Double Murder:ଝାଡ଼ଖଣ୍ଡରେ ଡବଲ୍ ମର୍ଡର
ଝାଡ଼ଖଣ୍ଡରୁ ଆସିଲା ଚାଞ୍ଚଲ୍ୟକର ଖବର। ଦୁଇ ସ୍ତ୍ରୀଙ୍କୁ ହତ୍ୟା କରି ଜଙ୍ଗଲରେ ପୋତିଦେଲେ ଦୁଇ ସମ୍ପର୍କୀୟ ଭାଇ। ଏପରିକି ଘଟଣା ଲୁଚାଇବାକୁ ଥାନାରେ ଦୁଇ ଜଣ ନିଖୋଜ ଥିବା ଅଭିଯୋଗ ମଧ୍ୟ କରିଥିଲେ। ହେଲେ ପୋଲିସର ତଦନ୍ତରେ ଖୋଲିଗଲା ପୂରା ରହସ୍ୟ। ଶେଷରେ ଜଙ୍ଗଲରୁ ଉଦ୍ଧାର ହେଲା ଦୁଇ ମହିଳାଙ୍କ ମୃତଦେହ। ଘଟଣାରେ ଦୁଇ ଅଭିଯୁକ୍ତ ଭାଇଙ୍କୁ ଗିରଫ କରିଛି ପୋଲିସ।
ଝାଡ଼ଖଣ୍ଡ:ଝାଡ଼ଖଣ୍ଡର ଗୁମଲା ଜିଲ୍ଲାରୁ ସାମ୍ନାକୁ ଆସିଛି ଏକ ଚାଞ୍ଚଲ୍ୟକର ଡବଲ୍ ମର୍ଡର ଘଟଣା। ଦୁଇ ସମ୍ପର୍କୀୟ ଭାଇ ନିଜ ନିଜ ସ୍ତ୍ରୀଙ୍କୁ ହତ୍ୟା କରି ସିମଡେଗା ଜିଲ୍ଲାର ବୀରୁ ଜଙ୍ଗଲରେ ପୋତି ଦେଇଥିବା ଅଭିଯୋଗ ହୋଇଛି। ପୋଲିସ ଉଭୟ ମହିଳାଙ୍କ ମୃତଦେହ ଉଦ୍ଧାର କରିବା ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି।ମୃତକ ଦୁଇ ଜଣ ହେଲେ ୨୮ ବର୍ଷୀୟ ମିନି ପ୍ରିୟା ଏବଂ ୨୦ ବର୍ଷୀୟ ରାଧିକା କୁମାରୀ। ମିନିଙ୍କ ସ୍ୱାମୀ ଶିବଶଙ୍କର ସାହୁ ଏବଂ ରାଧିକାଙ୍କ ସ୍ୱାମୀ ନବୀନ ସାହୁ। ଦୁହେଁ ସମ୍ପର୍କୀୟ ଭାଇ। ପୋଲିସ ସୂଚନା ଅନୁସାରେ, ଉଭୟ ଦମ୍ପତିଙ୍କ ମଧ୍ୟରେ ଦୀର୍ଘଦିନ ଧରି ପାରିବାରିକ ବିବାଦ ଲାଗି ରହିଥିଲା। ଶନିବାର ଦିନ ଉଭୟ ପକ୍ଷଙ୍କ ମଧ୍ୟରେ ବୁଝାମଣା ମଧ୍ୟ ହୋଇଥିଲା।କିନ୍ତୁ ସୋମବାର ଦିନ ଉଭୟ ମହିଳାଙ୍କୁ ହତ୍ୟା କରାଯାଇଥିବା ପୋଲିସ କହିଛି। ଶିବଶଙ୍କର ଆମ୍ବୁଲାନ୍ସ ଚଳାଉଥିବାରୁ ସେହି ଗାଡ଼ିରେ ମୃତଦେହକୁ ସିମଡେଗାର ବୀରୁ ଜଙ୍ଗଲକୁ ନିଆଯାଇ ପୋତାଯାଇଥିବା ତଦନ୍ତରୁ ଜଣାପଡ଼ିଛି।ଅନ୍ୟପଟେ ମଙ୍ଗଳବାର ଦିନ ଦୁଇ ଭାଇ ନିଜ ପିଲାମାନଙ୍କ ସହ ଥାନାରେ ପହଞ୍ଚି ସ୍ତ୍ରୀମାନେ ନିଖୋଜ ଥିବା ଅଭିଯୋଗ କରିଥିଲେ। ତେବେ ସେମାନଙ୍କ ବୟାନରେ ଅସଙ୍ଗତି ଦେଖି ପୋଲିସର ସନ୍ଦେହ ବଢ଼ିଥିଲା। ପଚରାଉଚରା ପରେ ଘଟଣାର ପର୍ଦ୍ଦାଫାସ ହୋଇଥିଲା।ବୁଧବାର ଗୁମଲା ଓ ସିମଡେଗା ପୋଲିସର ମିଳିତ ଟିମ୍ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବୀରୁ ଜଙ୍ଗଲରୁ ଉଭୟ ମହିଳାଙ୍କ ମୃତଦେହ ଉଦ୍ଧାର କରିଥିଲା। ଆମ୍ବୁଲାନ୍ସକୁ ମଧ୍ୟ ଜବତ କରାଯାଇଛି। ଉଭୟ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ତେବେ ଦୁଇ ମହିଳାଙ୍କ ହତ୍ୟା ପଛର ପ୍ରକୃତ କାରଣ କ'ଣ, ସେନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।
