Bottle Gourd:ଥାଳିରେ ଲାଉ; ସ୍ୱାସ୍ଥ୍ୟର ନିୟମିତ ସାଥୀ
ରୋଷେଇଘରରେ ଲାଉ ଦେଖିଲେ ଅନେକଙ୍କ ମନରେ ଆସେ,‘ଆଜି ପୁଣି ଲାଉ ତରକାରୀ !’ କିନ୍ତୁ ଅସଲରେ ଥାଳିରେ ଅବହେଳା କରିବା ଭଳି ଏହି ପରିବାଟି ଜମା ନୁହେଁ। ଅଧିକ ପାଣି, କମ୍ କ୍ୟାଲୋରି ଓ ସହଜରେ ହଜମ ହେବାର ଗୁଣ ଯୋଗୁଁ ଠିକ୍ ଭାବରେ ରାନ୍ଧିଲେ ଦୈନନ୍ଦିନ ସନ୍ତୁଳିତ ଖାଦ୍ୟର ଅଂଶ ହୋଇପାରେ। ତେବେ ଅଧିକ ଜାଣନ୍ତୁ ଏହି ସବୁଜ ସବ୍ଜିର ସ୍ମାର୍ଟ ବ୍ୟବହାର |
ଲାଉକୁ ନେଇ ଆମ ରୋଷେଇଘରରେ ବିଶେଷ ଆଡ଼ମ୍ବର ନାହିଁ। ଏହାକୁ ଭାରୀ କରିନ ରାନ୍ଧିଲେ ମଧ୍ୟ ସ୍ୱାଦିଷ୍ଟ କରାଯାଇପାରେ। ବଜାରରୁ ଗୋଟିଏ ଲାଉ ଆସିଲା, ଆଉ କେବେ ଲାଉ ଡାଲି, କେବେ ଲାଉ ଝୋଳ, ଆଉ କେବେ ଖିଚୁଡ଼ିରେ ମିଶି ଏହି ସବ୍ଜିଟି ଚୁପଚାପ ଥାଳିରେ ଜାଗା କରିନିଏ। ଏହାର ବିଶେଷତା ମଧ୍ୟ ଏଇଠି ଯେ,ଲାଉକୁ ନେଇ ବହୁତ କିଛି କରିବାକୁ ପଡ଼େନାହିଁ।
ଲାଉ ହେଉଛି ପାଣିରେ ଭରପୂର ଏବଂ କ୍ୟାଲୋରି କମ୍। ତେଣୁ ଭାରୀ ଖାଦ୍ୟ ମଧ୍ୟରେ ଲାଉ ଭଳି ପାଣିଯୁକ୍ତ ପରିବା ଥାଳିକୁ ହାଲୁକା ରଖିବାରେ ସହାୟକ ହୋଇପାରେ। ଏହା ବ୍ୟତୀତ, ଲାଉ କିଛି ପରିମାଣରେ ଡାଏଟାରୀ ଫାଇବର, ଭିଟାମିନ୍ ସି, ଫୋଲେଟ୍ ଏବଂ ପୋଟାସିୟମ୍ ଯୋଗାଇଥାଏ। ପରିମାଣ ଅନୁଯାୟୀ ଏହି ପୋଷକତତ୍ତ୍ୱର ମାତ୍ରା ବଦଳିଥାଏ, ତେଣୁ ଲାଉକୁ କୌଣସି ଏକ ଭିଟାମିନ୍ କିମ୍ବା ମିନେରାଲ ର ବଡ଼ ଉତ୍ସ ବୋଲି ଧରିବା ଠିକ୍ ନୁହେଁ। ଏହାକୁ ଭଲ ଭାବେ ରାନ୍ଧିଲେ ଏହା ହାଲୁକା ଲଞ୍ଚ, ସରଳ ଡିନର, ପିଲାଙ୍କ ଖିଚୁଡ଼ି କିମ୍ବା ଡାଏବେଟିସ୍ ଓ BP ଥିବା ଲୋକଙ୍କ ବାଲାନ୍ସ ଡାଏଟ ର ଏକ ଅଂଶ ହୋଇପାରେ।
ଓଜନ କମାଇବାକୁ ଚାହୁଁଥିଲେ ଭଲ ବିକଳ୍ପ ଲାଉ
ଓଜନ ନିୟନ୍ତ୍ରଣ କରୁଥିବା ଲୋକଙ୍କ ପାଇଁ ଲାଉର ସବୁଠାରୁ ବଡ଼ ସୁବିଧା ହେଉଛି,ଏହାକୁ ଥାଳିର ଭଲ୍ୟୁମ ବଢ଼ାଇବାରେ ବ୍ୟବହାର କରିହୁଏ, ଯେତେବେଳେ କ୍ୟାଲୋରୀ ଅଧିକ ହୁଏ ନାହିଁ। ସେଠାରେ ଲାଉ ଝୋଳ କିମ୍ବା ଲାଉ ଡାଲି ଭଳି ହାଲୁକା ପରିବା ଯୋଡ଼ିଲେ ଖାଦ୍ୟର ଗଠନ ଅଧିକ ବାଲାନ୍ସ ହୋଇପାରେ।
କିନ୍ତୁ ଏଠି ଗୋଟିଏ ‘କିନ୍ତୁ’ ଅଛି,ଲାଉ ଖାଉଛି ବୋଲି ତା’ସହ ଅଧିକ ତେଲ, ଘିଅ କିମ୍ବା ଭଜା ଖାଦ୍ୟ ଯୋଡ଼ିଲେ ଓଜନ ନିୟନ୍ତ୍ରଣର ଲାଭ ମିଳିବ ନାହିଁ।ତେଣୁ ଲାଉ ଯେତେ ଭଲ, ଏହାକୁ କିପରି ରାନ୍ଧୁଛନ୍ତି ସେତେ ଗୁରୁତ୍ୱପୂର୍ଣ୍ଣ।
ସୁଗାର ଥିଲେ ଲାଉକୁ କିପରି ଥାଳିରେ ରଖିବେ?
ଡାଏବେଟିସ୍ ଥିବା ଲୋକଙ୍କ ପାଇଁ ଷ୍ଟାର୍ଚ-ବିହୀନ ପରିବା ଭୋଜନର ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇପାରେ। ଲାଉକୁ ସେହି ଭାବରେ ଖାଦ୍ୟରେ ସାମିଲ କରିପାରିବେ |
ଏଠାରେ ମଧ୍ୟ ରୋଷେଇର ଭୂମିକା ବଡ଼। ଲାଉକୁ ଅଳ୍ପ ତେଲରେ ଡାଲି ସହ ରାନ୍ଧିବା, ଅନ୍ୟ ପରିବା ସହ ମିଶାଇବା କିମ୍ବା ହାଲୁକା ଝୋଳ କରିବା ଭଲ ବିକଳ୍ପ। ତା’ପରିବର୍ତ୍ତେ ଲାଉରେ ଅଧିକ ଆଳୁ, ଚିନି କିମ୍ବା ତେଲ ଯୋଡ଼ିଦେଲେ ସବୁ ଭଲ ଗୁଣ ସରିଲା | କାରଣ ସବୁଠାରୁ ଜରୁରୀ ହେଉଛି ଲାଉ ଡାଏବେଟିସ୍ କମାଇବାର କୌଣସି ଔଷଧ ନୁହେଁ। ଲାଉ ଖାଇବା ସହ ଔଷଧ ବନ୍ଦ କରିବା କିମ୍ବା ଡାକ୍ତରଙ୍କ ପରାମର୍ଶ ଛାଡ଼ିବା ଉଚିତ ନୁହେଁ।
BP ରୋଗୀଙ୍କ ପାଇଁ ଲାଉ, କିନ୍ତୁ ଲୁଣ ଉପରେ ନଜର
ଉଚ୍ଚ ରକ୍ତଚାପ ଥିଲେ ଲାଉ ଏକ ସହଜ ପାରିବ ହୋଇପାରେ। କିନ୍ତୁ ଲାଉ ଖାଇଲେ BP କମିଯିବ—ଏଭଳି ଦାବି କରିବା ଠିକ୍ ନୁହେଁ।
ଏଠି ମୁଖ୍ୟ ଧ୍ୟାନ ଦେବାକୁ ପଡ଼ିବ ଲୁଣ ଉପରେ। ଲାଉକୁ ଅଳ୍ପ ଲୁଣରେ ରାନ୍ଧି, ଅଦା, ରସୁଣ, ଜିରା, ଧନିଆ ଭଳି ମସଲାରେ ସ୍ୱାଦ ବଢ଼ାଇପାରିବେ।
ଅର୍ଥାତ୍, BP ରୋଗୀଙ୍କ ପାଇଁ ମୁଖ୍ୟ ଲାଉ ନୁହେଁ ବରଂ କମ୍ ଲୁଣର ରୋଷେଇ।
ପିଲାଙ୍କ ଥାଳିରେ ଲାଉକୁ କିପରି ‘ହିଟ୍’ କରିବେ?
ପିଲାମାନଙ୍କୁ ଲାଉ ଖୁଆଇବା ବେଳେ ‘ଏହା ବହୁତ ସ୍ୱାସ୍ଥ୍ୟକର’ ବୋଲି ବୁଝାଇବା ଅପେକ୍ଷା ଏହାକୁ ସ୍ୱାଦିଷ୍ଟ କରିବା ଅଧିକ କାମ ଦିଏ।ଛୋଟ ପିଲାଙ୍କ ପାଇଁ ଲାଉକୁ ଭଲ ଭାବେ ନରମ କରି ଡାଲି, ଖିଚୁଡ଼ି କିମ୍ବା ଅନ୍ୟ ପରିବା ସହ ମିଶାଇବା ସହ ନୂଆ ନୂଆ ଆଇଟମ କରିଲେ ସେମାନଙ୍କର ଇଛା ହୋଇଥାଏ | ବଡ଼ ପିଲାଙ୍କ ପାଇଁ ଲାଉକୁ ହାଲୁକା ମସଲାରେ ରାନ୍ଧି ଅନ୍ୟ ପସନ୍ଦର ଖାଦ୍ୟ ସହ ପରିବେଷଣ କରିପାରିବେ। ଲକ୍ଷ୍ୟ ହେଉଛି ପିଲାକୁ ଜବରଦସ୍ତି ଖୁଆଇବା ନୁହେଁ, ଧୀରେ ଧୀରେ ଭିନ୍ନ ପରିବାର ସ୍ୱାଦ ସହ ପରିଚିତ କରାଇବା।
ଲାଉର ଶକ୍ତି କୌଣସି ଚମତ୍କାରୀ ଔଷଧୀୟ ଗୁଣରେ ନୁହେଁ। ଏହାର ଶକ୍ତି ହେଉଛି ଏହାକୁ ଆମେ ପ୍ରତିଦିନର ଜୀବନରେ ସହଜରେ ଖାଇପାରୁ।ଓଜନ ନିୟନ୍ତ୍ରଣ କରୁଥିଲେ କମ୍ କ୍ୟାଲୋରୀ ପରିବା ଭାବେ, ସୁଗାର ଥିଲେ ଷ୍ଟାର୍ଚ-ବିହୀନ ପରିବା ଭାବେ, BP ଥିଲେ କମ୍ ଲୁଣର ଖାଦ୍ୟରେ, ଆଉ ପିଲାଙ୍କ ପାଇଁ ନରମ ଓ ସ୍ୱାଦିଷ୍ଟ କରି,ଲାଉ ନିଜକୁ ପ୍ରାୟ ପ୍ରତ୍ୟେକ ଘରର ଥାଳିରେ ଖାପ ଖୁଆଇ ନେଇପାରେ।
ସ୍ୱାସ୍ଥ୍ୟକର ଖାଦ୍ୟ ସବୁବେଳେ ମହଙ୍ଗା, ଆକର୍ଷଣୀୟ କିମ୍ବା ନୂଆ ହେବା ଦରକାର ନାହିଁ। ବେଳେବେଳେ ଘରର ସେହି ପରିଚିତ ଲାଉଟି ହିଁ ଥାଳିକୁ ଅଧିକ ସନ୍ତୁଳିତ କରିବାର ସବୁଠାରୁ ସରଳ ଉପାୟ ହୋଇପାରେ।
