ବର୍ଷୀୟ ପୁଅ ପ୍ରଥମେଶଙ୍କ ମୃତଦେହ ଉଦ୍ଧାର ହୋଇଛି। ଅନ୍ୟପଟେ ୧୬ ବର୍ଷୀୟ ପୁଅ ଏବେ ବି ନିଖୋଜ ଅଛି।
ଜଣେ ଗିରଫ, ଫେରାର ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ
ଏହି ଘଟଣାରେ ୩୪ ବର୍ଷୀୟ ଦୟାନନ୍ଦ ଓରଫ ଖଣ୍ଡିଓ ଭଦାନେଙ୍କୁ ପୋଲିସ ଗିରଫ କରିଛି। ତାଙ୍କୁ ଅନ୍ୟ ଅଭିଯୁକ୍ତମାନେ ନିର୍ଦ୍ଦେଶ ଦେଇ କାମ କରାଇଥିବା ପୋଲିସ କହିଛି। ଏହି ମାମଲାରେ ଆଉ ଅତି କମ୍ରେ ୩ ଜଣ ସନ୍ଦିଗ୍ଧ ଫେରାର ଅଛନ୍ତି। ସେମାନଙ୍କୁ ଧରିବା ପାଇଁ ୬ଟି ପୋଲିସ ଟିମ୍ ତଦନ୍ତ ଜାରି ରଖିଛନ୍ତି। ତେବେ ଏହି ହତ୍ୟାକାଣ୍ଡ ପଛର ପ୍ରକୃତ କାରଣ ମୁଖ୍ୟ ଅଭିଯୁକ୍ତଙ୍କ ଗିରଫ ପରେ ସ୍ପଷ୍ଟ ହେବ।
