Inspiring story of police aspirants:ଦିନରେ ଗୋରିଲା ଆଉ ରାତିରେ ପୋଲିସ ଭର୍ତ୍ତିର ପାଠପଢା
ଝାଳନାଳ ଚେହେରା,ଦିନରେ 15 କିଲୋର ଗୋରିଲା ଶୁଟ୍ କିନ୍ତୁ ଇରାଦା ପକ୍କା | ଯେଉଁ ବୟସରେ ପିଲାମାନେ ସାଧାରଣତଃ ଖେଳ କୁଦ ରେ ମାତିଥାନ୍ତି, ସେ ବୟସରେ ପିୟୁଷ ସମ୍ଭାଳୁଛନ୍ତି ଘର | ଦିନରେ ମାଙ୍କୁ ଲଣ୍ଡ୍ରି କାମରେ ସାହାର୍ଯ୍ୟ ଆଉ ଗୋରିଲା ଶୁଟ୍ ପିନ୍ଧି ମନୋରଞ୍ଜନ କରୁଥିବାବେଳେ ରାତିରେ ପୋଲିସ ଭର୍ତି ପାଇଁ ପାଠପଢନ୍ତି ପିୟୁଷ |
ଇନ୍ଦୋର: କଠିନ ପରିଶ୍ରମ ଓ ଦୃଢ଼ ଇଚ୍ଛାଶକ୍ତି ବଳରେ କଣ ବା ନହୁଏ ? ଦାରିଦ୍ର୍ୟ ଆଗରେ ହାର୍ ମାନିନାହିଁ ଇନ୍ଦୋରର ୨୦ ବର୍ଷୀୟ ଯୁବକ ପୀୟୂଷ ପରମାର | ଯାହାଙ୍କ ସଂଘର୍ଷର କାହାଣୀ ଆଜି ସାରା ଦେଶ ପାଇଁ ସାଜିଛି ଏକ ଅସାଧାରଣ ପ୍ରେରଣା । ପରିବାରର ରୋଜଗାରିଆ ବାପା ହଠାତ୍ ପାରାଲାଇସିସ୍ରେ ପଡିଲେ, ତାପରେ ସଂସାରର ସମସ୍ତ ଦାୟିତ୍ୱ ନିଜ କାନ୍ଧରେ ଉଠାଇ ନେଇଥିଲେ ପୀୟୂଷ । ପିୟୁଷଙ୍କ ଦିନଚର୍ଯ୍ୟା କଥା ଶୁଣିଲେ କେହି ବି ଭାବୁକ ହେଇଯିବ | ସକାଳେ ଅସୁସ୍ଥ ବାପାଙ୍କ ସେବା କରିବା ଏବଂ ମା’ଙ୍କ ସହ ଲଣ୍ଡ୍ରି କାମରେ ସାହାଯ୍ୟ କରିବା ପରେବି ଟିକେ ଫୁରସତ୍ ନାହିଁ ପୀୟୂଷଙ୍କୁ, ଦିନର ବାକିତକ ସମୟ ୧୫ କିଲୋଗ୍ରାମ ଓଜନର ଗୋରିଲା ପୋଷାକ ପିନ୍ଧି ବିଭିନ୍ନ ଇଭେଣ୍ଟରେ ଲୋକଙ୍କର ମନୋରଞ୍ଜନ କରନ୍ତି ପିୟୁଷ | ଅଣନିଶ୍ୱାସୀ ହେଇଯାନ୍ତି ସେ କଷ୍ଟ୍ୟୁମ ଭିତରେ, ଝାଳନାଳ ହେଇଯାଏ ମୁହଁ,ତଥାପି ବି ସେ ମୁହଁରେ ହସ ଫୁଟାଇ ନିଜ ପରିବାର ପାଇଁ ରୋଜଗାର କରନ୍ତି। ତେବେ ଏତେସବୁ କଷ୍ଟ ଭିତରେ ସ୍ବପ୍ନ ଦେଖିବା ଭୁଲିନାହିଁ ପିଲାଟି | ପୀୟୂଷଙ୍କ ପ୍ରକୃତ ସ୍ୱପ୍ନ ହେଉଛି ମଧ୍ୟପ୍ରଦେଶ ପୋଲିସରେ ଭର୍ତ୍ତି ହୋଇ ପୋଲିସ ଆଫିସର ହେବା। ଦିନସାରା ଶାରୀରିକ ପରିଶ୍ରମ ଆଉ ବିଳମ୍ବରାତି ଯାଏ ସେ ଲାଇବ୍ରେରୀରେ ବସି ପୋଲିସ ଚାକିରି ପାଇଁ ପଢ଼ାପଢ଼ି କରନ୍ତି। ସୋସିଆଲ ମିଡିଆରେ ନିଜ ସଂଘର୍ଷକୁ ସେୟାର କରନ୍ତି ପୀୟୂଷ ଆଉ ଏଥିପାଇଁ ତାଙ୍କୁ ଇନ୍ଦୋର ଟ୍ରାଫିକ୍ ପୋଲିସ୍ ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ କରାଯାଇଛି।
